କେଉଁଠି ଶୁଦ୍ଧିକ୍ରିୟା ସରିଥିଲା, ତ କାହାକୁ ଏକରକମ ଭୁଲି ଯାଇଥିଲେ ଘର ପରିବାର । ହେଲେ ଯୁଗଟିଏ ପରେ ହଠାତ ଜୀବନ କାହାଣୀ ନେଇଛି ନୂଆମୋଡ଼ । ଲେଉଟି ଯାଇଛି ଅଣଲେଉଟା ଜୀବନ । ୧୪ ବର୍ଷ ପରେ ଘରକୁ ଫେରିଛି ଅଫେରା ମଣିଷ । ଜଣେ ନୁହେଁ, ରାଜ୍ୟର ଦୁଇଦୁଇଟି ସ୍ଥାନରେ ଆଜି ଘରକୁ ଫେରିଛି ୧୪ ବର୍ଷ ତଳର ଦୁଇ ହଜିଲା ମୁହଁ ।
ଜଣେ ପାଟଣାଗଡ଼ର କାନ୍ତି ବାଗ ଆଉ ଜଣେ ଯାଜପୁର ଅଞ୍ଚଳର ସୁରଥ ରଣା । ଉଭୟଙ୍କୁ ଏତେ ବର୍ଷ ପରେ ପାଖରେ ପାଇ ପରିବାରଠୁ ଗାଁ ଲୋକ ସମସ୍ତେ ଯେତିକି ଆଶ୍ଚର୍ଯ୍ୟ ସେତିକି ଖୁସି ମଧ୍ୟ । ଉଭୟ ଫେରିବା ପରେ ଏବେ ଯେଝା ଯେଝା ଗାଁରେ ହୁରି ପଡ଼ିଛି । କେଉଁଠି କାନ୍ତି ଫେରିଛି ତ କେଉଁଠି ସୁରଥ ଫେରିଛିର ହୁରି । ବେଳେ ବେଳେ ଏମିତି ବି ହୁଏ ।
ଅଧିକ ପଢ଼ନ୍ତୁ: ଯୋଉ ଭାଇ ହାତରେ ଦିନେ ରାକ୍ଷୀ ବାନ୍ଧିଥିଲା, ଆଜି ତା’ରି ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛି
ବେଳେ ବେଳେ କାହିଁକି ଅନେକ ସମୟରେ ହୁଏ । ଖୋଜି ଖୋଜି ନୟାନ୍ତ ହେଲା ପରେ ବି, କାନ୍ଦି କାନ୍ଦି ଆଖିର ଲୁହ ଆଖିରେ ମଲେ ବି.. ଚିଜ ହେଉ କି ମଣିଷ...ଦେଖା ମିଳେନି । ପୁଣି ଭୁଲି ଯାଇଥିବା ଘଟଣାଟି ଜୀବନ ଧରି ହଠାତ୍ ସାମ୍ନାକୁ ଚାଲିଆସେ, ଚମକାଇ ଦିଏ, ଚକିତ କରେ, ଖୁସିର ଲୁହ ବୁହାଇ ଦିଏ ।
Also Read
ସଂଯୋଗ ବଶତଃ ଭିନ୍ନ ଭିନ୍ନ ସ୍ଥାନ ହେଲେ ବି ଆଜି ସାମ୍ନାକୁ ଆସିଛି ଏକା ଭଳି ଏମିତି ଦୁଇଟି କାହାଣୀ । ୧୪ ବର୍ଷ ତଳେ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡ଼ୁକୁପଡା ଗାଁର କାନ୍ତି ବାଗ । ନା ପତ୍ତା ମିଳୁଥିଲା ନା ଖୋଜ ଖବର । ବହୁ ଖୋଜାଖୋଜି କରି ପରିବାର ଲୋକ ୨ ବର୍ଷ ଅପେକ୍ଷା କଲେ ।
