• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାଲେଶ୍ବରରେ କୋହଳ ହେବ କର୍ଫ୍ୟୁ । ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ନିଜ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ । ଏଥିସହ ଲିଜ୍ ଲାଇନରେ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ ମୋବାଇଲ୍ ନେଟୱର୍କରେ ଇଣ୍ଟରନେଟ ସୁବିଧା ମିଳିବ ନାହିଁ । ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଏସପି ସାଗରିକା ନାଥ, ଜିଲ୍ଲାପାଳ ଆଶିଷ ଠାକରେ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

ସେପଟେ ବାଲେଶ୍ୱର ସହରରେ ଧିରେ ଧିରେ ଶାନ୍ତି ଫେରୁଥିଲେ ବି କେବେ କଟକଣା ସମ୍ପୂର୍ଣ୍ଣ ଉଠିବ, ସେନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ । ଶୂନଶାନ୍ ସାରା ଇଲାକା...ପଇଁତରା ମାରୁଛି ପୋଲିସ । ମାଇକରେ କରାଯାଉଛି ସତର୍କ... ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ଉଦ୍ଦେଶ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଶାସନ ଜାରି କରିଥିବା କର୍ଫ୍ୟୁ ପରର ଚିତ୍ର ଅତ୍ୟନ୍ତ ନିଶବ୍ଦ ।

ଅଧିକ ପଢ଼ନ୍ତୁ: କର୍ଫ୍ୟୁ କବଳିତ ବାଲେଶ୍ୱରରେ ଦହଗଞ୍ଜ ଜନତା; ଭୋକରେ ଲୋକେ, ମାତିଲେ କଳାବଜାରୀ

ଏହା ମନେ ପକାଇ ଦେଉଛି, କରୋନା ବେଳର କଥାକୁ... ଶୂନଶାନ ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ନପାଇ କିଏ ହନ୍ତସନ୍ତ ତ ଆଉ କିଏ ଦି’ମୁଠା ଖାଇବାକୁ ନପାଇ କଲବଲ । ପ୍ରଶାସନର କର୍ଫ୍ୟୁ କଟକଣାକୁ ହେଲାଣି ୩ ଦିନ । ଆଉ କର୍ଫ୍ୟୁ ମାଡ଼ରେ ସାଧାରଣ ଜନତା ଏବେ ଏଭଳି ହୀନସ୍ତା ହେଉଛନ୍ତି ।

ଦୋକାନ ବଜାର, ରାସ୍ତାଘାଟ ବନ୍ଦ ଥିବାରୁ ନା ଖାଇବାକୁ ପାଉଛନ୍ତି, ନା କୁଆଡ଼େ ଯାଇପାରୁଛନ୍ତି। ଶେଷରେ ବାଲେଶ୍ୱର ମେଡ଼ିକାଲ୍ ପରିସରରେ ଥିବା ୫ ଟଙ୍କିଆ ଆହାର କେନ୍ଦ୍ରରେ ଗରମ ଗୁଳୁଗୁଳି ଭିତରେ ଧନ୍ଦି ହେଉଛନ୍ତି ଦି’ ମୁଠା ଖାଦ୍ୟ ପାଇଁ । କେବଳ ଏତିକି ନୁହେଁ, କର୍ଫ୍ୟୁର ଫାଇଦା ନେଇ ବାଲେଶ୍ୱର ସହରରେ ଏବେ ସକ୍ରିୟ ହୋଇଛନ୍ତି ମୁନାଫାଖୋର୍ ବ୍ୟବସାୟୀ ।

ସୂଚନା ଅନୁସାରେ ଗତ ରବିବାର ସଂଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ସେହିଦିନ ରାତିରେ ଏହା ଉଗ୍ରରୂପ ନେଇଥିଲା । ଏପରିକି ପୋଲିସ ଉପରକୁ ବି ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପରଠାରୁ ଅନିର୍ଦ୍ଦିଷ୍ଟ କାଳ କର୍ଫ୍ୟୁ କବଳରେ ରହିଛି ସାରା ବାଲେଶ୍ୱର ସହର । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ ବାଲେଶ୍ୱରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ଜିଳ୍ଲାପାଳ । ମୁଖ୍ୟମନ୍ତ୍ରୀ ମଧ୍ୟ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସହ ବାଲେଶ୍ୱର ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜଧାନୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୮ମ ମହଲାରେ ଲାଗିଛି ନିଆଁ

OTV is now on Whatsapp

Join and get latest news update delivered to you via whatsapp

Join Now