• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯାତ୍ରାରେ ଅଶ୍ଳୀଳତାକୁ ନେଇ ଯାତ୍ରା ମାଲିକ ଓ କମିଟି ତୁତୁ ମେମେ । ମଂଚରେ ଅଙ୍ଗ ପ୍ରଦର୍ଶନ ସୀମା ଟପୁଥିବା ବେଳେ ଏଥିପାଇଁ ଯାତ୍ରା କମିଟିକୁ ଦୋଷ ଦେଇଥିଲେ ମାଲିକ । ଆଜି ଯାତ୍ରା ମାଲିକଙ୍କ ଉପରେ ପାଲଟା ଦୋଷ ଲଦିଛି କମିଟି । ଆଇନ୍ ମନ୍ତ୍ରୀଙ୍କୁ ଭେଟି ଯାତ୍ରା ପରିବେଷଣ ନେଇ ଏସଓପି ଆଣିବାକୁ ଦାବି କରିଛି ଯାତ୍ରା କମିଟି ମହାସଂଘ । ଆଇନମନ୍ତ୍ରୀ ବି କହିଛନ୍ତି, ଯାତ୍ରାରେ ଅଶ୍ଳୀଳତାକୁ ଆଦୌ ପ୍ରଶ୍ରୟ ଦିଆଯିବନି

ଯାତ୍ରା ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ! ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛି କିଏ ? ଯାତ୍ରା ମାଲିକ ନା ଯାତ୍ରା କମିଟି? ଯାତ୍ରା ମାଲିକ ହୁଅନ୍ତୁ କି ଯାତ୍ରା କମିଟି, ବ୍ୟାବସାୟିକ ଲାଭ ପାଇଁ ମଂଚରେ ସୀମା ଟପିଲାଣି ଅଶ୍ଳୀଳତା । ଭଲ କାହାଣୀ ପଛ, ଏବେ ମେଲୋଡି ଓ ରେକର୍ଡ ଡାନ୍ସ ଯାତ୍ରାର ସବୁକିଛି । ରେକର୍ଡ ଡାନ୍ସ ତ ନୁହେଁ, ନେକେଡ୍ ଡାନ୍ସ ।

ଅଙ୍ଗ ପ୍ରଦର୍ଶନ ସାଜିଛି ଯାତ୍ରାର ସବୁଠୁ ବଡ଼ ୟୁଏସପି । ତେଣୁ ଏଥିରେ ରୋକ୍ ଲଗାଇ ଓଡ଼ିଆ ସଂସ୍କୃତି ବଂଚାଇବାକୁ ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ଯାତ୍ରା କମିଟି ମହାସଂଘ । ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରାଯାଉଥିବା ଅଭିଯୋଗ ଆଣି ଯାତ୍ରା ପରିବେଷଣ ପାଇଁ ସ୍ୱତନ୍ତ୍ର ନିୟମ ଆଣିବାକୁ ସଂଘ ଦାବି କରିଛି ।

ଏଥିସହ ଯାତ୍ରାରେ ଅଶ୍ଳୀଳତା, ଦ୍ୱିଅର୍ଥବୋଧକ ଡାଏଲଗ୍ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବାଦ୍ ଦେବା ନେଇ ୭ ଦଫା ଦାବିପତ୍ର ପ୍ରଦାନ କରିଛି । କଳାକାରଙ୍କ ଅହେତୁକ ପାଉଣା ଦାବି ଓ ଯାତ୍ରା ପରିବେଷଣ ସାମଗ୍ରୀର ଦରବୃଦ୍ଧି, ପରୋକ୍ଷରେ ଯାତ୍ରାରେ ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳତା ଦେଖାଇବାକୁ ଏକପ୍ରକାର ବାଧ୍ୟ କରୁଥିବା କହିଛନ୍ତି ମାଲିକ ।

ଅନ୍ୟପଟେ ଯାତ୍ରା କଳାକାରଙ୍କ କହିବା ହେଉଛି, ଟାଲେଣ୍ଟ ନଥାଇ ରାତାରାତି ନାଁ କମାଇବାକୁ ଚାହୁଁଛନ୍ତି କିଛି କଳାକାର । ସେମାନେ ହିଁ ଯାତ୍ରା ମଂଚକୁ ବଦନାମ କରୁଛନ୍ତି । ଏପଟେ ଯାତ୍ରାରେ ଅଶ୍ଲୀଳତା ପ୍ରଦର୍ଶନ କରି ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବାକୁ ପ୍ରଶ୍ରୟ ଦିଆଯିବନି ବୋଲି ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସଂସ୍କୃତି ମନ୍ତ୍ରୀ ବି କହିସାରିଛନ୍ତି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ଖୁବଶୀଘ୍ର ଆସିବ ନିର୍ଦ୍ଦେଶାବଳୀ । ଯାତ୍ରାରେ ବଢିଚାଲିଥିବା ଅଙ୍ଗ ପ୍ରଦର୍ଶନ ଟ୍ରେଣ୍ଡ ପାଲଟିଗଲାଣି । ଯାହା ଓଡିଆ କଳା ସଂସ୍କୃତି ଓ କଳା ପ୍ରତି ରୁଚି ରଖୁଥିବା ଦର୍ଶକଙ୍କ ଭାବନାକୁ କୁଠାରଘାତ କରୁଛି । ଏଥିରେ ତୁରନ୍ତ ଲଗାମ ଲଗାଇବା ଜରୁରି ।

OTV is now on Whatsapp

Join and get latest news update delivered to you via whatsapp

Join Now