Advertisment

Online Ambulance Booking: ଏଣିକି ଅନଲାଇନରେ ବୁକିଂ କରିହେବ ଆମ୍ବୁଲାନ୍ସ, ଜାଣନ୍ତୁ କେମିତି...

ଆପଣ ଯଦି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆମ୍ବୁଲାନ୍ସ ଯୋଗାଡ଼ କରିବା ଅତି ସହଜ ହୋଇଯିବ । ଅଟୋ କିମ୍ବା ଟ୍ୟାକ୍ସି ଭଳି ଏଣିକି ଯେକୌଣସି ସ୍ଥାନରୁ ସ୍ୱତନ୍ତ୍ର ମୋବାଇଲ ଆପରେ ଅତି ସହଜରେ ବୁକ୍ କରିହେବ ଆମ୍ବୁଲାନ୍ସ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Online Ambulance Booking

ଏଣିକି ଆପଣଙ୍କ ହାତ ମୁଠାରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା । ଆପଣ ଯଦି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆମ୍ବୁଲାନ୍ସ ଯୋଗାଡ଼ କରିବା ଅତି ସହଜ ହୋଇଯିବ । ନୂଆ ସରକାରଙ୍କ ନୂଆ ଓଡ଼ିଶା ଯାତ୍ରୀ ଆପରୁ ଅନଲାଇନରେ ପାଇବେ ଆମ୍ବୁଲାନ୍ସ ସେବା । ସେ ସରକାରୀ ହେଉ କି ଘରୋଇ ଆମ୍ବୁଲାନ୍ସ ରୋଗୀ ଏବଂ ସଂପର୍କୀୟଙ୍କୁ ଏହି ସେବା ଯୋଗାଇ ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଫଳରେ ଦଲାଲ୍ ମୁକ୍ତ ହେବା ସହ ସୁଲଭ ଦରରେ ଲୋକେ ପାଇପାରିବେ ଆମ୍ବୁଲାନ୍ସ ସେବା । 

Advertisment

ଓଡ଼ିଶା ଯାତ୍ରୀ ଆପରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ମିଳିବ ହାତ ପାଆନ୍ତାରେ । ଅଟୋ କିମ୍ବା ଟ୍ୟାକ୍ସି ଭଳି ଯେକୌଣସି ସ୍ଥାନରୁ ସ୍ବତନ୍ତ୍ର ମୋବାଇଲ ଆପରେ ଅତି ସହଜରେ ବୁକ୍ କରିହେବ ରୋଗୀ ପରିବହନ କ୍ଷେତ୍ରର ଅତି ଗୁରୁତ୍ବପୂର୍ଣ୍ଣ ଆମ୍ବୁଲାନ୍ସ ସେବା । କାରଣ ରାଜ୍ୟରେ ପ୍ରଥମ ଥର ପାଇଁ ଖୁବଶୀଘ୍ର ଏହି ସେବା ପ୍ରଚଳନ ହେବାକୁ ଯାଉଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ପରିବହନ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ରୁଟର ମିଳିତ ସହଯୋଗରେ ଏହି ସେବା ଆରମ୍ଭ ହେଉଥିବା ପରିବହନ ମନ୍ତ୍ରୀ କହିଛନ୍ତି । 

ଅଧିକ ପଢ଼ନ୍ତୁ: କାଲି ଭୁବନେଶ୍ୱରରେ ହାପ୍‌ ଡେ' ଛୁଟି

ସେ ସରକାରୀ ଆମ୍ବୁଲାନ୍ସ ହେଉ ଅବା ଘରୋଇ । ଗୋଟିଏ ପ୍ଲାଟଫର୍ମରେ ଏବଂ ଗୋଟିଏ କ୍ଲିକରେ ଏହି ସେବା ଉପଲବ୍ଧ ହେବ । ବିଭାଗୀୟ ସଚିବ ଏବଂ ଅଧିକାରୀ ସ୍ତରରେ ଅନୁଷ୍ଠିତ ପ୍ରଥମ ବୈଠକରେ ଏହାର ରୂପରେଖକୁ ନେଇ ଆଲୋଚନା ହୋଇଛି । ତେବେ ଜଣେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଏଥିପାଇଁ କେତେ ଟଙ୍କା ପୈଠ କରିବାକୁ ପଡ଼ିବ, ତାହା ସ୍ଥିର କରିବେ ସରକାର । ଏହାଦ୍ବାରା ଆମ୍ବୁଲାନ୍ସ କର୍ମଚାରୀ କିମ୍ବା ସଂସ୍ଥା ଆଦାୟ କରୁଥିବା ମନ ଇଚ୍ଛା ଭଡ଼ା ସହ ଦଲାଲଙ୍କ ଉପରେ ରୋକ୍ ଲଗାଯାଇପାରିବ ବୋଲି ପରିବହନ ମନ୍ତ୍ରୀ ଆଶା ରଖିଛନ୍ତି । 

