ପୁଅର ଲୋଭ ଆଗରେ ହାର ମାନିଲା ମା’ର ଅନ୍ତିମ ସଂସ୍କାର । ମା’ର ଶବଦାହଠାରୁ ବଳିଗଲା ପୁଅର ଜିଦିି । ମୃତ ମା’ର ଅଳଙ୍କାର ନ ପାଇବା ଯାଏଁ ଶବଦାହ କରାଇ ଦେବ ନାହିଁ ବୋଲି ପୁଅର ଜିଦି । ଏଭଳି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ହେଉଛି ଜୟପୁରର ବିରାଟନଗର ଅଂଚଳର ।
ଗତ ମେ ୩ରେ ଚ୍ଛିତର ରେଗରଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ଦ୍ୱାରା ଶବଦାହ ପାଇଁ ପ୍ରସ୍ତୁତି ଚାଲିଥିଲା । ସ୍ଥାନୀୟ ଏକ ମଶାଣୀରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାଟ ହୁଡିଥିଲେ ମୃତ ମହିଳାଙ୍କ ସାନ ପୁଅ ଓମପ୍ରକାଶ । ମା’ର ଅଳଙ୍କାର ନ ପାଇବା ଯାଏଁ ଶବଦାହ କରାଇ ଦେବେ ନାହିଁ ବୋଲି ଶବ ପାଖରେ ଅଡି ବସିଥିଲେ ।
ଅଧିକ ପଢନ୍ତୁ: ବିଦେଶ ବୁଲିବାକୁ ସଞ୍ଚିଥିଲେ, ସହୀଦଙ୍କ ପରିବାରକୁ ଦାନ କରିଦେଲେ ସବୁ ଟଙ୍କା
Also Read
ଘଟଣାଟି ଥିଲା କିଛି ଏମିତି । ଚ୍ଛିତର ରେଗର(୮୦) ଜୀବିତ ଥିବା ବେଳେ ତାଙ୍କ ବଡ ପୁଅ ଗିରିଧାରୀ ଲାଲଙ୍କ ପାଖରେ ରହୁଥିଲେ । ତେଣୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଅଳଙ୍କାରକୁ ବଡ ପୁଅକୁ ଦେବା ପାଇଁ ସ୍ଥିର କରିଥିଲେ ପରିବାର ଲୋକେ । ହେଲେ, ଏହାକୁ ନେଇ ରାଗି ଯାଇଥିଲେ ଓମପ୍ରକାଶ । ଆଶ୍ଚର୍ଯ୍ୟଜନକ ଭାବେ ସେ ତାଙ୍କ ମା’ଙ୍କର ଚିତା ଉପରେ ଶୋଇ ରହିଲେ । ଯେପର୍ଯ୍ୟନ୍ତ ତାଙ୍କ ମା’ଙ୍କ ରୂପା ଚୁଡି ତାଙ୍କୁ ଦିଆନଯାଏ, ସେପର୍ଯ୍ୟନ୍ତ ସେ ଶବ ଦାହ କରାଇ ଦେବେ ନାହିଁ ଜିଦି ଧରି ବସିଲେ ।
ସମ୍ପର୍କୀୟ ଓ ଗ୍ରାମବାସୀମାନେ ତାଙ୍କୁ ଯେତେ ବୁଝାସୁଝା କଲେ ମଧ୍ୟ ସେ କାହା କଥା ଶୁଣି ନଥିଲେ । ଏପରିକି ଯଦି ତାଙ୍କ କଥା କେହି ନ ଶୁଣନ୍ତି, ତାହାଲେ ମା’ଙ୍କ ଚିତା ସହିତ ସେ ନିଜକୁ ଜାଳି ଦେବେ ବୋଲି ଧମକ ଦେଲେ । ସ୍ଥାନୀୟ ଲୋକେ ବହୁ କଷ୍ଟରେ ଚିତା ଉପରୁ ତାଙ୍କୁ ବାହାରକୁ ଆଣିଥିଲେ ମଧ୍ୟ ସେ ଚିତା ପାଖରେ ସେମିତି ଜିଦିରେ ବସି ରହିଥିଲେ । ତାଙ୍କୁ ତାଙ୍କ ଦାବି ମୁତାବକ ଗହଣା ମିଳିବା ପରେ ହିଁ ସେ ସେଠାରୁ ଉଠିଥିଲେ ।
ଏଭଳି ଆପତ୍ତିଜନକ ପରିସ୍ଥିତି ଯୋଗୁଁ ନିର୍ଘଣ୍ଟ ସମୟଠାରୁ ଦୁଇ ଘଣ୍ଟା ବିଳମ୍ବରେ ହୋଇଥିଲା ଶେଷକୃତ୍ୟ । ତେବେ ଗ୍ରାମବାସୀଙ୍କ କହିବା ମୁତାବକ, ସମ୍ପତିକୁ ନେଇ ଓମପ୍ରକାଶ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା । ସେ ତାଙ୍କ ପରିବାରଠାରୁ ଅଲଗା ରୁହନ୍ତି ।
ଅଧିକ ପଢନ୍ତୁ:କୁନି ଝିଅର ଶପଥ- 'ଯିଏ ବାପାଙ୍କୁ ମାରିଛି ତାକୁ ମାଟିରେ ମିଶାଇଦେବି'