/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750346752.jpg)
ମମତାଙ୍କ ‘ପ୍ରସାଦ’ ପଲିଟିକ୍ସ
ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ପଲିଟିକାଲ ଷ୍ଟଣ୍ଟ୍ । ଦୀଘା ଜଗନ୍ନାଥ ମନ୍ଦିରରେ ଖୁଆ ପୂଜା କରି ଏହାକୁ ମହାପ୍ରସାଦ ନାଁରେ ପୁରା ରାଜ୍ୟରେ ଘରେ ଘରେ ବାଣ୍ଟୁଛନ୍ତି ମମତା ସରକାର । କୁହାଯାଉଛି, ବିଜେପିର ହିନ୍ଦୁତ୍ବ କାର୍ଡକୁ କଡ଼ା ଟକ୍କର ଦେବା ଏବଂ ନିର୍ବାଚନ ପୂର୍ବରୁ ନିଜ ହିନ୍ଦୁ ବିରୋଧୀ ଭାବମୂର୍ତ୍ତି ବଦଳାଇବାକୁ ଏଭଳି ଯୋଜନାର ସାହାରା ନେଇଛନ୍ତି ମମତା । ଯାହାକୁ ରାଜନୈତିକ ଚାଲ କହି କଡ଼ା ନିନ୍ଦା କରିଛି ପଶ୍ଚିମବଙ୍ଗ ବିଜେପି । ଏପଟେ ପ୍ୟାକେଟରେ ପେଡ଼ା ଓ ଗଜା ବାଣ୍ଟି ଏହାକୁ ମହାପ୍ରସାଦ ବୋଲି କହୁଥିବାରୁ ତାକୁ ନେଇ ବର୍ଷିଛନ୍ତି ଶ୍ରୀମନ୍ଦିର ସେବାୟତ ।
ଅଧିକ ପଢ଼ନ୍ତୁ: ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ନବୀନ, ଅନୁପସ୍ଥିତିରେ ବିଜେଡିରେ ହେବନି ତ କିଛି ଗଡ଼ବଡ଼ ?
ପ୍ରଥମେ 'ଧାମ' ଏବେ, ପୁଣି 'ମହାପ୍ରସାଦ' ! ପୁରୀ ଶ୍ରୀମନ୍ଦିର, ଶ୍ରୀଜିଉ ଏବଂ ସାରା ବିଶ୍ବର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭକ୍ତି ଓ ଭାବାବେଗ ସହ ପୁଣି ଖେଳ । ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ଖୁଆ ପୂଜା କରି ଏହାକୁ ମହାପ୍ରସାଦ କହି ରାଜ୍ୟବାସୀଙ୍କୁ ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଏ ଦୃଶ୍ୟ ଗତ ୧୦ ତାରିଖର। ସଂକୀର୍ତ୍ତନ କରି ଦୀଘା ମନ୍ଦିରକୁ ପ୍ରବେଶ କରୁଥିବା ଏହି ମହିଳାଙ୍କ କାନ୍ଧରେ ରହିଛି କ୍ଷୀରରୁ ପ୍ରସ୍ତୁତ ଖୁଆ ପ୍ୟାକେଟ୍। ହଳଦିଆ କପଡ଼ା ଘୋଡ଼ାଯାଇଥିବା ଜରି ପ୍ୟାକେଟ୍ ଭର୍ତ୍ତି ପ୍ରାୟ ୩୦୦ କିଲୋଗ୍ରାମ ଖୁଆ ଦୀଘା ମନ୍ଦିରକୁ ଅଣାଯିବା ପରେ ଏଠାରେ ପ୍ରସାଦ ଭାବେ ଲାଗି କରାଯାଇଥିଲା । ପରେ ଏହାକୁ ୨୩ଟି ଜିଲ୍ଲାକୁ ଜିଲ୍ଲାପାଳଙ୍କ ଜରିଆରେ ପଠାଯାଇଛି । ସେଠୁ ୩୪୧ ବ୍ଲକକୁ ବିଡିଓଙ୍କୁ ମାଧ୍ୟମରେ ବାଣ୍ଟିବାର ବ୍ୟବସ୍ଥା କରିଛନ୍ତି ମମତା ସରକାର । ଏ ଖୁଆ ସହ ସ୍ଥାନୀୟ ଅଞ୍ଚଳରୁ ଖୁଆ ସଂଗ୍ରହ କରି, ସେଥିରୁ ପେଡ଼ା ଓ ଗଜା ପ୍ରସ୍ତୁତ ପରେ ଏହାକୁ କାଗଜ ପ୍ୟାକେଟରେ ପୁରାଇ ଘର ଘର ବଣ୍ଟାଯାଉଛି । ଦୁଆରେ ରାସନ୍ ଅଭିଯାନ ନାଁରେ ରାସନ୍ ଡିଲରଙ୍କ ଜରିଆରେ ଗତ ୧୭ରୁ ଆରମ୍ଭ ହୋଇଥିବା ଏ ବଣ୍ଟା ଅଭିଯାନ ଜୁନ୍ ୨୭ ରଥଯାତ୍ରା ଦିନ ଶେଷ ହେବ । ପଶ୍ଚିମବଙ୍ଗର ପ୍ରତି ଘରେ ଯେମିତି ଏ ପ୍ରସାଦ ପହଞ୍ଚିବ, ସେଥିପାଇଁ ସରକାରୀ ଭାବେ ଜିଲ୍ଲାପାଳ, ବିଡିଓ ଓ ରାସନ୍ ଡିଲରଙ୍କୁ ଏ ଦାୟିତ୍ବ ଦିଆଯାଇଛି ।
ଏପଟେ ପେଡ଼ା ଓ ଗଜାକୁ କାଗଜ ପ୍ୟାକେଟରେ ଭରି, ଏହାକୁ ମହାପ୍ରସାଦ କହି ଘରେ ଘରେ ବାଣ୍ଟିବା ଘଟଣାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ବିଭିନ୍ନ ନିଯୋଗର ସେବାୟତ ତଥା ଜଗନ୍ନାଥ ସଂସ୍କୃତି ପ୍ରେମୀ। ଜଗନ୍ନାଥ ସଂସ୍କୃତିକୁ ଅପମାନ ହେବା ଭଳି ଏଭଳି କାର୍ଯ୍ୟ ନକରିବାକୁ ଅପିଲ୍ କରିବା ସହ ମମତାଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ଘୋର ନିନ୍ଦା କରାଯାଇଛି ।
କୁହାଯାଉଛି, ଲଗାତର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ମମତାଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ସରକାର ବିରୋଧରେ ବଢିବାରେ ଲାଗିଛି ସରକାର ବିରୋଧୀ ହ୍ବାୱା । ବିରୋଧୀ ବିଜେପି ବି ସକ୍ରିୟ ଭୂମିକା ନେଇ ମମତାଙ୍କୁ ଏଥର ଗାଦିରୁ ହଟାଇବାକୁ ପଣ କରିଛି ।
ପୂର୍ବରୁ ମମତା ହିନ୍ଦୁ ବିରୋଧୀ ବୋଲି ଅଭିଯୋଗ ହେବା ଏବଂ ତାଙ୍କ ଉପରେ ଏକାଧିକ ବାର ହିନ୍ଦୁ ବିରୋଧୀ ଟ୍ୟାଗ୍ ଲାଗିଥିବାରୁ ଏଭଳି ପ୍ରସାଦ ଯୋଜନା କରି ମମତା ତାଙ୍କ ଭାବମୂର୍ତ୍ତି ବଦଳାଇବାକୁ ଉଦ୍ୟମ କରୁଥାଇପାରନ୍ତି ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)