• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୁଭଦ୍ରା ଟଙ୍କାକୁ ନେଇ ମହିଳାଙ୍କ ଭିତରେ ନାହିଁ ନଥିବା ଉତ୍ସାହ । ତିନିଟି ପର୍ଯ୍ୟାୟରେ ୟା ଭିତରେ ରାଜ୍ୟର ୮୦ ଲକ୍ଷ ୩୫ ହଜାର ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇସାରିଲାଣି । ହେଲେ ମାଲକାନଗିରିର ବଣ୍ଡାଘାଟିରେ ଯେମିତି ଧକେଇଛି ସରକାରଙ୍କ ସବୁଠୁ ବଡ଼ ଏ ମହିଳା କଲ୍ୟାଣକାରୀ ଯୋଜନା । ସୁଭଦ୍ରାରେ ସାମିଲ ହେବାକୁ ୧୫ଶହ ୨୨ ଜଣ ଆବେଦନ କରିଥିଲେ ବି ସେ ଭିତରୁ ଅଧାରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଯାଇନଥିବା ଅଭିଯୋଗ ହୋଇଛି ।

ବଣ୍ଡାଘାଟିର ଏ ବନ୍ଧୁର, ପାହାଡ଼ିଆ ରାସ୍ତା...ଆଉ ଏଠିକାର ପାହାଡ଼ି ମଣିଷଙ୍କ ଭାଗ୍ୟ ଭଳି, ଘାଟିଚଢ଼ା ବେଳେ ଯୋଜନାର ଗତି ବି ଏଠି ମନ୍ଥର...ଟିକେ ନୁହେଁ ଭାରି ମନ୍ଥର । ସବୁ ସରକାରୀ ଯୋଜନା ଭଳି, ସୁଭଦ୍ରାର ବି ସମଗତି । ସେ ବଣ୍ଡାଘାଟି ଅଣ୍ଡ୍ରାହାଲ୍ ପଞ୍ଚାୟତ ବଡ଼ବେଲ ଗାଁର ସମ୍ଭାରୀ ବଡ଼ନାୟକ ହୁଅନ୍ତୁ କି ମୁଦୁଲିପଡ଼ା ପଞ୍ଚାୟତ କିରସାନି ପଡ଼ାର ସୁକ୍ରି ଶିଶା ।

ସରକାର ବାହାଦୁର ସେମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଉଛନ୍ତି, ଶୁଣିବା ପରେ କିଏ କେତେ ସ୍ୱପ୍ନ ବୁଣି ସାରିଥିଲେ । ଯୋଜନା ପାଇଁ ଆବେଦନ କରି କିଏ ଭଙ୍ଗା ଘର ସଜାଡ଼ିବାକୁ ଭାବିଥିଲା, ତ କିଏ ସେଇ ଟଙ୍କାରେ ଘୁଷୁରୀ କିଣି ନୂଆ ବେଉସା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲା । ହେଲେ ୟା ଭିତରେ ତିନି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ବଣ୍ଟା ସରିଥିଲେ ବି ଏମାନେ ବ୍ୟାଙ୍କକୁ ଦଉଡ଼ି ଦଉଡ଼ି ନୟାନ୍ତ । ଆକାଉଣ୍ଟରେ ଟଙ୍କାର ଦର୍ଶନ ନାହିଁ ।

ଅଧିକ ପଢ଼ନ୍ତୁ: ଜୀବନଶୈଳୀ-ଖାଦ୍ୟ ନିଯନ୍ତ୍ରଣ, ଫୋର୍ଥ ଷ୍ଟେଜରେ କ୍ୟାନସର ମାତ୍ !

ବଣ୍ଡାଘାଟିର ଦୁଇଟି ପଞ୍ଚାୟତରେ ଅଛି ୩୧ଟି ଗାଁ । ସେ ଭିତରୁ ମୁଦୁଲିପଡ଼ା ପଞ୍ଚାୟତର ୭୪୮ ଏବଂ ଅଣ୍ଡ୍ରାହାଲ ପଞ୍ଚାୟତର ୭୭୪, ଏହିପରି ମୋଟ୍ ୧୫୨୨ ଜଣ ସୁଭଦ୍ରା ଯୋନଜାରେ ଆବେଦନ କରିଛନ୍ତି । ହେଲେ ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ମାତ୍ର ୫୧୫ ଜଣ ଆବେଦନକାରୀଙ୍କ ଖାତାକୁ ଟଙ୍କା ଆସିଥିଲା ବେଳେ ଅଧାରୁ ଅଧିକ ଏବେ ବି ଯୋଜନାର ଅପେକ୍ଷାରେ । ହେଲେ ଯୋଜନା ପହଞ୍ଚିବାରେ କାହିଁକି ଏ ମନ୍ଥରତା ?

ସୁଭଦ୍ରା ଟଙ୍କା ପାଇଁ କିଏ ୧୫ କିଲୋମିଟର, ତ ଆଉ କିଏ ୩୦ କିଲୋମଟର ଘାଟି ଓହ୍ଲାଇ ଗ୍ରାହକ ସେବା କେନ୍ଦ୍ରରେ ଭିଡ ଜମାଉଛି, ତ ଆଉ କିଏ ବ୍ୟାଙ୍କରେ ଧାଡି ବାନ୍ଧିଛି । ହେଲେ ସମସ୍ୟା ସାଜିଛି ଇ-କେୱାଇସି ଓ ଆଧାର ଅପଡେଟ୍ । କାହାର ଆଧାରରେ ଥିବା ନାଁ ସହିତ ବ୍ୟାଙ୍କ ପାସବୁକ୍‌ରେ ଥିବା ନାଁର ମେଳ ଖାଉନି, ତ କାହାର ନିଜ ନାଁରେ ମୋବାଇଲ ନଥିବାରୁ OTP ଆସିବାରେ ସମସ୍ୟା ।

ଯେଉଁଥିପାଇଁ ଯୋଜନାରେ ସାମିଲ ହୋଇ ନପାରି ଦହଗଞ୍ଜ ହେଉଛନ୍ତି ଆବେଦନକାରୀ । ଅପରପକ୍ଷେ ଶିଶୁ ବିକାଶ କାର୍ଯ୍ୟାଳୟର ହେଲପ୍ ଡେସ୍କର କର୍ମଚାରୀ ବଣ୍ଡା ଘାଟିର ଘର ଘର ବୁଲି ତାଲିକାରୁ ବାଦ୍ ପଡିଥିବା ମହିଳାଙ୍କୁ କିଭଳି ସାମିଲ କରାଯିବ ସେନେଇ ପ୍ରୟାସ ଚଳାଇଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି, କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ । ସେଇ ଆଧାରରେ ବଣ୍ଡାଘାଟିରେ ସବୁ ଯୋଗ୍ୟ ମହିଳାଙ୍କ ପାଖେ କେବେ ସୁଭଦ୍ରା ଟଙ୍କା ପହଞ୍ଚୁଛି, ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ସମୂଳେ ଧ୍ୱଂସ ହେବ ନୀଳ ଜହର! ଗଞ୍ଜେଇ ମୁକ୍ତ ପାଇଁ ଆକ୍ସନ ମୋଡ୍‌ରେ ପୋଲିସ୍

OTV is now on Whatsapp

Join and get latest news update delivered to you via whatsapp

Join Now