/odishatv-khabar/media/post_attachments/uploadimage/library/16_9/16_9_0/diarrhea_1749655108.jpg)
diarrhea
ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ। ଦୁଇ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହେଉଛନ୍ତି। ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୫ଟି ବ୍ଲକ୍ ରେ ଝାଡାବାନ୍ତି ବ୍ୟାପିଛି। ଏପରିକି ଡାଇରିଆରେ ୨ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସେପଟେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି ୩ଟି ରାଜ୍ୟସ୍ତରୀୟ ମେଡିକାଲ୍ ଟିମ୍ ଜିଲ୍ଲାର ବିଭିନ୍ନ ହସପିଟାଲ ଓ ପ୍ରଭାବିତ ଅଂଚଳକୁ ଯାଇ ଅନୁଧ୍ୟାନ ବି କରିଛନ୍ତି। ତେବେ କେଉଁ କାରଣ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି , ତାହା ସ୍ପଷ୍ଟ ହୋଇପାରିନି।
ଯାଜପୁର ରୋଡ୍, ବ୍ୟାସନଗର, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦି। ଯାଜପୁର ଜିଲ୍ଲା ସାରା ବ୍ୟାପିଛି ଝାଡାବାନ୍ତି। ସବୁ ମେଡିକାଲରେ ରୋଗୀ ହାଉଜାଉ। ବେଡ୍ ଭର୍ତ୍ତି, ତଳେ ବି ଶହ ଶହ ଆକ୍ରାନ୍ତ। ହାତରେ ସାଲାଇନ୍ ଲାଗିଛି, ଗ୍ଲୁକୋଜ-ORS ଦିଆଚାଲିଛି। ଯୁବକ, ଶିଶୁ, ମହିଳା, ବୟସ୍କ, ସବୁ ବର୍ଗର ଲୋକେ ଆକ୍ରାନ୍ତ। ଦୁଇ ଦିନରେ ସଂଖ୍ୟା ୫ଶହ ଟପିଲାଣି। ଆହୁରି ଆସୁଛନ୍ତି। ଅନେକ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ଗୁରୁତରଙ୍କୁ କଟକ ଏସସିବି ରେଫର କରୁଛନ୍ତି ଡାକ୍ତର।
ଅଧିକ ପଢ଼ନ୍ତୁ: ୟୁପିରେ ବିବାହ, ହନିମୁନ ପାଇଁ ସିକ୍କିମ ଯାଇ ନିଖୋଜ
ଜିଲ୍ଲାର ୨ଟି ମ୍ୟୁନିସିପାଲଟି ଓ ୫ଟି ବ୍ଲକକୁ ବ୍ୟାପିସାରିଛି ଝାଡ଼ାବାନ୍ତି। ପରିବାରର ଜଣେ ଆକ୍ରାନ୍ତ ହେଲେ ଆଉ ଜଣଙ୍କୁ ଡେଉଁଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏହାରି ଭିତରେ ଯାଜପୁର ରୋଡ୍ ଓ ଦାନଗଦି ମେଡିକାଲରେ ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଦୁଇଟି ରାଜ୍ୟସ୍ତରୀୟ ଟିମ୍ ମେଡିକାଲରେ ପହଁଚି ଆକ୍ରାନ୍ତଙ୍କ ସହ ଆଲୋଚନା କରିଛନ୍ତି, ଝାଡାବାନ୍ତି ବ୍ୟାପିଥିବା ଅଂଚଳକୁ ଯାଇ ସ୍ଥିତି ବି ପରଖିଛନ୍ତି। ଏହି ଟିମରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତ୍ତା ଅଧିକାରୀ ରହିଛନ୍ତି। କଟକ ଏସସିବିରୁ ଆଉ ଏକ ଅତିରିକ୍ତ ଟିମ୍ ପଠାଯିବା ସହ ଜିଲ୍ଲା ସ୍ତରରେ ବି ମେଡିକାଲ୍ ଟିମ୍ ଗଠନ କରାଯାଇ ଆକ୍ରାନ୍ତ ଚିକିତ୍ସା କରାଯାଉଛି। ଘରକୁ ଘର ବୁଲି ଜରୁରୀ ଔଷଧ ଦେଉଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ।
କେଉଁ ପରିସ୍ଥିତିରେ ବ୍ୟାପିଲା ଝାଡାବାନ୍ତି, ତାର ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍। ପ୍ରାଥମିକ ଯାଂଚରୁ ଫୁଡ୍ ପଏଜନିଂ ଯୋଗୁଁ ଡାଇରିଆ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ରିପୋର୍ଟ ବି ଆସିସାରିଛି। ଭୋଜି ଖାଇ ଏବଂ ବୋତଲ ପାଣି ପିଇ ଲୋକେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ତେଣୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ଜିଲ୍ଲାର ସମସ୍ତ ପାନୀୟ ଜଳ ଉତ୍ସକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିକାଲ୍ ଟିମ ରିପୋର୍ଟ ଦେବା ପରେ ମୃତାହତ ସଂଖ୍ୟା ଜଣାପଡିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)