Advertisment

Elephants In Odisha: ଡ୍ରୋନ କହିବ ଜଙ୍ଗଲରେ କେତେ ଅଛନ୍ତି ହାତୀ ?

ଚଳିତ ଥର ପ୍ରଥମ ଥର ଲାଗି ହାତୀ ଗଣନାରେ ବ୍ୟବହାର ହୋଇଛି ଡ୍ରୋନ୍।

author-image
Satyendu Shekher Mishra
Elephant Count

ଜଙ୍ଗଲରେ ବୁଲିବ ଡ୍ରୋନ, ଗଣିବ ହାତୀ

ଡ୍ରୋନ୍ ଜରିଆରେ ହାତୀ ଉପରେ ନଜର। ଆଠଗଡ଼ ବନଖଣ୍ଡ ତିଗିରିଆ ସେକ୍ସନରେ ହାତୀ ପଲ ଥିବା ବନ ବିଭାଗକୁ ଖବର ମିଳିଥିଲା। ହେଲେ ହାତୀଙ୍କ ସଂଖ୍ୟା ନେଇ ସ୍ପଷ୍ଟ ସୂଚନା ନମିଳିବାରୁ ଶେଷରେ ଡ୍ରୋନର ସହାୟତା ନିଆଯାଇଥିଲା। ଫଳରେ ହାତୀଙ୍କ ସଂଖ୍ୟା ନେଇ ସ୍ପଷ୍ଟ ସୂଚନା ମିଳିପାରିଛି।

Advertisment

ଅନ୍ୟପଟେ ରାଜ୍ୟରେ ଚାଲିଛି ପ୍ରଥମ ଶୀତକାଳୀନ ହାତୀ ଗଣନା। ୧୪ ତାରିଖରୁ ୪୮ ବନଖଣ୍ଡରେ ଆରମ୍ଭ ହୋଇଥିବା ଏହି ହାତୀ ଗଣନା । ଏହା ଆସନ୍ତା ୧୭ ତାରିଖ ସକାଳ ୬ଟା ଯାଏଁ ଚାଲିବ । ସେଥିପାଇଁ ପାଖାପାଖି ୧୯୦୦ଟି ୟୁନିଟ ନିୟୋଜିତ ହୋଇଛନ୍ତି। ୫ ହଜାର ୭୦୦ ରୁ ଅଧିକ ବନ କର୍ମଚାରୀ ସାମିଲ ଅଛନ୍ତି। ଖାସ୍ ଜଙ୍ଗଲ ଭିତରେ ତିଆରି ହୋଇଛି ୧ ହଜାର ୩୭୦ ମଞ୍ଚା । ହାତୀ ଗଣନାରେ ରାତି କାଳୀନ ଭିଜୁଆଲ ପାଇଁ ଡ୍ରୋନର ବ୍ୟବହାର ମଧ୍ୟ କରୁଛି ବନ ବିଭାଗ।  

ଅନ୍ୟପଟେ କୁହାଗଲାଣି ହାତୀଙ୍କ ପାଇଁ ଛୋଟ ପଡ଼ିଲାଣି ଓଡ଼ିଶା । ଆମର ଏଠି ଜଙ୍ଗଲର କ୍ଷମତାଠୁ ବାସ କରୁଛନ୍ତି ୪୦୦ ଅଧିକ ହାତୀ । ଖାଦ୍ୟ ଅଭାବରୁ ସେମାନେ ଜନବସତିମୁହାଁ ହେଉଛନ୍ତି, ପୋଷଣ ଅଭାବରୁ ରୋଗ ସଂକ୍ରମଣରେ ବି ମରୁଛନ୍ତି । ରାଜ୍ୟରେ ଅଧିକ ହାତୀ ମୃତ୍ୟୁ କାରଣ ପଛର ଏ ଗୁମର ଖୋଲିଛନ୍ତି ଖୋଦ୍ ବନ୍ୟପ୍ରାଣୀ ପିସିସିଏଫ୍ । ତେବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଯୁକ୍ତି, ଜଙ୍ଗଲରେ ଖାଦ୍ୟପେୟ ବ୍ୟବସ୍ଥା ସହ ନୂଆ କରିଡର ତିଆରି କରି ରାଜ୍ୟର ହାତୀ କ୍ଷମତା ବଢ଼ାଇବାକୁ ପଡ଼ିବ ।

