• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ସୁନୀତାଙ୍କ ମହାକାଶ ସଫର, ଆଉ ସଫଳତାର କାହାଣୀ, ଯେତିକି ରୋମାଞ୍ଚକର ସେତିକି ଘଟଣା ବହୁଳ । ଏଥର ୨୮୬ ଦିନ ମହାକାଶ ରହଣିରେ ୧୧ ଘଣ୍ଟା ୨୬ ମିନିଟ୍ ସ୍ପେସ ୱାକ୍ କରି ରେକର୍ଡ କରିଛନ୍ତି ସୁନୀତା । କେବଳ ସ୍ପେସ ୱାକ୍ ନୁହେଁ ୧୫୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ସହ ମହାକାଶ ଷ୍ଟେସନ ରକ୍ଷଣାବେକ୍ଷଣ କାମ ବି କରିଛନ୍ତି ।

ପିଲା ବେଳେ ପଶୁ ଡାକ୍ତର ହେବାକୁ ଇଚ୍ଛା ରଖିଥିବା ସୁନୀତା ସମୟ ସୁଅରେ ନୌସେନା ପାଇଲଟରୁ ବନି ଯାଇଥିଲେ ନାସା ମହାକାଶଚାରୀ । ୨୮୬ ଦିନର ରହଣି ପରେ ମହାଶୂନ୍ୟରୁ ଫେରିଲେ ସୁନୀତା । ୨୦୨୪ ଜୁନ୍ ୫ରେ ଯାଇଥିଲେ ମହାକାଶକୁ ଯାଇଥିଲେ ସୁନୀତା । ୯ ମାସ ୧୪ ଦିନ ମହାକାଶରେ ରହିବା ଭିତରେ ଅନେକ ଐତିହାସିକ ସଫଳତା, ଅଭିଜ୍ଞତା ଓ ଉପଲବ୍ଧି ସାଉଣ୍ଟିଛନ୍ତି ସୁନୀତା ।

ସ୍ପେସ ୱାକରେ କୀର୍ତ୍ତିମାନ କରିଛନ୍ତି, ଏହି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ । ଏହି ଥରକୁ ମିଶାଇ ୩ଟି ମିଶନରେ ସ୍ପେଶ୍ ସେଣ୍ଟର ବାହାରକୁ ଯାଇ ମୋଟ୍ ୬୨ ଘଣ୍ଟା ୬ ମିନିଟର ସ୍ପେଶ୍ ୱାକ୍ କରିଛନ୍ତି ସୁନୀତା । ଯାହାକି କୌଣସି ମହିଳା ମହାକାଶଚାରୀଙ୍କ କ୍ଷେତ୍ରରେ ସର୍ବାଧିକ ଅବଧିର ରେକର୍ଡ । ଏଥର ମିଶନରେ ସେ ୨ଟି ବଡ଼ ସ୍ପେସ ୱାକ୍ କରିଥିଲେ । ଜାନୁଆରୀ ୧୬ରେ ୫ ଘଣ୍ଟା ୨୬ ମିନିଟ ଓ ଜାନୁଆରୀ ୩୦ରେ ୬ ଘଣ୍ଟା ଅନ୍ତରୀକ୍ଷରେ ଚାଲିଥିଲେ ।

ଅଧିକ ପଢ଼ନ୍ତୁ: ସୁନୀତାଙ୍କ ଘରବାହୁଡ଼ା ପରେ ଆଶ୍ୱସ୍ତ ବିଶ୍ୱ; ଏମିତି କଟିବ ସୁନୀତାଙ୍କ ଆଗାମୀ ୪୫ ଦିନ

୨୦୦୬ରେ ପ୍ରଥମ ମହାକାଶ ଯାତ୍ରାରେ ୧୯୫ ଦିନ ରହଣି ଭିତରେ ୨୯ ଘଣ୍ଟାର ୧୭ ମିନିଟ ସ୍ପେସ ୱାକ୍ ଏବଂ ୨୦୧୩ରେ ୧୨୭ ଦିନ ରହିବା ଭିତରେ ତାଙ୍କର ସ୍ପେସ ୱାକ ଅବଧି ଥିଲା ୨୧ ଘଣ୍ଟା । ଏଥର ମହାକାଶ କେନ୍ଦ୍ର ବାହାରକୁ ଯାଇ ଚାଲିବା ସହ ୯ ଶହ ଘଣ୍ଟାର ବିଭିନ୍ନ ବୈଜ୍ଞାନିକ ପରୀକ୍ଷାନିରୀକ୍ଷା ବି କରିଛନ୍ତି ସୁନୀତା

