• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ସରିଲା ଶୀତକାଳୀନ ହାତୀ ଗଣନା । ଆସନ୍ତାକାଲି ହାତୀ ଗଣନାର ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ PCCF ସୁଶାନ୍ତ ନନ୍ଦ । ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେଭଳି କୌଣସି ହାତୀ ଦୁଇ ଥର ଗଣତି ନହୁଏ ସେଥିପାଇଁ ଫିଲ୍ଡ ଡାଟାର ତାଳମେଳ ସହ GPS କୋର୍ଡିନେଟ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି ।

ସେସବୁ ତଥ୍ୟ ଏକାଠି କରାଯାଉଛି । ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ରିପୋର୍ଟ । ଏହାପରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି ସେନେଇ ସଠିକ ତଥ୍ୟ ଆସିପାରିବ । ଗତଥର ଗଣନାରେ ଓଡ଼ିଶାରେ ୨ହଜାର ୯୮ଟି ହାତୀ ଥିବା ଜଣାପଡ଼ିଥିଲା ।

ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ

ସେପଟେ ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ, ୫୦୯ ଜଣ ଲୋକ ଆହତ ହୋଇଛନ୍ତି । ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗଣେଶ ରାମ । ସେହିପରି ରାଜ୍ୟରେ ହାତୀ ଉପଦ୍ରବ ବି ବଢିଥିବା କହିଛନ୍ତି ମନ୍ତ୍ରୀ ।

୩ ବର୍ଷରେ ହାତୀପଲ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ, ୧୦ ହଜାର ୨୫୯ଟି ଘର ଭାଙ୍ଗିଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଗତ ୫ ମାସରେ ରାଜ୍ୟରେ ୪୦ ହାତୀଙ୍କର ମୃତ୍ୟୁ ଘଟିଛି । ସେହିପରି ୫ଟି କଲରାପତରିଆ ବାଘ ଓ ୨୦୦ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି । ସେପଟେ କେବଳ କେନ୍ଦ୍ରାପଡ଼ାରେ ଗତ ୫ ବର୍ଷରେ ୨୨ଜଣଙ୍କୁ ଖାଇ ସାରିଲାଣି କୁମ୍ଭୀର । ବିଶେଷକରି ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ କୁମ୍ଭୀର ଆକ୍ରମଣର ସଂଖ୍ୟା ଅଧିକ । ବର୍ଷାଋତୁରେ ଜଳସ୍ତର ବୃଦ୍ଧି ହେଲେ ନଦୀରେ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବଢିଥାଏ ବୋଲି ମନ୍ତ୍ରୀ ପ୍ରଶ୍ନୋତ୍ତରରେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଏଠି ବିକାଶ ତ ଅପହଞ୍ଚ! ସୁଭଦ୍ରା ଯୋଜନାର ଗତି ମଧ୍ୟ ମନ୍ଥର ..

OTV is now on Whatsapp

Join and get latest news update delivered to you via whatsapp

Join Now