ହେଲେ କୌଣସି ସୂଚନା ନପାଇବାରୁ ମୃତ୍ୟୁ ହୋଇ ଯାଇଥିବା ଭାବି ଶେଷରେ ଶୁଦ୍ଧିକ୍ରିୟା ବି କରିଦେଲେ । ହେଲେ ଆଜି ସେ ଗାଁକୁ ଫେରିଛନ୍ତି । ୧୪ ବର୍ଷ ପରେ କୁନ୍ତିଙ୍କୁ ଦେଖି ସାରା ଗାଁ ଆଶ୍ଚର୍ଯ୍ୟ ହୋଇଯାଇଛି । ୟା ଭିତରେ କୁନ୍ତିଙ୍କ ସେଦିନର କୁନି କୁନି ପୁଅ ବି କିଶୋର ହୋଇଗଲେଣି । ମାଆଙ୍କୁ ଏତେବର୍ଷ ପରେ ଖୁସି ପ୍ରକାଶ କରିବା ସହ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି । କୁନ୍ତିଙ୍କ ସ୍ୱାମୀଙ୍କ କହିବା ଅନୁସାରେ, ଘର ମରାମତି ପାଇଁ ୨୦୧୦ ମସିହାରେ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଶ୍ୱଶୁର ଘର ହଳନଭଟା ଗାଁରେ ଛାଡି ଦେଇଥିଲେ ।
ସେଠାରେ କିଛି ଦିନ ରହିବା ପରେ ସ୍ତ୍ରୀ କାନ୍ତି ଲାଠୋର ରେଲୱେ ଷ୍ଟେସନରୁ ଟ୍ରେନ ଯୋଗେ କେଉଁଆଡ଼େ ଚାଲିଯାଇଥିଲେ । ଏବେ ଖୋର୍ଦ୍ଧାର ଏକ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ କୁନ୍ତି ନିଜ ଘରକୁ ଫେରିଛନ୍ତି । ଯାହାକୁ ନେଇ ପରିବାରରେ ଢେର ଖୁସି ଢେର ଆନନ୍ଦ । ସେହିପରି ସ୍ଥାନ ଅଲଗା ହୋଇଥିଲେ ବି ଯାଜପୁରର କାହାଣୀ ବି ସମାନ । ସେଠି କାନ୍ତି ଆଉ ଏଠି ସୁରଥ । ୧୪ ବର୍ଷ ପରେ ସୁରଥ ଫେରିଛନ୍ତି କେଉଁ ଅଜଣା ଦୁନିଆଁରୁ ।
୨୦୧୦ ମସିହାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଗଡ଼ମଧୁପୁର ପଂଚାୟତ ଅନ୍ତର୍ଗତ କୁକୁଡ଼ାଖାଳେଇ ଗାଁର ସୁରଥ ରଣା କେଉଁଆଡ଼େ ଚାଲିଯାଇଥିଲେ । ସେତେବେଳକୁ ତାଙ୍କୁ ହୋଇଥିଲା ୩୬ ବର୍ଷ । ସୁରଥ ବିଏ ପାସ କରି ହାଇଦ୍ରାବାଦର ଏକ କମ୍ପାନୀରେ ଚାକିରି କରିଥିଲେ । ସେଠାରେ ତାଙ୍କର ମୁଣ୍ଡ ଖରାପ ହେବାରୁ ଘରକୁ ପଳାଇ ଆସିଥିଲେ ।
ପରେ କିଛିଦିନ ପରେ ହଠାତ କେଉଁଆଡ଼େ ଚାଲିଯାଇଥିଲେ । ଥାନାରେ ଅଭିଯୋଗ ସହ ବିଭିନ୍ନ ଜାଗାରେ ଖୋଜାଖୋଜି କରିବା ପରେ ବି କୌଣସି ଖୋଜଖବର ପାଇନଥିଲେ ପରିବାର ଲୋକ । ହେଲେ ଆଜି ହଠାତ ତାଙ୍କର ବି ହୋଇଛି ଘରବାହୁଡ଼ା । କେରଳର ଏରନାକୁଲମରେ ଭିକ୍ଷା ବୃତ୍ତି କରି ଚଳୁଥିବା ସୁରଥଙ୍କୁ ଏକ ସ୍ୱେଚ୍ଛାସବୀ ସଂଗଠନ ଘରକୁ ଫେରାଇ ଆଣିଛି । ଏବେବି ସେ ମାନସିକ ବିକୃତ ଥିବା ଜଣାପଡ଼ିଛି । ତଥାପି ହଜିଲା ମଣିଷକୁ ପାଇଁ ପରିବାରରେ ଢେରସାରା ଖୁସି ।