''ବାପାଙ୍କ ଭଳି ହେବି । ଗୋଟି ଗୋଟି କରି ବଦ୍ଲା ନେବି । ଖୋଜି ଖୋଜି ସମସ୍ତଙ୍କୁ ମାରିବି । ବ୍ୟର୍ଥ ଯିବାକୁ ଦେବିନି ମୋ ବାପାଙ୍କ ବଳିଦାନ । ପାକିସ୍ତାନକୁ ମାଟିରେ ମିଶାଇ ଦେବି ।'' ଇଏ ପାକ୍ ଆକ୍ରମଣରେ ସହିଦ ସର୍ଜଣ୍ଟ ସୁରେନ୍ଦ୍ର ମୋଗାଙ୍କ ୧୧ ବର୍ଷର ଝିଅ ବର୍ତ୍ତିକାଙ୍କ କଥା । ବାପାଙ୍କ ମୃତ୍ୟୁର ୨ ଦିନ ନ ବିତୁଣୁ ଝିଅ ଅଣ୍ଟା ଭିଡିଛି ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବାକୁ । ବଡ଼ ହେଲେ ବାପାଙ୍କ ଭଳି ସେନାର ସାହସୀ ଅଫିସର ହେବ । ଆଉ ଶତ୍ରୁ ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବ । କୁନି ଝିଅର ଏଭଳି ଶପଥ ଏବେ ଚର୍ଚ୍ଚାରେ ।
ରାଜସ୍ଥାନ ଝୁନ୍ଝୁନ୍ର ସୁରେନ୍ଦ୍ର କୁମାର ମୋଗା । ସେ ଭାରତୀୟ ସେନାରେ ସର୍ଜଣ୍ଟ ଥିଲେ । ଶନିବାର ରାତିରେ ସେ ପରିବାର ସହ କଥା ହୋଇଥିଲେ । ଯୁଦ୍ଧ ପରିସ୍ଥିତି ନେଇ ଘର ଲୋକଙ୍କୁ ଜଣାଇଥିଲେ । ହେଲେ ରାତି ପାହିବା ପରେ ଘରକୁ ଆସିଥିଲା ତାଙ୍କ ପାର୍ଥିବ ଶରୀର । କାନ୍ଦ ବୋବାଳିରେ ଫାଟିପଡିଥିଲା ପୂରା ଗାଁ । ଦେଶର ସୀମାକୁ ରକ୍ଷା କରିବାକୁ ଯାଇ ସହିଦ ହୋଇଥିଲେ ସୁରେନ୍ଦ୍ର । ସ୍ତ୍ରୀ ଆଖିରୁ ଲୁହ ଗଡ଼ି ଯାଉଥିଲେ ମଧ୍ୟ ଦେଶ ପାଇଁ ସହିଦ ହୋଇଥିବା ସ୍ୱାମୀଙ୍କ ପାଇଁ ଆଖିରେ ଥିଲା ଗର୍ବ । ସେପଟେ ଶତ୍ରୁ ଗୁଳିରେ ବୀରଗତି ପ୍ରାପ୍ତ କରିଥିବା ସୁରେନ୍ଦ୍ରଙ୍କ ଝିଅ ବି ଦେଇଛି ରଣହୁଙ୍କାର । ବାପାଙ୍କ ବଳିଦାନର ପ୍ରତିଶୋଧ ନେବାକୁ ନେଇଛି ଶପଥ ।
ଅଧିକ ପଢ଼ନ୍ତୁ: ଏହି ୫ କାରଣ ପାଇଁ ଭାରତକୁ ଅସ୍ତ୍ରବିରତିର ଭିକ ମାଗିଲା ପାକିସ୍ତାନ !
ସୁରେନ୍ଦ୍ର ନିକଟରେ ଘରକୁ ଆସିଥିଲେ । ପରିବାର ସହ ରହି ଏପ୍ରିଲ ୧୫ରେ ଫେରି ଯାଇଥିଲେ ଡ୍ୟୁଟିକୁ । ମେ’ ୧୦ ତାରିଖରେ ଜମ୍ମୁ-କଶ୍ମୀରର ଆର୍ଏସ୍ପୁରା ସେକ୍ଟରରେ ପାକିସ୍ତାନ ପଟୁ ହୋଇଥିବା ଗୁଳିମାଡ଼ରେ ସେ ବୀରଗତି ପ୍ରାପ୍ତ କରିଥିଲେ । ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି ।
ସହିଦ ସୁରେନ୍ଦ୍ରଙ୍କ କାହାଣୀ ଜଣେ ବାପା, ସ୍ୱାମୀ ଏବଂ ଜଣେ ପ୍ରକୃତ ଦେଶପ୍ରେମୀଙ୍କ କାହାଣୀ । କେବଳ ଝୁନଝୁନୁ ନୁହେଁ, ସମଗ୍ର ଦେଶ ଏହି ସହିଦଙ୍କ ପାଇଁ ଗର୍ବିତ । ଆଉ ଏବେ ତାଙ୍କ ଝିଅ ବର୍ତ୍ତିକାଙ୍କ ଆଖିରେ କେବଳ ଗୋଟିଏ ସ୍ୱପ୍ନ ଅଛି - ତାଙ୍କ ବାପାଙ୍କ ଅସମ୍ପୂର୍ଣ୍ଣ ମିଶନକୁ ପୂରଣ କରିବା ।