ବୁଚ୍ ୱିଲମୋରଙ୍କ ସହ ୧୫୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ କରିଛନ୍ତି । ଯେଉଁଥିରେ ଜୈବ ଚିକିତ୍ସା ଗବେଷଣା, ପରିବେଶ ସଂପର୍କିତ ରିସର୍ଚ୍ଚ ଓ ନୂଆ ନୂଆ ଟେକନିକର ପରୀକ୍ଷାନିରୀକ୍ଷା ରହିଛି । ସେହିପରି ମହାକାଶ ଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ବି କରୁଥିଲେ ସୁନୀତା । ପୁରୁଣା ଉପକରଣ ବଦଳାଇବା ଓ ହାର୍ଡୱେୟାର ଯାଞ୍ଚ କରୁଥିଲେ । କାରଣ ଏକ ଫୁଟ୍‌ବଲ୍ ପଡ଼ିଆ ଆକାରର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ସୁପରିଚାଳନା ପାଇଁ ନିୟମିତ ରକ୍ଷଣାବେକ୍ଷଣ ଆବଶ୍ୟକ ହୋଇଥାଏ । ଏହାବ୍ୟତୀତ ଶାରୀରିକ ସୁସ୍ଥତା ପ୍ରତି ବି ଧ୍ୟାନ ଦେଉଥିଲେ ସୁନୀତା । ଶୂନ୍ୟରେ ଉଡୁଥିବାରୁ ମାଂସପେଶୀ ଓ ହାଡ଼ ଦୁର୍ବଳତାକୁ ଏଡାଇବା ପାଇଁ ନିୟମିତ ବ୍ୟାୟାମ କରୁଥିଲେ ।

ଓଜନ ତାଲିମ ଓ ଅନ୍ୟାନ୍ୟ ଫିଟନେସ୍ କାମରେ ସମୟ ବିତାଉଥିଲେ ସୁନୀତା । ଡାକ୍ତର ବାପାଙ୍କର ମହାକାଶଚାରୀ ଝିଅ ସୁନୀତାଙ୍କର ଏହି ଯାତ୍ରା ବେଶ୍ ଘଟଣାବହୁଳ ଓ ରୋମାଞ୍ଚକର । ପଶୁପକ୍ଷୀଙ୍କୁ ଭାରି ଭଲ ପାଉଥିବା ସୁନୀତା ପିଲାଟି ବେଳରୁ ପଶୁ ଡାକ୍ତର ହେବାକୁ ମନ ବଳାଇଥିଲେ । କିନ୍ତୁ, ସମୟଚକ୍ରରେ ବନିଗଲେ ମହାକାଶଚାରୀ । ପଶୁ ଡାକ୍ତର ହେବାକୁ ଆବେଦନ ବି କରିଥିଲେ । ମନ ପସନ୍ଦର କଲେଜରେ ସିଟ୍ ନ ମିଳିବାରୁ ଆଡମିସନ ନେଇ ନଥିଲେ । ଭାଇଙ୍କ ପରାମର୍ଶରେ ୧୯୮୩ରେ ଆମେରିକା ନୌସେନା ଏକାଡେମୀରେ ନାମ ଲେଖାଇଥିଲେ । ସେଇଠୁ ସାହାସର ଉଡାଣ ଆରମ୍ଭ କରିଥିଲେ ସୁନୀତା ।

୧୯୮୯ରେ ତାଲିମପ୍ରାପ୍ତ ପାଇଲଟ୍ ଭାବରେ ନୌସେନାରେ ଯୋଗ ଦେଇଥିଲେ । ୩୦ଟି ବିଭିନ୍ନ ପ୍ରକାରର ବିମାନରେ ୨୭ ଶହ ଘଣ୍ଟାରୁ ଅଧିକ ଉଡ଼ାଣ କରିଛନ୍ତି । ସବୁଠୁ ରୋମାଞ୍ଚକର କଥା, ଆଜି ଯେଉଁ ସୁନୀତାଙ୍କୁ ସାରା ବିଶ୍ବ ସାବାସୀ ଦେଉଛି ଓ ପ୍ରଶଂସାରେ ପୋତି ପକାଉଛି ଦିନେ ତାଙ୍କ ମହାକାଶ ଯାତ୍ରା ଆବେଦନକୁ ଗ୍ରହଣ କରି ନଥିଲା ନାସା । ତଥାପି ସେ ହାର ମାନି ନଥିଲେ ।

ମହାକାଶକୁ ଯିବା ପାଇଁ ୧୯୯୫ରେ ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ସୁନୀତା । ୧୯୯୭ରେ ପୁଣି ଥରେ ଆବେଦନ କରିଥିଲେ । ୧୯୯୮ରେ ଜଣେ ତାଲିମପ୍ରାପ୍ତ ମହାକାଶଚାରୀ ଭାବରେ ତାଙ୍କୁ ମନୋନୀତ କରିଥିଲା ନାସା । ଶେଷରେ ଆଠ ବର୍ଷ ପରେ ୯ ଡିସେମ୍ବର ୨୦୦୬ରେ ସୁନୀତାଙ୍କ ସ୍ବପ୍ନ ସାକାର ହେଲା । ମହାକାଶରେ ପାଦ ରଖିଥିଲେ ଭାରତୀୟ ବଂଶୋଦ୍ଭବ ଦ୍ୱିତୀୟ ଆମେରିକୀୟ ମହାକାଶଚାରୀ । ସୁନୀତା ଏହି ଥରକୁ ମିଶାଇ ୩ ଥର ଅନ୍ତରୀକ୍ଷ ମିଶନରେ ଯାଇ ସାରିଛନ୍ତି । ସେ ଇଣ୍ଟରନ୍ୟାସନାଲ୍ ସ୍ପେସ ସେଣ୍ଟରରେ ବିତାଇଛନ୍ତି ମୋଟ୍ ୬୦୮ ଦିନ ।

ଅଧିକ ପଢ଼ନ୍ତୁ: ୯ ମାସ ପରେ ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ, ଭାରତ ଆସିବା ପାଇଁ ମୋଦିଙ୍କ ଆମନ୍ତ୍ରଣ

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now