Advertisment

ଏ ହେଉଛି ନୂଆ ସରକାରଙ୍କ ନୂଆ ‘ଓଡ଼ିଶା ଯାତ୍ରୀ ଆପ୍’ । ଯାହାକୁ ବ୍ୟବହାର କରି ଆପଣ କୌଣସି ଟ୍ୟାକ୍ସି କିମ୍ବା ଅଟୋ ପାଇପାରୁଛନ୍ତି ସୁଲଭ ଦରରେ । ଏହି ଆପରେ ଆମ୍ବୁଲାନ୍ସ ସେବା ପାଇଁ ଏଥର ରହିବ ସ୍ବତନ୍ତ୍ର ଫିଚର୍ । ଯାହାକୁ ଆପଣ କ୍ଲିକ୍ କଲା ପରେ ସାମ୍ନାରେ ପ୍ରଦର୍ଶିତ ହେବ ଆଇକନ୍ କିମ୍ବା ରହିବ ଅପସନ୍ । ଆପଣ ଘରୋଇ ଆମ୍ବୁଲାନ୍ସ ବ୍ୟବହାର କରିବେ ନା ସରକାରୀ, ସେହି ଅନୁଯାୟୀ ବାଛିବେ । ଏହାପରେ ଆପଣ କେଉଁ ହସ୍ପିଟାଲକୁ ଯିବେ କିମ୍ବା କେଉଁଠିକୁ ମୃତଦେହ ନେବେ ତାହା ଦର୍ଶାଇବା ପରେ, ସେହି ଅନୁଯାୟୀ ପୂର୍ବ ନିର୍ଦ୍ଧାରିତ ଦର ଆପଣଙ୍କୁ ପୈଠ କରିବାକୁ ପଡ଼ିବ ଏହି ଆପ୍ ଜରିଆରେ । 

ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏହା ପ୍ରଚଳିତ ହେବ । ଏଥିପାଇଁ ଭୁବନେଶ୍ୱରର ପଞ୍ଜିକୃତ ଆମ୍ବୁଲାନ୍ସ ସେବା ସଂଘ ସହ କଥାବାର୍ତ୍ତା ଚଳାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ତେବେ ଆମ୍ବୁଲାନ୍ସ ସଂଘ କହିଛି, ଭଡ଼ା କେତେ ରହିବ ଏବଂ କେଉଁ ସମୟରେ ମିଳିବ, ତାହା ଏ ଯାଏଁ ଚୁଡ଼ାନ୍ତ ହୋଇନି । ତଥାପି ଏହି ପ୍ରସ୍ତାବିତ ଯୋଜନାକୁ ଆମ୍ବୁଲାନ୍ସ ସଂଘ ଓ ସାଧାରଣ ଜନତା ସ୍ବାଗତ କରିଛନ୍ତି । 

କିଛି ବର୍ଷ ପୂର୍ବରୁ ପୂର୍ବ ସରକାର ଭୁବନେଶ୍ୱରରେ ପ୍ରିପେଡ୍ ଆମ୍ବୁଲାନ୍ସ ସେବା ପ୍ରଚଳନ କରିଥିଲେ । କିନ୍ତୁ ସେତେଟା ଫଳପ୍ରଦ ହେଲାନି । ଏବେ ନୂଆ ସରକାର ନିଜସ୍ବ ଓଡ଼ିଶା ଯାତ୍ରୀ ଆପରେ ଆମ୍ବୁଲାନ୍ସ ସେବାକୁ ଯୋଡ଼ିବାକୁ ଯାଉଛନ୍ତି । ତେବେ ରୋଗୀଙ୍କ ଉଦ୍ଦେଶ୍ୟରେ ହେବାକୁ ଥିବା ଏହି ଅଭିନବ ସେବା କେତେ ଫଳପ୍ରଦ ହେଉଛି, ଜନତା କେତେ ଉପକୃତ ହେଉଛନ୍ତି, ତାକୁ ଅପେକ୍ଷା । 

ଅଧିକ ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଡବଲ ଇଞ୍ଜିନ ସରକାରଙ୍କ ରିପୋର୍ଟ କାର୍ଡ ରଖିବେ

Odisha News Ambulance
Advertisment
Advertisment