• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଟ୍ରେନ୍ । ହାୱଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କଲା ଟ୍ରେନ୍ । ଭିସି ଯୋଗେ ପତାକା ହଲାଇ ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଆଜିଠୁ ଗଡ଼ିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ । ତେବେ ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ସବୁଦିନ ଚଳାଚଳ କରିବ । କେବଳ ଗୁରୁବାର ବନ୍ଦ ରହିବ ।

ଆଜି କେବଳ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ କରାଯାଇଛି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀ ଓ କଟକ ରେଳଷ୍ଟେସନର ପୁନଃବିକାଶ କାର୍ଯ୍ୟର ଶିଳାନ୍ୟାସ ସହ ଓଡ଼ିଶାରେ ରେଳ ନେଟୱର୍କର ଶତ ପ୍ରତିଶତ ବିଦ୍ୟୁତୀକରଣକୁ ଲୋକାର୍ପଣ କରିଛନ୍ତି ମୋଦି ।

ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ପକ୍ଷରୁ କେତେକ ଦାବି ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଦାବି ଦୋହରାଇଲେ । ସେହିପରି ଆଗାମୀ ୩/୪ ବର୍ଷ ଭିତରେ ଏୟାରପୋର୍ଟ କାମ ସରିବା ନେଇ ମଧ୍ୟ ଆଶା କଲେ । ନିଜେ ପ୍ରଧାନମନ୍ତ୍ରୀ ପୁରୀ ଆସି ଲୋକାର୍ପଣ କରିବେ ବୋଲି କହିଲେ ନବୀନ । ଏହି ଅବସରରେ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ପାଇଁ ଦାବି କଲେ । ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ପାଇଁ ମଧ୍ୟ ଦାବି କଲେ । ମୋଦିଙ୍କ ନେତୃତ୍ୱରେ ଶୀଘ୍ର ବୁଲେଟ୍ ଟ୍ରେନ୍ ସ୍ୱପ୍ନ ମଧ୍ୟ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଭାଷଣ ପ୍ରସଙ୍ଗରେ ଆଶା ପ୍ରକାଶ କରିଥିଲେ।