/odishatv-khabar/media/post_attachments/uploadimage/library/16_9/16_9_0/rbi_1749225183.jpg)
rbi
ଋଣକର୍ତ୍ତାଙ୍କୁ ରିହାତି। ଲଗାତର ତୃତୀୟ ଥର ପାଇଁ କମିଲା ରେପୋ ରେଟ୍। ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ କମାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଫଳରେ ଗୃହ ଋଣ ଓ କାର୍ ଋଣ EMI ରାଶି କମିବ। ଖାଲି ସେତିକି ନୁହେଁ, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ଅର୍ଥ ଆଣିବା ଲାଗି କ୍ୟାସ୍ ରିଜର୍ଭ ରେସିଓକୁ ବି ୧୦୦ ବେସିସ୍ ପଏଣ୍ଟ କମାଇବାକୁ ନିଷ୍ପତ୍ତି ନେଇଛି RBI। ରେପୋ ରେଟ୍ ହ୍ରାସକୁ ଋଣକର୍ତ୍ତା ସ୍ବାଗତ କରିଥିବା ବେଳେ ବିଶାରଦ କହିଛନ୍ତି ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଅର୍ଥନୀତିକୁ ଅଧିକ ଚଳଚଞ୍ଚଳ କରିବ।
ଅଧିକ ପଢ଼ନ୍ତୁ: ଏଇଥି ପାଇଁ ସ୍ୱତନ୍ତ୍ର ଚେନାବ୍ ବ୍ରିଜ, ଚମକାଇ ଦେଇଛି ସାରା ବିଶ୍ୱକୁ
ଖସିବ ସୁଧହାର। କମିବ EMI। କାହିଁକି ନା ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବା ୦.୫ ପ୍ରତିଶତ ହ୍ରାସ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ନିଜର ତୃତୀୟ ଦ୍ବିମାସିକ ମୁଦ୍ରାନୀତି କମିଟି- MPC ବୈଠକରେ ରେପୋ ରେଟ୍ ୬ ପ୍ରତିଶତରୁ ୫.୫ ପ୍ରତିଶତକୁ କମାଇଛନ୍ତି। ଅର୍ଥାତ୍ ପୂର୍ବରୁ ରିଜର୍ଭ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ୬ ପ୍ରତିଶତ ସୁଧ ହାରରେ ଋଣ ଦେଉଥିବା ବେଳେ ଏଣିକି ନେବ ୫.୫ ପ୍ରତିଶତ ସୁଧ। ଏହାପୂର୍ବରୁ ଗତ ଫେବ୍ରୁଆରୀ ଓ ଏପ୍ରିଲ୍ ବୈଠକ ବେଳେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ଲେଖାଏଁ କମାଇଥିଲା। ଯେହେତୁ RBI ସୁଧହାର ପୁଣି ୫୦ ବେସିସ୍ ପଏଣ୍ଟ କମାଇଛି, ବ୍ୟାଙ୍କଗୁଡ଼ିକ ମଧ୍ୟ ଋଣ ଉପରେ ସେମାନଙ୍କ ସୁଧହାର କମାଇବେ। ଆଉ ଏହାର ସିଧାସଳଖ ଫାଇଦା ପାଇବେ ଗୃହ, କାର୍, MSME, ଖୁଚୁରା ଋଣ ଭଳି ବିଭିନ୍ନ ପ୍ରକାର ଲୋନ୍ ନେଇଥିବା ଋଣକର୍ତ୍ତା। ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଖୁଚୁରା ମୁଦ୍ରାସ୍ଫୀତି ୩.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି। ଏହା କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଧ୍ୟାର୍ଯ୍ୟ ନିୟନ୍ତ୍ରିତ ସ୍ତର ମଧ୍ୟରେ ରହିଛି। ତେଣୁ ଋଣ ସୁଧ ହାର ଶସ୍ତା କରାଇ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି RBI।
ଏବେ ପ୍ରଶ୍ନ, ୫୦ ବେସିସ୍ ରେପୋ କମିଲେ, ଜଣେ ଋଣକର୍ତ୍ତାଙ୍କ ସୁଧହାର କେତେ କମିବ ? ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ମତରେ, ଯଦି ଜଣେ ବ୍ୟକ୍ତି ୨୦ ବର୍ଷ ପାଇଁ ୫୦ ଲକ୍ଷ ଟଙ୍କାର ଗୃହ ଋଣ ନେଇଛନ୍ତି, ଆଉ ସେ ଯେତିକି EMI ଦେଉଛନ୍ତି ଯଦି ସେହି ପରିମାଣର EMIରେ ଜଣେ ବ୍ୟକ୍ତି ୫୦ ଲକ୍ଷ ଟଙ୍କାର ନୂଆ ହୋମ ଲୋନ୍ ନେବାକୁ ଚାହିଁବେ, ତାଙ୍କ ଇଏମଆଇ ୨୦ ବର୍ଷରୁ ୨୦ ମାସ କମିଯିବ। ଯଦି ଋଣକର୍ତ୍ତା ଏହି ୨୦ ବର୍ଷିଆ ଋଣରୁ ୧୦ ବର୍ଷ ଇଏମଆଇ ଦେଇସାରିଛନ୍ତି, ତେବେ ବଳକା ଋଣ ପରିଶୋଧ ବେଳେ ତାଙ୍କର ୧୦ଟି ଇଏମ୍ଆଇ କମିଯିବ।...
ସେପଟେ ରିଜର୍ଭ ବ୍ୟାଙ୍କ ରେପୋ ସହିତ କ୍ୟାସ୍ ରିଜର୍ଭ ରେସିଓ ବା CRRକୁ ୧୦୦ ବେସିସ୍ ପଏଣ୍ଟ କମାଇବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ମାସରୁ ୪ଟି କିସ୍ତିରେ CRR ହ୍ରାସ କରିବେ ରିଜର୍ଭ ବ୍ୟାଙ୍କ। ଅର୍ଥାତ୍ ବ୍ୟାଙ୍କଗୁଡ଼ିକ ପୂର୍ବରୁ ସେମାନଙ୍କ ମୋଟ ଅର୍ଥର ୪ ପ୍ରତିଶତ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଜମା ରଖୁଥିବା ବେଳେ ଏଣିକି ୩ ପ୍ରତିଶତ ରଖିବେ। ଏହା ଦ୍ବାରା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ଅଢ଼େଇ ଲକ୍ଷ କୋଟି ଟଙ୍କା ଆସିବ। ଫଳରେ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଯୋଗାଇବାରେ ସମର୍ଥ ହେବେ। ଅର୍ଥନୀତି ବିଶାରଦଙ୍କ ମତରେ, RBIର ଏହି ନିଷ୍ପତ୍ତି ଅର୍ଥନୀତିକୁ ଅଧିକ ସୁଦୃଢ କରିବ। RBI ଗଭର୍ଣ୍ଣରଙ୍କ ଏ ନିଷ୍ପତ୍ତି ଋଣକର୍ତ୍ତାଙ୍କୁ କେତେ ଆଶ୍ବସ୍ତ କରୁଛି ଓ ଭାରତର ଆର୍ଥିକ ସ୍ଥିତିକୁ କେତେ ମଜବୁତ କରୁଛି, ତାହା ଦେଖିବାକୁ ବାକି ରହିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)