• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ନେତାଙ୍କ ଗାଲରେ ବାଜିଲା ଶକ୍ତ ଚାପୁଡା । ପ୍ରଥମେ ବେକରେ ଫୁଲମାଳ ପକାଇ ଚାପୁଡା ଉପରେ ଚାପୁଡା ମାରି ଚାଲିଲେ ଆଉ ଜଣେ ନେତା । ତା' ପୁଣି ମଞ୍ଚ ଉପରେ, ସର୍ବସମ୍ମୁଖରେ... ଉତ୍ତରପ୍ରଦେଶରୁ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ମାଡ଼ ଖାଉଥିବା ନେତା ହେଲେ ସୁହେଲଦେବ ସ୍ୱାଭିମାନ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହେନ୍ଦ୍ର ରାଜଭର ଏବଂ ଚାପୁଡା ମାରିଥିବା ନେତା ଆଉ କେହି ନୁହଁନ୍ତି, ବରଂ ତାଙ୍କର ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ବ୍ରିଜେଶ ରାଜଭର । ଏହି ଚାପୁଡା କାଣ୍ଡକୁ ନେଇ ଏବେ ୟୁପି ରାଜନୀତିରେ ଜୋର୍ ଧରିଛି ଚର୍ଚ୍ଚା ।

ଜୌନପୁର ଜିଲ୍ଲାର ଆଶାପୁର ଗ୍ରାମରେ ମହାରାଜ ସୁହେଲଦେବଙ୍କ ଜନ୍ମବାର୍ଷିକୀ ସହ ଏକ ଭୂମି ପୂଜନ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ସୁହେଲଦେବ ସ୍ୱାଭିମାନ ପାର୍ଟିର ଅଧ୍ୟକ୍ଷ ମହେନ୍ଦ୍ର ରାଜଭର ସାମିଲ ହୋଇଥିଲେ । ଦଳୀୟ କର୍ମୀଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ବ୍ରିଜେଶ ଆସି ମହେନ୍ଦ୍ରଙ୍କୁ ଫୁଲମାଳ ପିନ୍ଧାଇଥିଲେ । କିନ୍ତୁ କେହି କିଛି ବୁଝିବା ପୂର୍ବରୁ ଅଚାନକ ସେ ମହେନ୍ଦ୍ରଙ୍କ ଗାଲକୁ ଚାପୁଡା ପରେ ଚାପୁଡା ମାରିଥିଲେ । ମଞ୍ଚ ଉପରେ ଏହି ଚାପୁଡାକାଣ୍ଡର ଭିଡିଓ ସେଠାରେ ଉପସ୍ଥିତ ଲୋକେ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ, ଯାହାକି ଏବେ ବେଶ୍‌ ଭାଇରାଲ ହେଉଛି ।

ଏନେଇ ମହେନ୍ଦ୍ର ରାଜଭର ଗଣମାଧ୍ୟମକୁ କହିଛନ୍ତି, ''ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଁ ମୁଖ୍ୟ ଅତିଥି ଥିଲି । କାର୍ଯ୍ୟକ୍ରମ ଶେଷରେ ଯେତେବେଳେ ମୋର ଅଭିଭାଷଣ ଦେବାର ସମୟ ହେଲା, ସେଠି ବ୍ରିଜେଶ ରାଜଭର ଆସି ପ୍ରଥମେ ମୋ ବେକରେ ଫୁଲମାଳ ପକାଇଥିଲେ । ତା' ପରେ ମୋ ସହ ଦୁର୍ବ୍ୟବହାର କରିଥିଲେ ।'' 

ଅଧିକ ପଢ଼ନ୍ତୁ: ୟୁପିରେ ବିବାହ, ହନିମୁନ ପାଇଁ ସିକ୍କିମ ଯାଇ ନିଖୋଜ

ମହେନ୍ଦ୍ରଙ୍କ ଅଭିଯୋଗ ଯେ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ନେତା ତଥା ଯୋଗୀ ସରକାରର ମନ୍ତ୍ରୀ ଓମପ୍ରକାଶ ରାଜଭରଙ୍କ ଇସାରାରେ ବ୍ରିଜେଶ ତାଙ୍କୁ ମାଡ଼ ମାରିଛନ୍ତି । ସେପଟେ ବ୍ରିଜେଶ ତାଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ମହେନ୍ଦ୍ର ସମାଜବାଦୀ ପାର୍ଟିରୁ ପାଣ୍ଠି ନେଉଥିବା ଏବଂ କାର୍ଯ୍ୟକ୍ରମ ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରିଥିବାର ପାଲଟା ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି, ଆମେ ମହାରାଜା ସୁହେଲଦେବଙ୍କ ଜନ୍ମବାର୍ଷିକୀ ଅବସରରେ ବିଜୟ ଦିବସ ପାଳନ କରୁଥିବାବେଳେ ମହେନ୍ଦ୍ର ରାଜଭର ପହଞ୍ଚିଥିଲେ । କିଛି ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବା ସମୟରେ ସେ ମୋତେ ଗାଳିଗୁଲଜ କରିବାକୁ ଲାଗିଥିଲେ । ମହେନ୍ଦ୍ର ମଧ୍ୟ ବ୍ରିଜେଶଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।