• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଳକୀଙ୍କ ଅବତାର ଦର୍ଶାଇ ନାବାଳକର ପାଦ ତଳେ ତୁଳସୀ ଥିବା ଭାଇରାଲ ଫଟୋକୁ ନେଇ ତେଜିଛି ବିବାଦ । କାଲି ଭୁବନେଶ୍ବର ଭରତପୁର ଥାନାରେ ଏତଲା ପରେ ଆଜି ପିଲାଟି ରହୁଥିବା ଖଣ୍ଡଗିରି ଅଞ୍ଚଳର ଆଶ୍ରମ ଆଗରେ ହୋଇଛି ହଲ୍ଲାପଟା । ଆଶ୍ରମ ସଭାପତି ଫଟୋଟି ୧୦ ବର୍ଷ ତଳର ବୋଲି କହିବା ସହ ରଖିଛନ୍ତି ଅଜବ ଯୁକ୍ତି । ତେଣେ ରାଜ୍ୟ ସମାଜସେବୀ ମହାସଂଘର ଅଭିଯୋଗ ପରେ ପୋଲିସ୍ ପହଞ୍ଚି ଚଳାଇଛି ତନାଘନା ।

ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ଜଣେ ନାବାଳକର ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ । ଏଣେ ଆଜି ଦିନ ତମାମ ବି ନାବାଳକ ବାବା ରହୁଥିବା ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳର ବୈକୁଣ୍ଠଧାମ ଆଶ୍ରମ ଆଗରେ ଲାଗି ରହିଥିଲା ତୁ ତୁ ମେ ମେ ଓ କଥା କଟାକଟି ।

ସେପଟେ ତୁଳସୀଙ୍କୁ ଅସମ୍ମାନ, ଆତ୍ମଘୋଷିତ ବାବାଙ୍କ ଦ୍ବାରା ହିନ୍ଦୁ ଧର୍ମକୁ କୁଠାରଘାତ ଓ ବୈକୁଣ୍ଠଧାମ ଆଶ୍ରମ ଜମି କେଳେଙ୍କାରୀ ଆଦି ପ୍ରସଙ୍ଗରେ ଭରତପୁର ଥାନାରେ ଗତକାଲି ରାଜ୍ୟ ସମାଜସେବୀ ମହାସଂଘର ଏତଲା କ୍ରମେ ପୋଲିସ ଆଜି ଆଶ୍ରମକୁ ଯାଇ ଖୋଳତାଡ଼ କରିଛି । ତେବେ ଏହି ମାମଲାରେ ଭୁବନେଶ୍ୱର ଡିସିପି କହିଛନ୍ତି- ତଦନ୍ତ ଚାଲିଛି ପ୍ରମାଣ ମିଳିଲେ ଆକ୍ସନ ହେବ ।

ଅଧିକ ପଢ଼ନ୍ତୁ: ବିଜେପି ଅନାସ୍ଥା ଅସ୍ତ୍ରରେ ପୁଣି ଚିତପଟାଙ୍ଗ ବିଜେଡି, ହାତରୁ ଗଲା ଢେଙ୍କାନାଳ ସଦର ବ୍ଲକ