Advertisment

ଗଜରାଜଙ୍କ ପାଇଁ ଜାଗା ଅଭାବ । ଆମ ଜଙ୍ଗଲରେ ଯେତିକି ହାତୀ ରହିବା କଥା, ଅଛନ୍ତି ତା’ଠୁ ୪୦୦ ଅଧିକ । ବଢ଼ୁଛି ହାତୀ-ମଣିଷ ଲଢ଼େଇ, ଯାଉଛି ଜୀବନ । ରାଜ୍ୟରେ ଚଳିତ ବର୍ଷ ଅସ୍ୱାଭାବିକ ଭାବେ ହୋଇଥିବା ହାତୀ ମୃତ୍ୟୁର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିକଟରେ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏଭଳି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

ସେ କହିଛନ୍ତି, ବେଙ୍ଗାଳୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏସିଆନ ଏଲିଫ୍ୟାଣ୍ଟ କନଜରଭେସନ ସେଣ୍ଟର ଷ୍ଟଡି କହୁଛି, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ରାଜ୍ୟରେ ୨୧ ଶହ ଅର୍ଥାତ୍ ୪୦୦ ଅଧିକ ହାତୀ ଅଛନ୍ତି । ଖାଦ୍ୟ ଅନ୍ୱେଷଣରେ ସେମାନେ ଜନବସତିମୁହାଁ ହେଉଛନ୍ତି । ବଢୁଛି ହାତୀ-ମଣିଷ ଲଢ଼େଇ ।

ଜଙ୍ଗଲରେ ଖାଦ୍ୟପେୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ରୋଗ ସଂକ୍ରମଣରେ ବହୁ ହାତୀ ଛୁଆ ଓ ରୋଗିଣା ହାତୀଙ୍କ ମୃତ୍ୟୁ ହେଉଛି । ବନ୍ୟପ୍ରାଣୀ ପିସିସିଏଫ୍ ଆହୁରି ମଧ୍ୟ କହିଛନ୍ତି, ଏବେ ଓଡ଼ିଶା ଜଙ୍ଗଲକୁ ଝାଡ଼ଖଣ୍ଡ ଓ ଛତିଶଗଡ଼ିରୁ ବି ହାତୀ ଆସୁଛନ୍ତି ।  ଏମିତିକି ଅଧିକ ହାତୀ ଥିବା କିଛି ଜଙ୍ଗଲରୁ କେତେକ ହାତୀକୁ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଥିବା ସେ କହିଛନ୍ତି । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଯୁକ୍ତି, ହାତୀ ସଂଖ୍ୟା ଅଧିକ ଅଛନ୍ତି, ତେବେ ଅଧିକ ହାତୀ ଥିବାରୁ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇ ହେବନି ।

ସରକାରଙ୍କୁ ଜଙ୍ଗଲୀ ହାତୀଙ୍କ ପାଇଁ ବାସସ୍ଥଳୀ କ୍ଷମତା ବଢ଼ାଇବାକୁ ପଡ଼ିବ । ସେହିପରି ହାତୀଙ୍କ ପାଇଁ ପୂର୍ବରୁ ଥିବା କରିଡରଗୁଡ଼ିକ ନଷ୍ଟ ହୋଇଗଲାଣି । ସେମାନଙ୍କ ଲାଗି ନୂଆ କରିଡର ସୃଷ୍ଟି କରିବାକୁ ହେବ ।

ତେବେ ବନ ବିଭାଗ ତଥ୍ୟ କହୁଛି, ଗତ ୮ ବର୍ଷରେ ରାଜ୍ୟରେ ୬୩୪ଟି ହାତୀର ଜୀବନ ଯାଇଛି । ବର୍ଷକୁ ବର୍ଷ ହାତୀ ମୃତ୍ୟୁ କମୁଛି । ଚଳିତ ବର୍ଷ ଏବେ ସୁଦ୍ଧା ୬୦ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶିକାରୀ ତଥା ବିଷକ୍ରିୟା ଯୋଗୁ ଗୋଟିଏ ବି ହାତୀର ଜୀବନ ଯାଇନି । ତେବେ ବିଦ୍ୟୁତ ଆଘାତରେ ୨୧ଟି ହାତୀ, ଟ୍ରେନ୍ ଦୁର୍ଘଟଣାରେ ୩ଟି, ରୋଗ ଯୋଗୁ ୧୩ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ୧୯ଟି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି ।

Advertisment
Advertisment