Foreigner Enters Puri Srimandir: ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି, ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା

ଅଣହିନ୍ଦୁ ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ବ୍ୟାରିକେଡ୍ ବାହାରେ ଛାଡ଼ିଥିବା ସୂଚନା ମିଳିଛି ।

ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା

ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା । ଶ୍ରୀମନ୍ଦିରର ସବୁ ସୁରକ୍ଷା ବ୍ୟବସ୍ଥା ଭେଦି ମନ୍ଦିରର ଗୁମୁଟ ପର୍ଯ୍ୟନ୍ତ ମହିଳାଜଣକ ପଳାଇଥିଲେ । ଲୋକଙ୍କ ଭିଡ଼ ଭିତରେ ଶ୍ରୀମନ୍ଦିର ଭିତରକୁ ପଶିଗଲେ ଜଣେ ଅଣହିନ୍ଦୁ ମହିଳା । ପରେ ସଂପୃକ୍ତ ମହିଳାଙ୍କୁ ମନ୍ଦିରରୁ ଧରିଛି ଜଗନ୍ନାଥ ଟେମ୍ପୁଲ ପୋଲିସ । ଅଣହିନ୍ଦୁ ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ବ୍ୟାରିକେଡ୍ ବାହାରେ ଛାଡ଼ିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଶ୍ରୀମନ୍ଦିରରେ ବାରମ୍ବାର ଅଣହିନ୍ଦୁ ପ୍ରବେଶ ପରେ ଚଳିତ ବର୍ଷ ଏପ୍ରିଲ ୧୪ରୁ ଆରମ୍ଭ ହୋଇଥିଲା ସିଂହଦ୍ୱାର ପ୍ରତିହାରୀ ସେବାର ପ୍ରଚଳନ । ଅଣହିନ୍ଦୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ଦ୍ୱାର ଫିଟା ସମୟରେ ଦୁଇଜଣ ଓ ସନ୍ଧ୍ୟାରେ ଆଳତୀ ସମୟରେ ୨ଜଣ ପ୍ରତିହାରୀ ସେବକ ମୁତୟନ ରହିବେ ‍ବୋଲି କୁହାଯାଇଥିଲା । ନିକଟ ଅତୀତରେ ବାରମ୍ବାର ଅଣହିନ୍ଦୁ ମାନଙ୍କର ଶ୍ରୀମନ୍ଦିର ପ୍ରବେଶ ଓ ସେଥିଯୋଗୁଁ ନୀତିକାନ୍ତି ପ୍ରଭାବିତ ହେବା ଘଟଣା ସାମ୍ନାକୁ ଆସିବା ପରେ, ପ୍ରତିହାରୀ ନିଯୋଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

ଅଧିକ ପଢ଼ନ୍ତୁ: କାଲିଠୁ ଥିଲେ ନିଖୋଜ, ଆଜି ମହାନଦୀରୁ ମିଳିଲା ଷଷ୍ଠ ଶ୍ରେଣୀ ଛାତ୍ରର ମୃତଦେହ

ପୂର୍ବକାଳରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରତିହାରୀ ସେବକମାନେ ଦାୟିତ୍ୱ ନିର୍ବାହ କରୁଥିଲେ । ତେବେ କାଳକ୍ରମେ ସିଂହଦ୍ୱାର ପ୍ରତିହାରୀ ସେବା ବନ୍ଦ ହୋଇଯାଇଥିଲା ଏବଂ ସେମାନେ କେବଳ ଶ୍ରୀମନ୍ଦିର ଭିତରେ ଏବଂ ରଥଯାତ୍ରା ସମୟରେ ସେବା ଯୋଗାଉଥିଲେ। ତେବେ ଅଣହିନ୍ଦୁଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ପ୍ରବେଶରୁ ରୋକିବା ପାଇଁ ସିଂହଦ୍ୱାର ପ୍ରତିହାରୀ ସେବାର ପୁନଃପ୍ରଚଳନ ହୋଇଥିଲା ।

ସେପଟେ ଆଜି ଧର୍ମ ମାସ କାର୍ତ୍ତିକ ମହାପଞ୍ଚୁକର ପ୍ରଥମ ଦିନ । ପଞ୍ଚୁକର ପ୍ରଥମ ଦିନରେ ବ୍ରତ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରି ବିମୁଗ୍ଧ ହେଲେ । କିନ୍ତୁ ଅସମ୍ଭବ ଭିଡ଼ ଲମ୍ବାଧାଡ଼ି, ବିଳମ୍ବିତ ନୀତିକାନ୍ତି ପାଇଁ ଦର୍ଶନ ବ୍ୟବସ୍ଥା ପ୍ରଭାବିତ ହୋଇଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ହୋଇପାରିଲା ନାହିଁ ।

କାର୍ତ୍ତିକ ମାସର ମହାପଞ୍ଚୁକ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ମରଚିକୋଟ ଛକ ଠାରୁ ସିଂହଦ୍ବାର ସମ୍ମୁଖ ପର୍ଯ୍ୟନ୍ତ ଲାଗିଛି ଲମ୍ବା ଧାଡ଼ି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛନ୍ତି ଭକ୍ତ। କେତେବେଳେ ତାଙ୍କର ସମୟ ଆସିବ ଆଉ ଚର୍ମ ଚକ୍ଷୁରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ଲାଗି ଆଜି ବଡ଼ି ଭୋରରୁ ଶ୍ରୀମନ୍ଦିରରେ ଭିଡ଼ ଲାଗିଛି । ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଧାଡ଼ି ମାଧ୍ୟମରେ ପ୍ରବେଶ ସୁଯୋଗ ମିଳୁଥିବା ବେଳେ ଏପଟେ ଗୋପାଳ ବଲ୍ଲଭ ନୀତି ଲାଗି ଗୋଟିଏ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । ଫଳରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୋଗୁଁ ଭକ୍ତଙ୍କ ଲମ୍ବା ଧାଡ଼ି ମାର୍କେଟ୍ ଛକ ପର୍ଯ୍ୟନ୍ତ ଲମ୍ବି ରହିଥିଲା। ଭକ୍ତମାନେ ଦୀର୍ଘ ସମୟ ଧାଡ଼ି ଛିଡ଼ା ହୋଇ ରହିଥିଲେ ।

ସେପଟେ ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଛି। ଏଥର ତିଥି କ୍ଷୟ ଯୋଗୁ ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ । ତେଣୁ ଭକ୍ତଙ୍କୁ ୪ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ । ପଞ୍ଚୁକ ଭିଡ଼କୁ ଦୃଷ୍ଟିରେ ରଖି ଆଜିଠୁ କାର୍ତ୍ତିକ ପୂର୍ଣ୍ଣମା ପର୍ଯ୍ୟନ୍ତ କେବଳ ସିଂହଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ଶ୍ରୀଜିଉଙ୍କ ଦର୍ଶନ ସାରି ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଏନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୋସିଆଲ ମିଡିଆରେ ଦେଇଛନ୍ତି ସୂଚନା । ପଞ୍ଚୁକ ଭିଡ଼ ନିୟନ୍ତ୍ରଣ ଓ ଦର୍ଶନ ଶୃଙ୍ଖଳା ପାଇଁ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ; ହୁତୁହୁତୁ ହୋଇ ଜଳିଗଲା କପଡ଼ା ଗୋଦାମ