ଅଧାରେ ଅଟକିଛି ବାଲେଶ୍ବର ବାସୀଙ୍କ ଏମ୍ସ ସ୍ବପ୍ନ । ଅଢେଇ ବର୍ଷ ତଳୁ ଏମ୍ସ ସାଟେଲାଇଟ୍ ସେଣ୍ଟର କାର୍ଯ୍ୟକାରୀ ହୋଇଥିବାବେଳେ ଆଜି ବି କେବଳ ଓପିଡି ସେବାରେ ସୀମିତ । ତା ପୁଣି ସପ୍ତାହକରେ କେବଳ ଦୁଇଦିନ । ମେଡିସିନ ଷ୍ଟୋର ନାହିଁ କି ନିୟମିତ ଡାକ୍ତର ଆସୁନାହାନ୍ତି । ଗୁରୁତର ରୋଗୀଙ୍କୁ ଭଗବାନ ଭରସା । ଫଳରେ ଦିନକୁ ଦିନ ସାଟେଲାଇଟ୍ ସେଣ୍ଟରକୁ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି । ସେପଟେ ବାଲେଶ୍ବର ସାଂସଦ କହିଛନ୍ତି, ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି, ଖୁବଶୀଘ୍ର ପୂର୍ଣ୍ଣକାର୍ଯ୍ୟକ୍ଷମ ହେବ ।
୨୦୨୨ରେ ବାଲେଶ୍ବର ବମପଦାରେ ଶୁଭାରମ୍ଭ ହୋଇଥିଲା ବହୁପ୍ରତିକ୍ଷୀତ ୧୦୦ ଶଯ୍ୟା ବିଶିଷ୍ଟ ଏମ୍ସ ସାଟେଲାଇଟ୍ ସେଣ୍ଟର । ହେଲେ ସେବେଠୁ ଓପିଡି ଛଡ଼ା ରୋଗୀଙ୍କୁ ଆଉ କୌଣସି ସୁବିଧା ମିଳୁନି । ତା ପୁଣି ସପ୍ତାହରେ ମାତ୍ର ଦୁଇଦିନ । ଇନଡୋର ପେସେଣ୍ଟ ଡିପାର୍ଟମେଣ୍ଟ୍ ଖୋଲିବା ଉପରେ ଗୁରୁତ୍ବ ହିଁ ଦିଆଯାଉନି । ସେହିଭଳି ଲାବରେଟୋରି କି ମେଡିସିନ୍ ଷ୍ଟୋର ବି ନାହିଁ । ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଗୁରୁତ୍ବପୂର୍ଣ୍ଣ ବିଭାଗର ଡାକ୍ତର ଆସୁନଥିବାବେଳେ ଯେଉଁମାନେ ଆସୁଛନ୍ତି ସେମାନେ ନିୟମିତ ନୁହଁନ୍ତି । ପ୍ରତିଥର ନୂଆ ଡାକ୍ତର ଆସୁଥିବାରୁ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡୁଛି । ଯାହାକୁ ନେଇ ବାଲେଶ୍ବରବାସୀଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ ।
Also Read
ଅଧିକ ପଢ଼ନ୍ତୁ: ହୋଲିରେ ସାଙ୍ଗ ନେଲା ସାଙ୍ଗର ଜୀବନ, ସାମାନ୍ୟ ବଚସାରୁ ଗୁଳି କରି କଲା ହତ୍ୟା
ବାଲେଶ୍ବର ଏମ୍ସ ସାଟେଲାଇଟ୍ ସେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଉତ୍ତର ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗର ଲୋକେ ଉପକୃତ ହେବେ । ତେବେ ବାରମ୍ବାର ଡାକ୍ତର ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଉଥିଲେ ବି ଡାକ୍ତର ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି । ଏନେଇ ବାଲେଶ୍ବର ସାଂସଦ କହିଛନ୍ତି, ଘଟଣାକୁ ଗୁରୁତର ସହ ନେଇ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ କଥା ହୋଇଛି। ଏ ବିଷୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ଖୁବଶୀଘ୍ର ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯାଉଛି ।
ଆବଶ୍ୟକ ଭିତ୍ତିଭୂମି ଓ ଡାକ୍ତର ନଥିବାରୁ ବାଲେଶ୍ବର ଏମ୍ସ ସାଟେଲାଇଟ ସେଣ୍ଟରକୁ ନିୟମିତ ଭାବେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି । ୨୦୨୨ରେ ଏଠାକୁ ମୋଟ ୮ହଜାର ୫୫୦ ରୋଗୀ ଆସିଥିଲେ । ୨୦୨୩ରେ ଏହି ସଂଖ୍ୟା ହ୍ରାସ ପାଇଥିଲା ୭ ହଜାର ୪୪୦କୁ । ୨୦୨୪ରେ ୬ ହଜାର ୯୭୦ ରୋଗୀ ଆସିଥିବାବେଳେ ଚଳିତବର୍ଷ ଫେବ୍ରୁଆରୀ ସୁଦ୍ଧା ମାତ୍ର ୪୪୦ ରୋଗୀ ଆସିଛନ୍ତି । ଆଗକୁ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାନଗଲେ ରୋଗୀଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି ।