/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745739874.jpg)
Mann Ki Baat
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 'ମନ୍ କୀ ବାତ୍' କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପହଲଗାମ୍ ଆତଙ୍କୀ ହମ୍ଲାକୁ ନେଇ ପୁଣିଥରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ବର୍ବରୋଚିତ ଆକ୍ରମଣ ପ୍ରତିଟି ଭାରତୀୟଙ୍କୁ ଦୁଃଖ ଦେଇଛି । ସମସ୍ତଙ୍କ ମନରେ ଆକ୍ରୋଶ ରହିଛି । ଯିଏ ଯେଉଁ ରାଜ୍ୟର, ଯେଉଁ ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି ସମସ୍ତଙ୍କ ମନରେ ପୀଡିତଙ୍କ ପ୍ରତି ଗଭୀର ସମବେଦନା ରହିଛି । ତେବେ ପୀଡିତଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ ଏବଂ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯିବ ବୋଲି ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଆଜି ମନ୍ କୀ ବାତ୍ର ୧୨୧ତମ ସଂସ୍କରଣରେ ମୋଦି କହିଛନ୍ତି, ପହଲଗାମ୍ ଆତଙ୍କୀ ଆକ୍ରମଣ ସେତେବେଳେ ହୋଇଛି ଯେତେବେଳେ କାଶ୍ମୀରରେ ଶାନ୍ତି ଫେରୁଥିଲା । ଗଣତନ୍ତ୍ର ମଜଭୁତ ହେଉଥିଲା । ସ୍କୁଲ, କଲେଜ ସ୍ୱାଭାବିକ ଭାବରେ ଚାଲୁଥିଲା । ପର୍ଯ୍ୟଟକଙ୍କ ସଂଖ୍ୟାରେ ଅଦ୍ଭୁତପୂର୍ବ ବୃଦ୍ଧି ସହ ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ୁଥିଲା । ଯୁବଗୋଷ୍ଠୀଙ୍କ ଲାଗି ନୂତନ ସମ୍ଭାବନା ସୃଷ୍ଟି ହେଉଥିଲା । ହେଲେ ଦେଶ ଓ ଜମ୍ମୁ-କାଶ୍ମୀରର ଶତ୍ରୁମାନେ ଏହି ବିକାଶକୁ ସହିପାରିଲେ ନାହିଁ ।
ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର
ଆତଙ୍କବାଦୀ ଚାହାନ୍ତି କାଶ୍ମୀର ପୁଣିଥରେ ବର୍ବାଦ ହୋଇଯାଉ । ସେଥିପାଇଁ ଏତେ ବଡ଼ ଷଡଯନ୍ତ୍ର ରଚିଲେ । ଆତଙ୍କବାଦ ବିରୋଧରେ ଆମର ଲଢେଇରେ ୧୪୦ କୋଟି ଭାରତୀୟଙ୍କ ଏକତା ହିଁ ସବୁଠୁ ବଡ଼ ଶକ୍ତି । ଆମର ଏକତା ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇର ଆଧାର । ଦେଶ ଆଗରେ ଥିବା ଏହି ଆହ୍ୱାନକୁ ସାମ୍ନା କରିବାକୁ ହେଲେ ଆମର ସଂକଳ୍ପକୁ ଆହୁରି ମଜଭୁତ କରିବାକୁ ହେବ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତୀୟଙ୍କ ମନରେ ଯେଉଁ ଆକ୍ରୋଶ ଅଛି, ତାହା ପୂରା ବିଶ୍ୱରେ ରହିଛି । ପହଲଗାମ୍ ଆକ୍ରମଣରେ ସାରା ବିଶ୍ୱ ସମବେଦନା ଜଣାଉଛି । ମୋତେ ବିଶ୍ୱନେତାମାନଙ୍କ ଫୋନ୍ ଆସୁଛି, ବାର୍ତ୍ତା ଆସୁଛି । ସମସ୍ତେ ଏହି ଜଘନ୍ୟ ଆତଙ୍କୀ ହମ୍ଲାକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି । ପୀଡିତଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ସମଗ୍ର ବିଶ୍ୱ ଆତଙ୍କବାଦ ବିରୋଧରେ ଆମର ଲଢ଼େଇରେ ୧୪୦ କୋଟି ଭାରତୀୟଙ୍କ ସହ ଛିଡ଼ା ହୋଇଛି । ମୁଁ ପୀଡିତଙ୍କ ପରିବାରକୁ ପ୍ରତିଶ୍ରୁତି ଦେଉଛି ଯେ, ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଆତଙ୍କବାଦୀ ଏବଂ ଷଡଯନ୍ତ୍ରକାରୀଙ୍କୁ କଠୋର ଜବାବ ଦିଆଯିବ ।
ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ମନ୍ କୀ ବାତ୍ରେ ପୂର୍ବତନ ଇସ୍ରୋ ମୁଖ୍ୟ ବୈଜ୍ଞାନିକ ଡକ୍ଟର କେ. କସ୍ତୁରୀରଙ୍ଗନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)