ସମ୍ବଲପୁର ଡେଭଲପମେଣ୍ଟ ଅଥୋରିଟି ଦ୍ୱାରା ୯୦ ଦଶକରେ ବିକ୍ରି ହୋଇଥିବା ପ୍ଲଟରେ ଫିଲିଂ ନାଁରେ ପକାଉଛି ଫ୍ଲାଏ ଆଶ୍ । ସହରର ଦୁର୍ଗାପାଲି ଅଞ୍ଚଳରେ ଜମି ମାଲିକଙ୍କ ବିରୋଧ ସତ୍ତ୍ୱେ ସମତୁଲ କରିବା ବାହାନାରେ ପାଉଁଶର ପାହାଡ ସୃଷ୍ଟି ହୋଇଛି । ପରିବେଶ ଆଇନର ଉଲଂଘନ କରି ପାଉଁଶ ପୋତା ଯାଉଥିବାରୁ ଆପତ୍ତି ଉଠାଇ ତାଗିଦ କରିଛି ବୋର୍ଡ । କେବଳ ଶିଳ୍ପ ଓ ପାଉଁଶ ପରିବହନକାରୀ ସଂସ୍ଥାକୁ ଲାଭ ଦେବା ପାଇଁ ଗ୍ରାହକଙ୍କ ସ୍ୱାର୍ଥକୁ ଏସଡିଏ ଜଳାଞ୍ଜଳି ଦେଇ ମନମୁଖୀ କାମ କରୁଛି ବୋଲି ଅଭିଯୋଗ କରିଛନ୍ତି କ୍ରେତା ।
ଲୋକଙ୍କ ସ୍ୱାର୍ଥକୁ ଭୁଲି କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା । ଲୋ ଲାଇନ୍ ଲ୍ୟାଣ୍ଡ ନାଁରେ ପୋତା ଚାଲିଛି ଶିଳ୍ପାନୁଷ୍ଠାନ ପାଉଁଶ । ଏ ହେଉଛି ସମ୍ବଲପୁର ଦୁର୍ଗାପାଲି ସ୍ଥିତ ପ୍ରକଳ୍ପ ଅଞ୍ଚଳ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟି ବା ଏସଡିଏ ଅଫିସ ଠାରୁ ଖୁବ୍ ନିକଟରେ ଚାଲିଛି ଫ୍ଲାଏ ଆଶ ଫିଲିଂ । ୧୯୯୬ ମସିହାରେ ସିଡିଏ ପକ୍ଷରୁ ପ୍ରାୟ ୧୦୦ଟି ପ୍ଲଟ୍ ଆବଣ୍ଟିତ ହୋଇଥିଲା ।
ଜମିକୁ ରାସ୍ତା ନିର୍ମାଣ କରି ଦେବାକୁ କୁହାଯାଇଥିଲା । ସେହି ସମୟରେ କେହି କେହି ନିଜ ଜମିରେ ପାଚେରୀ ବି କରିଥିଲେ । ହେଲେ ଏବେ ସେହି ଅଞ୍ଚଳର ଭୂଗୋଳ ସମ୍ପୂର୍ଣ୍ଣ ବଦଳି ଯାଇଛି । ଲୋକଙ୍କ ପ୍ଲଟରେ ଠିଆ ହୋଇଛି ପାଉଁଶ ପାହାଡ । ହୀରାକୁଦ ହିଣ୍ଡାଲକୋ କାରଖାନାରୁ ବାହାରୁଥିବା ପାଉଁଶରେ ଏହି ଅଞ୍ଚଳକୁ ପୋତାଯାଉଛି ।
Also Read
ଅଧିକ ପଢନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପାଉଁଶ ଫିଲିଂର କୌଣସି ଆବଶ୍ୟକତା ନ ଥିବା ବେଳେ କ୍ରେତାଙ୍କ ବିନା ଅନୁମତିରେ ସେମାନଙ୍କ ଜାଗା ପୋତା ଯାଉଛି । ମନ୍ତ୍ରୀ କହିଛନ୍ତି ଲୋ ଲାଇନ୍ ନାଁରେ ବିଭିନ୍ନ ସ୍ଥାନରେ ପାଉଁଶ ପକାଯାଉଛି । ଏହାର ପରିଭାଷା ସ୍ଥିର କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ- ରାତି ଏଠି ପୋତା ଚାଲିଛି ପାଉଁଶ ।
ଜମି କ୍ରେତାମାନେ ଏହାକୁ ବିରୋଧ କରି ଅଭିଯୋଗ ଜଣାଇଥିଲେ ମଧ୍ୟ ଏସଡିଏ ଶୁଣୁନଥିବା କହିଛନ୍ତି । କମ୍ପାନୀ ଓ ଠିକାଦାରଙ୍କ ଲାଭ ପାଇଁ ଏସଡିଏ ଏପରି କରୁଛି ବୋଲି ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପୂର୍ବତନ ଏସଡିଏ ଅଧ୍ୟକ୍ଷ କହିଛନ୍ତି, ଲୋକଙ୍କ ବିନା ଅନୁମତିରେ ତାଙ୍କ ଯାଗାକୁ ଏସଡିଏ ପାଉଁଶରେ ପୋତୁଛି । ବର୍ଷା ହେଲେ ସେହି ପାଉଁଶ ମହାନଦୀରେ ମିଶି ପାଣିକୁ ପ୍ରଦୂଷିତ କରୁଛି ।
ଖାଲ ଜମିକୁ ଯଦି ସମତୁଲ କରିବାର ଥିଲା, ତେବେ ମାଟି ବାଲି ପକାଇ ଫିଲିଂ କରାଯାଇ ପାରିଥାନ୍ତା । ଚିଠିକୁ ଏସଡିଏର ଉପାଧ୍ୟକ୍ଷ ଗତ ଅଗଷ୍ଟ ୨ ତାରିଖରେ ସେହି ଯାଗାକୁ ପାଉଁଶ ପକାଇ ପୋତିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ମଧ୍ୟ CTO ପ୍ରଦାନ କରିଥିଲା ।
ଏହାପରେ ହିଣ୍ଡାଲକୋ କମ୍ପାନୀ ପାଉଁଶ ପୋତିବା ଆରମ୍ଭ କରିଥିଲା । ଖାଲ ସ୍ଥାନକୁ ସମତୁଲ କରିବା ନାଁରେ ଧୀରେ ଧୀରେ ପାଉଁଶ ଗଦାଇ ପାହାଡ ସୃଷ୍ଟି କରିଥିଲା । ୪ ଫୁଟ ବଦଳରେ ୧୦ ଫୁଟ ଯାଏ ପାଉଁଶ ପୋତାଯାଇଛି । ଗତ ସେପ୍ଟେମ୍ୱର ୨୩ରେ ନିୟମର ଉଲଂଘନ ଦେଖିବାକୁ ପାଇଥିଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଗତ ୧୬ ତାରିଖ ପୁନଃ ଯାଂଚ ବେଳେ ପରିବେଶ ଆଇନ ଉଲଙ୍ଘନ ହୋଇଥିବା କହିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ । ଏସଡିଏର ଉପାଧ୍ୟକ୍ଷ ଅଭିଯୋଗକୁ ଅସ୍ୱୀକାର କରିବା ସହ ଲୋକଙ୍କ ସୁବିଧା ପାଇଁ ଏସବୁ କରାଯାଉଛି ବୋଲି କହିଛନ୍ତି ।