ତେବେ ଏଠି ପ୍ରଶ୍ନ ଫଟୋରେ ଥିବା ନାବାଳକ କିଏ ? ତାଙ୍କ ପାଦ ତଳେ ତୁଳସୀ କିଏ ରଖିଲା ? ତାଙ୍କ ପରିବାର ଲୋକେ ନା ଅନୁଗାମୀ ? ଏଥିସହ ତାଙ୍କୁ କଳକୀ ଅବତାର ଭାବେ ଚିତ୍ରଣ କରୁଛି କିଏ ? ଏସବୁ ମାଳ ମାଳ ପ୍ରଶ୍ନ ଭିତରେ ସମାଜସେବୀ ମହାସଂଘର ଏତଲା ତଥ୍ୟ ଅନୁସାରେ- ଉକ୍ତ ନାବାଳକ ଜଣକ, ବୈକୁଣ୍ଠଧାମ ଆଶ୍ରମରେ ରହୁଥିବା କାଶୀନାଥ ମିଶ୍ର ନାମକ ଭାଷ୍ୟକାରଙ୍କ ପୁଅ । ଏବେ ରାଜଧାନୀର ପଟିଆସ୍ଥିତ ଏକ ଘରୋଇ କଲେଜର ଛାତ୍ର । ଯଦିଓ ଫଟୋକୁ ନେଇ ନାବାଳକ କି ତାଙ୍କ ବାପା କାଶୀନାଥଙ୍କ ପ୍ରତିକ୍ରିୟା ମିଳିନି, ତେବେ ବୈକୁଣ୍ଠଧାମ ଆଶ୍ରମ ସଭାପତିଙ୍କ ଯୁକ୍ତି- ମାଳିକା କଥା ଅନୁସାରେ ଫଟୋରେ ଥିବା ନାବାଳକ କଳକୀଙ୍କ ଅବତାର । ସେ ଯାଜପୁରରେ ଜନ୍ମ ହୋଇଥିବାବେଳେ ଗୁପ୍ତ ଖଣ୍ଡଗିରିରେ ବାସ କରୁଛନ୍ତି । ଯେଉଁ ଫଟୋକୁ ନେଇ ବିବାଦ ହେଉଛି, ତାହା ବି ତାଙ୍କର । ତେବେ ତାଙ୍କ ପାଦରେ ଯେଉଁ ତୁଳସୀ ରଖାଯାଇଛି, ତାହା ୧୦ ବର୍ଷ ତଳର । ଏବେ ଆଉ ପାଦରେ ନୁହେଁ ବରଂ ବାବାଙ୍କ ମୁଣ୍ଡରେ ତୁଳସୀ ଲାଗି କରାଯାଉଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ କେତେ ହାତୀ ? ୪୮ ବନଖଣ୍ଡରେ ଚାଲିଛି ଗଣନା

ଅନ୍ୟପଟେ ସ୍ଥାନୀୟ ଲୋକେ ଆଶ୍ରମ ସଭାପତିଙ୍କୁ ଆଜି ଘେରିବା ସହ- ଧର୍ମ ନାଁରେ ସେ ଲୋକଙ୍କୁ ମିଛ ଗପ ଶୁଣାଇ ଭୟଭୀତ କରାଉଥିବା ଅଭିଯୋଗ ଆଣିଛନ୍ତି । ଏମିତିକି ସେ ପିଲାଟି କେଟିଏମ୍ ବାଇକ୍ ଧରି ବୁଲିବା ସହ ଜିନ୍ସ ପ୍ୟାଣ୍ଟ ପିନ୍ଧି କଲେଜ ଯାଉଥିବା ଦେଖିଛନ୍ତି । ଯାହାର ପ୍ରମାଣ ସ୍ବରୂପ ଆଶ୍ରମ ପରିସରରେ ଏକ କେଟିଏମ୍ ବାଇକ୍ ଘୋଡ଼ାଯାଇ ରଖାଯାଇଥିବା ଦେଖିବାକୁ ମିଳିଛି । ତେଣୁ ବାବାଙ୍କ ନାଁରେ ଭାଣ୍ଡାମୀର ପର୍ଦ୍ଦାଫାସ୍ ହେଉ ବୋଲି ସେମାନେ ଦାବି କରିଛନ୍ତି ।

ସେପଟେ ଖଣ୍ଡଗିରି ଅଞ୍ଚଳର ଏ ଘଟଣାକୁ ନେଇ ସବୁଠି ପ୍ରକାଶ ପାଇଲାଣି କଡ଼ା ପ୍ରତିକ୍ରିୟା । ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି- କୌଣସି ମଣିଷ ପାଦରେ ତୁଳସୀ ରଖିବା ହିନ୍ଦୁ ଧର୍ମ ଓ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ । ସେପଟେ ହେତୁବାଦୀଙ୍କ ମତରେ ଧର୍ମକୁ ବ୍ୟବହାର କରି ଅର୍ଥ ଉପାର୍ଜନର ଏହା ଏକ ଶସ୍ତା ବାଟ। ଏଥିରୁ କ୍ଷାନ୍ତ ରହିବା ଉଚିତ୍ । ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ସନ୍ତୋଷ ରାଉଳ ଓରଫ ସାରଥୀ ନାମକ ଜଣେ ଆତ୍ମଘୋଷିତ ଧର୍ମଗୁରୁ ନିଜ ପାଦରେ ତୁଳସୀ ରଖିବାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା । ଆଉ ଏବେ ଜଣେ ନାବାଳକ ସେ ବାଟରେ ।

  • Reported by:
  • PRADEEP MAHANTY , BIBARTAN PANDA

OTV is now on Whatsapp

Join and get latest news update delivered to you via whatsapp

Join Now