• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ, କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ । ଆଜିକୁ ୩ ଦିନ ହୋଇଗଲା, କର୍ଫ୍ୟୁ କବଳରେ ସାରା ସହର । ବିଚ୍ଛିନ୍ନ ହୋଇଯାଇଛି ଇଣ୍ଟରନେଟ୍ । ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକେ ନାକେଦମ୍ ହେଉଥିବା ବେଳେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।

ସହରରେ ଧିରି ଧିରେ ଶାନ୍ତି ଫେରୁଥିଲେ ବି କେବେ କଟକଣା ସମ୍ପୂର୍ଣ୍ଣ ଉଠିବ, ସେନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ । ଶୂନଶାନ୍ ସାରା ଇଲାକା...ପଇଁତରା ମାରୁଛି ପୋଲିସ । ମାଇକରେ କରାଯାଉଛି ସତର୍କ... ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ଉଦ୍ଦେଶ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଶାସନ ଜାରି କରିଥିବା କର୍ଫ୍ୟୁ ପରର ଚିତ୍ର ଅତ୍ୟନ୍ତ ନିଶବ୍ଦ ।

ଏହା ମନେ ପକାଇ ଦେଉଛି, କରୋନା ବେଳର କଥାକୁ... ଶୂନଶାନ ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ନପାଇ କିଏ ହନ୍ତସନ୍ତ ତ ଆଉ କିଏ ଦି’ମୁଠା ଖାଇବାକୁ ନପାଇ କଲବଲ । ପ୍ରଶାସନର କର୍ଫ୍ୟୁ କଟକଣାକୁ ହେଲାଣି ୩ ଦିନ । ଆଉ କର୍ଫ୍ୟୁ ମାଡ଼ରେ ସାଧାରଣ ଜନତା ଏବେ ଏଭଳି ହୀନସ୍ତା ହେଉଛନ୍ତି ।

ଦୋକାନ ବଜାର, ରାସ୍ତାଘାଟ ବନ୍ଦ ଥିବାରୁ ନା ଖାଇବାକୁ ପାଉଛନ୍ତି, ନା କୁଆଡ଼େ ଯାଇପାରୁଛନ୍ତି। ଶେଷରେ ବାଲେଶ୍ୱର ମେଡ଼ିକାଲ୍ ପରିସରରେ ଥିବା ୫ ଟଙ୍କିଆ ଆହାର କେନ୍ଦ୍ରରେ ଗରମ ଗୁଳୁଗୁଳି ଭିତରେ ଧନ୍ଦି ହେଉଛନ୍ତି ଦି’ ମୁଠା ଖାଦ୍ୟ ପାଇଁ । କେବଳ ଏତିକି ନୁହେଁ, କର୍ଫ୍ୟୁର ଫାଇଦା ନେଇ ବାଲେଶ୍ୱର ସହରରେ ଏବେ ସକ୍ରିୟ ହୋଇଛନ୍ତି ମୁନାଫାଖୋର୍ ବ୍ୟବସାୟୀ ।

ବଢ଼ାଇ ଚାଲିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍। ଅପରପକ୍ଷେ ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ଗତ ୩ ଦିନ ହେଲା ଅକଳରେ ପଡ଼ିଯାଇଛନ୍ତି ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀ । ସେହିପରି ଜଣେ ଛାତ୍ର ହେଲେ ବିଜୟ ନାୟକ । ବ୍ୟାଙ୍କିଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଇଣ୍ଟରନେଟ୍ ନଥିବାରୁ ତାଙ୍କ ପରୀକ୍ଷା ପ୍ରସ୍ତୁତି ସମ୍ପୂର୍ଣ୍ଣ ପ୍ରଭାବିତ ।

ବିଜୟଙ୍କ ଭଳି ଅନଲାଇନରେ ପାଠପଢ଼ୁଥିବା ଏବଂ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀ ସମାନ ଦଶା ଭୋଗୁଛନ୍ତି । ଗତ ରବିବାର ସଂଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ସେହିଦିନ ରାତିରେ ଏହା ଉଗ୍ରରୂପ ନେଇଥିଲା । ଏପରିକି ପୋଲିସ ଉପରକୁ ବି ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା ।

ଏହା ପରଠାରୁ ଅନିର୍ଦ୍ଦିଷ୍ଟ କାଳ କର୍ଫ୍ୟୁ କବଳରେ ରହିଛି ସାରା ବାଲେଶ୍ୱର ସହର । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ ବାଲେଶ୍ୱରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ଜିଳ୍ଲାପାଳ । ମୁଖ୍ୟମନ୍ତ୍ରୀ ମଧ୍ୟ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସହ ବାଲେଶ୍ୱର ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ।

ସେପଟେ ଆସନ୍ତାକାଲିଠୁ କର୍ଫ୍ୟୁ କୋହଳ ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବା ସହ ଲିଜ୍ ଲାଇନରେ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି ।

କିନ୍ତୁ ମୋବାଇଲ୍ ନେଟୱର୍କରେ ଇଣ୍ଟରନେଟ ସୁବିଧା ମିଳିବ ନାହିଁ । ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଏସପି ସାଗରିକା ନାଥ, ଜିଲ୍ଲାପାଳ ଆଶିଷ ଠାକରେ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now