• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଦେଖାଦେଇଥିବା ଜଟିଳତା ସଙ୍କଟ ବଢ଼ାଉଥିବାରୁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର ।

ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି । ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି । ଯେତିକି ଖୋଳୁଛନ୍ତି, ମାଟି ଅତଡ଼ା ଧସି ପୁଣି ସେତିକି ବନ୍ଦ ହୋଇ ଯାଉଛି । ଏଣୁ ଉଦ୍ଧାର ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ିଛନ୍ତି ।

୨୦୧୮ରେ ଥାଇଲାଣ୍ଡର ଏକ ଗୁମ୍ଫାରେ ବନ୍ୟାଜଳ ପଶିଯିବାରୁ ସେଠାରେ ଫସି ରହିଥିବା ପିଲାମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା । ଏହି ଅଭିଯାନରେ ଯେଉଁ ବିଶେଷଜ୍ଞମାନେ ନିୟୋଜିତ ଥିଲେ, ଏବେ ସେମାନଙ୍କର ସହାୟତା ନିଆଯିବ । ଏହାସହିତ ନରୱେ ଜିଓଟେକ୍ନିକାଲ୍ ଇନଷ୍ଟିଚ୍ୟୁଟର ସହାୟତା ମଧ୍ୟ ଉତ୍ତରାଖଣ୍ଡ ସରକାର ମାଗିଛନ୍ତି ।

ଅଧିକ ପଢ଼ନ୍ତୁ: ଟନେଲରେ ଫସିଛନ୍ତି ଓଡ଼ିଆ, ସମସ୍ତେ ସୁରକ୍ଷିତ ଥିବା ସୂଚନା

ସୂଚନା ଅନୁସାରେ ୬୦ ମିଟର ମାଟି ଧସିଥିବା ବେଳେ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରା ଯାଇପାରିଛି । ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯୋଜନା ରହିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ତେବେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉ ଥିବାରୁ ଧୈର୍ଯ୍ୟ ହରାଇଲେଣି ଶ୍ରମିକମାନେ । ଏବେ ସୁଦ୍ଧା ସବୁ ଶ୍ରମିକ ସୁରକ୍ଷିତ ଥିଲେ ବି ଉଦ୍ଧାରରେ ଯେତେ ଯେତେ ବିଳମ୍ବ ହେଉଛି ସେତେ ସେତେ ଆଶଙ୍କା ଘାରୁଛି, ଅସନ୍ତୋଷ ବି ବଢୁଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ପାଇଁ କାହିଁକି  ଥାଇଲାଣ୍ଡ  ଓ ନରୱେ ରେସକ୍ୟୁ ଟିମର ସହାୟତା ମାଗିଛନ୍ତି ଉତ୍ତାରାଖଣ୍ଡ ସରକାର ? କଣ ଏହି ଟିମର ବିଶେଷତ୍ବ ?

ଆପଣଙ୍କୁ କହି ରଖୁଛୁ, ଏ ସେହି ରେସକ୍ୟୁ ଟିମ୍ ଯିଏ ଜୀବନକୁ ବାଜି ଲଗାଇ ୨୦୧୮ରେ ଥାଇଲାଣ୍ଡର ଥାମ୍ ଲୁଆଙ୍ଗ୍ ଗୁମ୍ଫାରୁ ଫସିଥିବା ଫୁଟବଲ ଟିମକୁ ଉଦ୍ଧାର କରିଥିଲା । ୨୦୧୮ ଜୁନ୍ ୨୩ରେ ଫୁଟବଲ ଟିମର କୋଚଙ୍କ ସମେତ ୧୨ ଜଣ ଗୁମ୍ପାକୁ ପ୍ରବେଶ କରିଥିଲେ । ହେଲେ ହଠାତ ବନ୍ୟାଜଳ ଗୁମ୍ଫାରେ ପ୍ରବେଶ କରିବାରୁ ପ୍ରାୟ ଦୁଇସପ୍ତାହ ଅଧିକ ସମୟ ଧରି ସେଠାରେ ଫସିରହିଥିଲେ ।

ଥାଇଲାଣ୍ଡ ଓ ନରେୱେର ରେସକ୍ୟୁ ଟିମ୍ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି, ୧୦ ଜୁଲାଇରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଏହି ଅଭିଯାନରେ ଯେଉଁ ବିଶେଷଜ୍ଞମାନେ ନିୟୋଜିତ ଥିଲେ, ଏବେ ସେମାନଙ୍କର ସହାୟତା ନିଆଯିବ।