/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749729208.jpg)
ଡାକ୍ତରଙ୍କ ହଷ୍ଟେଲରେ ପିଟିହେଲା ବିମାନ
ସମୟ ଦିନ ୧ଟା ୩୮ ମିନିଟ୍ । ଅହମ୍ମଦାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ 171 ବିମାନ । ଟେକ୍-ଅଫ୍ର ମାତ୍ର ୫ ମିନିଟ୍ରେ ଘଟିଥିଲା କ୍ରାସ୍ । ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରିଉ ମେମ୍ବର ଥିଲେ । ସେମାନଙ୍କ ମଧ୍ୟରୁ ୧୬୯ ଭାରତୀୟ ହୋଇଥିବା ବେଳେ ୫୩ ଜଣ ବ୍ରିଟିଶ, ୭ ପର୍ତ୍ତୁଗୀଜ୍, ଜଣେ କାନାଡୀୟ ନାଗରିକ ଥିବା ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ।
ଅଧିକ ପଢ଼ନ୍ତୁ: ବିମାନରେ ଥିଲେ କେତେ ଭାରତୀୟ, ସୂଚନା ଦେଲା ଏୟାର ଇଣ୍ଡିଆ
ରନୱେରୁ ଉଡ଼ାଣ ଭରିବା ମାତ୍ରେ ବିମାନ ବନ୍ଦର ନିକଟରେ ଥିବା ବିଜେ ମେଡିକାଲ କଲେଜର ରେସିଡେଣ୍ଟ ଡାକ୍ତର ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ କୋଠାରେ ମଧ୍ୟ ନିଆଁ ଲାଗିଯାଇଥିଲା। କୁହାଯାଉଛି ଯେ ସେହି ସମୟରେ ଏହି ହଷ୍ଟେଲରେ ଉପସ୍ଥିତ ଥିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ଯଦିଓ ସରକାରୀ ସ୍ତରରୁ ସ୍ପଷ୍ଟ ସୂଚନା ମିଳିନି କିନ୍ତୁ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏହି ଡାକ୍ତର ହଷ୍ଟେଲରେ ୨୦ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି।
ବିଜେ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିବା ଏୟାର ଇଣ୍ଡିଆ ବିମାନର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋଗୁଡ଼ିକରେ ଦେଖାଯାଉଛି ଯେ ବିମାନର ପଛ ଭାଗ ହଷ୍ଟେଲ କୋଠା ଉପରେ ରହିଚି । ଆଉ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳି ଯାଇଛି, ଯାହା ଯୋଗୁଁ ଧୂଆଁ ଉଠିଥିବା ଦେଖାଯାଉଛି। ବର୍ତ୍ତମାନ, NDRFର ତିନୋଟି ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ଭଦୋଦରାରୁ NDRFର ଦୁଇଟି ଦଳ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର ସୃଷ୍ଟି କରାଯାଇଛି। ଆହତମାନଙ୍କୁ ସେଠାରେ ଭର୍ତ୍ତି କରାଯାଉଛି ।
ମିଳିଥିବା ସୂଚନା ମୁତାବକ, ଏହି ବିମାନଟି ଟେକ୍-ଅଫ୍ର ତୁରନ୍ତ ପରେ ପାଇଲଟ୍ ଆସନ୍ନ ବିପଦ ଜାଣିପାରି ‘MAYDAY CALL’ କରିଥିଲେ । କିନ୍ତୁ ଏହାପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଏୟାରପୋର୍ଟଠାରୁ ମାତ୍ର ୧୫ କିମି ଦୂର ମେଘାନୀ ନଗର ନିକଟରେ ବିମାନ କ୍ରାସ୍ ହୋଇଯାଇଥିଲା । ଏବେ ବି ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ୯୦ ଜଣିଆ NDRF ଟିମ୍ ସହ ଏକାଧିକ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ସେପଟେ ବିମାନ ଦୁର୍ଘଟଣା ଖବର ପାଇ ପହଞ୍ଚିବାରେ ଲାଗିଛନ୍ତି ଯାତ୍ରୀଙ୍କ ନିକଟ ସମ୍ପର୍କୀୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)