IAS Bishnupada Sethi: ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ, OSD ଭାବେ ବଦଳି କଲେ ରାଜ୍ୟ ସରକାର

ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ ।

ହଟିଲେ ବିଷ୍ଣୁ

IAS ବିଷ୍ଣୁପଦ ସେଠୀଙ୍କୁ ବଦଳି କଲେ ରାଜ୍ୟ ସରକାର । ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଓଏସଡି ଭାବେ ନିଯୁକ୍ତି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ । ସେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ଦାୟିତ୍ବରେ ଥିଲେ । ST/SC, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ବରେ ମଧ୍ୟ ଥିଲେ ବିଷ୍ଣୁପଦ। ତେବେ ସିବିଆଇ ସମନକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ, ତାଙ୍କୁ ପଦରୁ ହଟାଇଛନ୍ତି ରାଜ୍ୟ ସରକାର ।

ସେପଟେ ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ । ୨୦୦୬ ବ୍ୟାଚର IAS, ଇଣ୍ଟର-କ୍ୟାଡର୍ ଡେପୁଟେସନରେ ଆସିଛନ୍ତି ମନୋଜ ।

ସେପଟେ ବିଷ୍ଣୁପଦ ସେଠୀ ଏବେ କେଉଁଠି ? ସମନ ପରଠୁ ନା CBIରେ ହାଜର ହୋଇଛନ୍ତି ନା ଗଣମାଧ୍ୟମ ଆଗରେ ମୁହଁ ଖୋଲୁଛନ୍ତି । ଏହାରି ଭିତରେ ଓଟିଭିକୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତାକାଲି ଦିନ ୧୨ଟା ଭିତରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱରସ୍ଥିତ CBI ଅଫିସରେରେ ହାଜର ପାଇଁ କୁହାଯାଇଛି । ଯଦିଓ ସେ ଦିଲ୍ଲୀରେ ହାଜର ହେବାକୁ ଚିଠି ଲେଖି ଜଣାଇଥିଲେ । ପୂରା ମାମଲାକୁ ନେଇ ବିଜେଡି ରାଜ୍ୟ ସରକାରକୁ ଟାର୍ଗେଟ୍ କରିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି, ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ: ଧାନ କିଣାରେ ବାଧା ସାଜିଛି FAQ ମାନ ! ମଣ୍ଡିରେ ବିକି ପାରୁନଥିବାରୁ ଦଲାଲ ଖୋଜିଲେଣି ଚାଷୀ !

ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ । ଆସନ୍ତାକାଲି ଦିନ ୧୨ଟା ଯାଏଁ ଡେଡଲାଇନ୍। ତା ପୂର୍ବରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ସିବିଆଇର କଡ଼ା ନିର୍ଦ୍ଦେଶ। ଏଣେ ବ୍ରିଜ୍‌ ଆଣ୍ଡ ରୁଫ୍ ଜିଏମଙ୍କୁ ବି ସିବିଆଇର ମାରାଥନ ଜେରା । ସୂଚନା ଅନୁସାରେ ବ୍ରିଜ୍ ଆଣ୍ଡ ରୁଫ୍ ଲିଙ୍କରେ ସମନ ପରେ ଭୁବନେଶ୍ୱର ପରିବର୍ତ୍ତେ ଦିଲ୍ଲୀ ସିବିଆଇ ଅଫିସରେ ହାଜର ହେବାକୁ ଚିଠି ଲେଖି ଜଣାଇଥିଲେ ବିଷ୍ଣୁପଦ । ଏମିତି କି ସିବିଆଇ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଥିଲେ । କିନ୍ତୁ ସିବିଆଇ ପକ୍ଷରୁ ସେଠାରେ ହାଜର ହେବାକୁ ସଫା ସଫା ମନା କରାଯାଇଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ଭୁବନେଶ୍ୱରରେ ଥିବାରୁ ତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ହିଁ ହାଜର ହେବାକୁ କୁହାଯାଇଛି । ସୂଚନା ଅନୁସାରେ ଆସନ୍ତାକାଲି ଦିନ ୧୨ଟା ସୁଦ୍ଧା ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ୩ ଅଭିଯୁକ୍ତଙ୍କ ରିମାଣ୍ଡ ସରିବା ପରେ ବି ଖୋଳତାଡ଼ ଜାରି ରଖିଛି ସିବିଆଇ । ଆଜି ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଏମ୍ ବିକେ ସିଂଙ୍କୁ ଜେରା କରାଯାଇଛି । ଗତ ୫ ତାରିଖରେ ବିଷ୍ଣୁପଦ ସେଠୀ ଏବଂ ବ୍ରିଜ ଆଣ୍ଡ ରୁଫ୍ କଂପାନୀର GGM ଚଞ୍ଚଲ ମୁଖାର୍ଜୀଙ୍କ ସାକ୍ଷାତ ସମୟରେ ବିକେ ସିଂ ମଧ୍ୟ ଉପସ୍ଥିତ ଥିଲେ ।

ଏଣେ ବିଷ୍ଣୁପଦଙ୍କୁ ସିବିଆଇ ସମନ ନେଇ ବିବାଦ ଓ ରାଜନୀତି ତେଜିବାରେ ଲାଗିଛି। ବିଜେଡି କହିଛି ଅନେକ ସିବିଆଇ ମାମଲା ବିଳମ୍ବ ହୋଇଛି, ହେଲେ ଏଇ ମାମଲାରେ ତାରିଖ ପରେ ତାରିଖ ନଗଡ଼ି କାର୍ଯ୍ୟାନୁଷ୍ଠାନ ହେଉ । ବିଜେଡି ସରକାରରେ ଜିରୋ ଟଲେରାନ୍ସ ନୀତିରେ ୩ରୁ ୪ ଆଇଏଏସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ନୂଆ ସରକାର ଯଦି ଜିରୋ ଟଲେରାନ୍ସ ନୀତି କଥା କହୁଛନ୍ତି ତା ହେଲେ କାର୍ଯ୍ୟାନୁଷ୍ଠାନ କରନ୍ତୁ । ଏହା ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ସରକାର ଚିନ୍ତା କରିବେ । ଆମେ ଆରମ୍ଭରୁ କହିଛୁ ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳ ନୀତି ରହିଛି । ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସବୁ ଭିତରେ ଅପେକ୍ଷା କେବେ ସିବିଆଇରେ ହାଜର ହେବେ ଆଇଏଏସ ବିଷ୍ଣୁପଦ ସେଠୀ ? ଆଉ ସିବିଆଇକୁ ଦେବେ କେଉଁ ତଥ୍ୟ ?

ଅଧିକ ପଢ଼ନ୍ତୁ: ଭୋକିଲା ବୁଲୁଛି ବାଘୁଣୀ ଜିନତ୍, ଝାଡ଼ଖଣ୍ଡରୁ ଶିମିଳିପାଳ ଫେରିବ କେମିତି...ବଢିଲା ଚିନ୍ତା