/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670435182.jpg)
Rescue operation
ମଙ୍ଗଳବାର ପ୍ରାୟ ୫ଟା। ବେଳ ଗଡ଼ିବାରେ ଲାଗିଥାଏ, ମାଡ଼ି ଆସୁଥାଏ ଶୀତୁଆ ସଞ୍ଜ। ବଡ଼ ଭଉଣୀ ସହ ନିଜଘର କ୍ଷେତରେ ଖେଳୁ ଖେଳୁ, ହଠାତ୍ ଆଉ ଜଣଙ୍କ ବିଲକୁ ଚାଲିଗଲା ୮ ବର୍ଷୀୟ ତନ୍ମୟ। କିଏ ଜାଣିଥିଲା, ସେଠି ଆଁ କରି ଜଗିବସିଛି ବିପଜ୍ଜନକ ବୋରୱେଲ୍ ନିଜେ କିଛି ଠଉରେଇବା ଆଗରୁ ଏଇ ଖୋଲା ନଳକୂଅ ଗର୍ତ୍ତରେ ଗଳି ପଡ଼ିଥିଲା ଅବୋଧ ବାଳକ। ଗର୍ତ୍ତର ଗଭୀରତା ୪ଶହ ଫୁଟ୍ ହୋଇଥିବା ବେଳେ, ଭୂଇଁଠୁ ୫୫ ଫୁଟ୍ ତଳେ ଅଟକିଥିଲା ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡଭିର ତନ୍ମୟ ସାହୁ।
ଗାତରେ ଛୁଆ ପଡ଼ିଯାଇଛି ବୋଲି ଚାରିଆଡ଼ ଚହଳ ପଡ଼ିଯିବା ପରେ, ତୁରନ୍ତ ସେଠି ପହଞ୍ଚିଥିଲେ ଉଦ୍ଧାରକାରୀ ଟିମ୍ ପୋଲିସ, ୨ଟି SDRFଟିମ୍ ଓ ଡାକ୍ତରୀ ଦଳ ପହଞ୍ଚି ତୁରନ୍ତ ଗର୍ତ୍ତ ଭିତରକୁ ପାଇପ୍ ଛାଡ଼ି ପିଲାଟିକୁ ଅମ୍ଳଜାନ ଯୋଗାଇଥିଲେ କିଛି ଖାଦ୍ୟ ଓ ପାନୀୟ ମଧ୍ୟ ପଠାଯାଇଥିଲା। ଏଥିସହ ପିଲାର ସ୍ଥିତି ଉପରେ ନଜର ରଖିବା ପାଇଁ ଗର୍ତ୍ତ ଭିତରକୁ କ୍ୟାମେରା ଛଡ଼ାଯାଇଥିଲା। ତନ୍ମୟକୁ ଉଦ୍ଧାର କରିବା ପାଇଁ ପ୍ରଥମେ ଜେସିବିର ବ୍ୟବହାର କରାଯାଇଥିଲା ଏବଂ ବୋରୱେଲ୍ ସହ ସମାନ୍ତରାଳ ଭାବେ ୨ଟି ଗାତ ଖୋଳାଯାଇଥିଲା।
ତେବେ ୪୦ ଫୁଟ୍ ଖନନ ପରେ ଉଦ୍ଧାର କାର୍ଯ୍ୟରେ ବାଧା ଆଣିଛି ଏକ ବିରାଟ ପଥର। ତେଣେ ଗର୍ତ୍ତ ଭିତରୁ କୌଣସି ଶବ୍ଦ ଶୁଭୁନଥିବାରୁ ପିଲାଟି ଅଚେତ ହୋଇଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ୍ ଉଦ୍ଧାର କାର୍ଯ୍ୟର ଲଗାତର ଭାବେ ଅନୁଧ୍ୟାନ କରୁଛନ୍ତି। ଏଣେ ଘରର ଗୋଟେ ବୋଲି ପୁଅ ତନ୍ମୟ ମାଟି ତଳେ କିଭଳି ସ୍ଥିତିରେ ଥିବ, ସେ କଥା ଭାବି ଭାବି ପରିବାର ଆଖିରୁ ଲୁହ ଶୁଖିଗଲାଣି। ଅନ୍ୟପକ୍ଷରେ ବେତୁଲ ଏସ୍ପି କହିଛନ୍ତି, ଖୋଲା ବୋରୱେଲ୍ ଥିବା ଜମି ମାଲିକ ବିରୋଧରେ ମାମଲା ରୁଜୁ ହେବ।
ମାତ୍ର ୬ ମାସ ତଳେ ସାରା ଦେଶରେ ଚହଳ ପକାଇ ଦେଇଥିଲା ଛତିଶଗଡ଼ର ବୋରୱେଲ୍ ଟ୍ରାଜେଡି। ଶତାଧିକ ଘଣ୍ଟାର ଅପରେସନ୍ ପରେ ଗୁରୁତର ଅବସ୍ଥାରେ ଏକ ଅଶୀ ଫୁଟ୍ ଗଭୀର ପରିତ୍ୟକ୍ତ ବୋରୱେଲ୍ ଭିତରୁ ଉଦ୍ଧାର ହୋଇଥିଲା ଜାଞ୍ଜଗିରି ଚାମ୍ପାର ୧୦ ବର୍ଷୀୟ ବାଳକ ରାହୁଲ। ଆଉ ଗତକାଲି ମଧ୍ୟପ୍ରଦେଶରେ ପୁଣି ଏକାଭଳି ଘଟଣାର ପୁନରାବୃତ୍ତି ଘଟିଛି। ପ୍ରଶ୍ନ ଉଠୁଛି, ବାରମ୍ବାର ଅଘଟଣ ପରେ ବି ଲୋକଙ୍କ ନିଦ ଭାଙ୍ଗୁନି କେମିତି? ସେମାନେ ଚେତୁ ନାହାନ୍ତି କାହିଁକି? ବୋରୱେଲ୍ ବସାଇବାକୁ ଗଭୀର ଗର୍ତ୍ତ ଖୋଳାଯାଉଛି। ସେଠୁ ପାଣି ନବାହାରିଲେ ଗର୍ତ୍ତକୁ ନବୁଜି ଅସୁରକ୍ଷିତ ଓ ବିପଜ୍ଜନକ ଅବସ୍ଥାରେ ଛାଡ଼ି ଦିଆଯାଉଛି। ଏଭଳି ଦାୟିତ୍ୱହୀନତା ପାଇଁ ଦାୟୀ କିଏ? କେବଳ ଜମି ମାଲିକ, ନା ଏଠି ପ୍ରଶାସନର ବି ରହିଛି ବଡ଼ ଭୂମିକା?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)