• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଶ୍ରୀମନ୍ଦିରରେ ଉପରେ ଆଉ ଉଡ଼ି ପାରିବନି ଗୁଇନ୍ଦା ଡ୍ରୋନ୍ । ନୀଳଚକ୍ର ଉପରୁ ଥାଇ ବେଆଇନ୍ ଭାବେ ଉତ୍ତୋଳନ କରି ହେବନି ଜଗନ୍ନାଥ ମନ୍ଦିର କି ବେଢ଼ାର ଚିତ୍ର । କେହି ଅମାନିଆ ହୋଇ ଡ୍ରୋନ୍ ଉଡ଼ାଇଲେ, ଧାଏଁ କରି ଖସାଇ ଦେବେ ସୁରକ୍ଷାକର୍ମୀ । ଭାରତ-ପାକିସ୍ତାନ ଯୁଦ୍ଧ ପରଠୁ ଦେଶରେ ସୃଷ୍ଟି ହୋଇଥିବା ଉତ୍ତେଜନାତ୍ମକ ସ୍ଥିତି ହେଉ ଅବା ଉଗ୍ରବାଦୀଙ୍କ ଟାର୍ଗେଟ୍ କିମ୍ବା ଗୁପ୍ତଚରୀ ଲକ୍ଷ୍ୟ । ଏସବୁରୁ ଜଗନ୍ନାଥ ମନ୍ଦିରକୁ ସୁରକ୍ଷା ଦେବାକୁ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ୍ । 

ପ୍ରତିରକ୍ଷା ବିଭାଗର ବିଭିନ୍ନ ସେଟ୍ ଅପରେ ଯେପରି ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର ହୁଏ, ପୁରୀରେ ବି ସେମିତି ଢଙ୍ଗରେ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ଆପଣାଇବାକୁ ବିଚାର ଚାଲିଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ସୂଚାଇଛନ୍ତି- ଏନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ୍ ବିଭାଗ । ଦରକାର ପଡ଼ିଲେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଖରୁ ଅର୍ଥ ବି ଯୋଗାଡ଼ ହେବ । 

Also Read

ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ 'ଲିଗାସୀ' ଗୋଟି, କାହା ପଲା ଭାରି

ଦେଶର ଅନ୍ୟ ପ୍ରମୁଖ ଧାର୍ମିକସ୍ଥଳୀଙ୍କ ଭଳି ଆତଙ୍କୀଙ୍କ ଟାର୍ଗେଟରେ ରହିଛି ପୁରୀ ଜଗନ୍ନାଥ ମନ୍ଦିର । ଆକାଶମାର୍ଗରୁ ଆକ୍ରମଣର ଭୟ ଅଧିକ ଥିବାରୁ ରାଜ୍ୟ ସରକାର ବହୁ ଆଗରୁ ଶ୍ରୀମନ୍ଦିର ୧୦୦ ମିଟର ପରିଧିକୁ No Flying zone ଘୋଷଣା ମଧ୍ୟ କରିଛନ୍ତି । ଏମିତିକି ଏଠି ଡ୍ରୋନ୍ ଉଡ଼ାଇବା ଉପରେ DGCAର ବି କଟକଣା ରହିଛି । ତାସତ୍ତ୍ବେ ମାତୁଛନ୍ତି ଅମାନିଆ। କେତେବେଳେ ଫଟୋ ତ କେତେବେଳେ ଭିଡ଼ିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରୁଛନ୍ତି ୟୁ-ଟ୍ୟୁବର୍ସ ଓ ଇନଫ୍ଲୁଏନର୍ସ । 

ପାକିସ୍ତାନ ପାଇଁ ଗୁପ୍ତଚରି କରି ନିକଟରେ ଗିରଫ ହୋଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ହରିୟାଣାର ଜ୍ୟୋତି ମାଲହୋତ୍ରା ଶ୍ରୀକ୍ଷେତ୍ର ଆସିବା ଓ ପୁରୀର ପ୍ରିୟଙ୍କା ସେନାପତି ନାମ୍ନୀ ଜଣେ ୟୁ-ଟ୍ୟୁବର୍ସଙ୍କ ସହ ମିଶି ଗତବର୍ଷ ସେପ୍ଟେମ୍ବରରେ ଶ୍ରୀମନ୍ଦିରର ଉପରେ ଡ୍ରୋନ୍ ଉଡ଼ାଇଥିବାର ଅଭିଯୋଗ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । 

ତେବେ ଡ୍ରୋନରେ ଉତ୍ତୋଳିତ ଭିଡ଼ିଓ ସେମାନେ କାହାକୁ ଦେଇଛନ୍ତି ? କାହା ପ୍ରରୋଚନାରେ ଡ୍ରୋନ୍ ଉଡ଼ାଇଛନ୍ତି ? ଏବେ ଏସବୁର ଉତ୍ତର ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଶ୍ରୀମନ୍ଦିର ଉପରେ ବେଆଇନ୍ ଡ୍ରୋନ୍ ଉଡ଼ିବା ନୂଆ ନୁହେଁ। ବହୁବାର ଏଭଳି ଘଟଣା ନଜରକୁ ଆସିଛି, ମାତ୍ର ଆକ୍ସନ ଶୂନ୍। ଏମିତିକି ୨ବର୍ଷ ତଳେ ୟୁଟ୍ୟୁବର ଆନିମେଶ ଚକ୍ରବର୍ତ୍ତୀ ଡ୍ରୋନ୍ ଉଡ଼ାଇ ଗିରଫ ହୋଇଥିଲେ । ହେଲେ ତାଙ୍କୁ ତୁରନ୍ତ ବେଲ୍ ମିଳିଯାଇଥିଲା । ଯେହେତୁ ଏଥିପାଇଁ କଡ଼ା ଦଣ୍ଡ ବ୍ୟବସ୍ଥା ନାହିଁ, ତେଣୁ ବେଆଇନ୍ ଡ୍ରୋନ୍ ଉଡ଼ାଣକୁ ରୋକାଯାଇ ପାରୁନଥିବା କହିଛନ୍ତି ଶ୍ରୀମନ୍ଦିର ସେବାୟତ। ଏଥିପାଇଁ ଉଭୟ ଶ୍ରୀମନ୍ଦିର ଆଇନ ଓ ମାନୁଆଲରେ ପରିବର୍ତ୍ତନ ପାଇଁ ସେମାନେ ଦାବି କଲେଣି ।

ଏପଟେ ଗତ ୧୨ ତାରିଖରୁ ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ହୋଇଛି ରକ୍ଷକ ଭେଇକିଲ୍ । ଯାହାକୁ ସହଯୋଗ କରୁଛନ୍ତି ସଶସ୍ତ୍ର ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ନେଇ ସ୍ପେଶିଆଲ୍ ଟାକ୍ଟିକାଲ୍ ୟୁନିଟ୍ ବା ଷ୍ଟ୍ରୁ । ଏହା ଶ୍ରୀମନ୍ଦିରକୁ କୌଣସି ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିପାରିବ ।

ଅଧିକ ପଢ଼ନ୍ତୁ: ବିଜେପିରେ ମିଶିଯିବ କି ବିଜେଡି, କାହିଁକି ଏ ମେଳି ?

ଓଟିଭି ବିଜ୍ଞାପନ