BJP-Congress Rift Widens Nationwide: ସଂସଦ ଧକ୍କାବାଜି ମାମଲା: ବଢ଼ିପାରେ ରାହୁଲଙ୍କ ଅଡ଼ୁଆ, ଘାରିଲା ଗିରଫଦାରି ଭୟ...

ବିଜେପିର ବିକ୍ଷୋଭ ବନାମ୍ କଂଗ୍ରେସର ପ୍ରତିବାଦ। ରାଜ୍ୟସଭାରେ ସମ୍ବିଧାନ ବିତର୍କରୁ ଆରମ୍ଭ ହୋଇଥିବା ବିବାଦ, ଗତକାଲି ସଂସଦର ମକରଦ୍ବାର ଦେଇ ନୂଆ ମୋଡ଼ ନେବା ପରେ, ଦେଶ ଉଠୁଛି, ଆଉ ପଡ଼ୁଛି।

Rahul Gandhi

ସଂସଦ ପରିସରରେ ଧକ୍କାକାଣ୍ଡ ଘଟଣାରେ ବଢ଼ିବ କି ରାହୁଲ ଗାନ୍ଧିଙ୍କ ଅଡ଼ୁଆ? ତାଙ୍କୁ ଦିଲ୍ଲୀ ପୋଲିସ କ୍ରାଇମ ୟୁନିଟ୍ ପକ୍ଷରୁ ଜେରା, ଏପରିକି ଗିରଫଦାରୀର ବି ସାମ୍ନା କରିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆହତ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲେ ବି ଉଭୟେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ତେଣେ ଆମ୍ବେଦକର ଓ ଠେଲାପେଲା ପ୍ରସଙ୍ଗରେ ଦେଶବ୍ୟାପୀ ଏନଡିଏ ଓ ଇଣ୍ଡି ମେଣ୍ଟ ପକ୍ଷରୁ ଧାରଣା ଓ ବିକ୍ଷୋଭ ଜାରି ରହିଛି।

ଶାହଙ୍କ ମନ୍ତବ୍ୟ ବନାମ୍ ରାହୁଲଙ୍କ ଧକ୍କା । 'ଆମ୍ବେଦକରଙ୍କୁ ଅପମାନ' ବନାମ୍ 'ସଂସଦର ଅପମାନ'। ଶାହଙ୍କ କ୍ଷମା ଦାବି ବନାମ୍ ରାହୁଲଙ୍କୁ ଗିରଫ ଦାବି । ବିଜେପିର ବିକ୍ଷୋଭ ବନାମ୍ କଂଗ୍ରେସର ପ୍ରତିବାଦ। ରାଜ୍ୟସଭାରେ ସମ୍ବିଧାନ ବିତର୍କରୁ ଆରମ୍ଭ ହୋଇଥିବା ବିବାଦ, ଗତକାଲି ସଂସଦର ମକରଦ୍ବାର ଦେଇ ନୂଆ ମୋଡ଼ ନେବା ପରେ, ଦେଶ ଉଠୁଛି, ଆଉ ପଡ଼ୁଛି। ଦିଲ୍ଲୀ, ମୁମ୍ବାଇ, ନାଗପୁର, ଜମ୍ମୁ। କେଉଁଠି ବିଜେପି, କେଉଁଠି କଂଗ୍ରେସ। ଗତକାଲିଠୁ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଭିତରେ, ଆଜି ସଂସଦ ପରିସରରେ ସକାଳୁ ସକାଳୁ ଯେ'ଝା ମେଳି ବାନ୍ଧିଥିଲେ ଏନ୍‌ଡ଼ିଏ ଓ ଇଣ୍ଡି ମେଣ୍ଟ ସାଂସଦ। ଗାନ୍ଧି ମୂର୍ତ୍ତି ତଳେ ବିଜେପି ସମେତ ଏନ୍‌ଡ଼ିଏ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ, ବିଜୟ ଚୌକରୁ ପ୍ରତିବାଦ ଶୋଭାଯାତ୍ରାରେ ପାର୍ଲାମେଣ୍ଟ ପରିସରକୁ ଯାଇଥିଲେ କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ସାଂସଦ। ତେବେ ଲୋକସଭା ଭିତରେ ଜୋର ଧରିଥିଲା ହଙ୍ଗାମା। ବିରୋଧୀ ଦଳ ପାଟିତୁଣ୍ଡ-ନାରାବାଜି ଜାରି ରଖିଥିବା ବେଳେ, ସଂସଦ ଦ୍ବାର ଓ ପରିସରରେ କୌଣସି ପ୍ରକାର ଧାରଣା ପ୍ରଦର୍ଶନ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ନଚେତ୍ ସଂସଦକୁ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲେ ।

ଅଧିକ ପଢନ୍ତୁ: ଚମକାଇଦେଲେ ଅପରାଜିତା ଷଡଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦେଲେ ବ୍ୟାଗ ଉପହାର

ଆଜି ଲୋକସଭା ଓ ରାଜ୍ୟସଭା ସାଇନ-ଡାଏ ଘୋଷିତ ହୋଇଥିବା ବେଳେ, ସରିଛି ସଂସଦର ଶୀତ ଅଧିବେଶନ। ୨୬ ଦିନରେ ଲୋକସଭାର ୨୦ ଓ ରାଜ୍ୟସଭାର ୧୯ଟି ସିଟିଂ ହୋଇଛି। ତେବେ ଶୀତ ଅଧିବେଶନ ସରିଥିଲେ ମଧ୍ୟ, ଥଣ୍ଡା ପଡ଼ିନି ଆମ୍ବେଦକର ରାଜନୀତି। ବାଚସ୍ପତି ଲୋକସଭା ଅନିଶ୍ଚିତ କାଳ ପାଇଁ ସ୍ଥଗିତ ଘୋଷଣା କରିବା ପରେ ବି, ସଂସଦ ପରିସରରେ ଉଭୟ ପକ୍ଷରୁ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଗତକାଲିର ଧକ୍କାକାଣ୍ଡ ପରେ ବଢ଼ିପାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡ଼ୁଆ। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ- ବିଜେପିର ଏତଲା ଆଧାରରେ ଦିଲ୍ଲୀ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ମାମଲାର ତଦନ୍ତ କରିପାରେ। ଆହତ ସାଂସଦଙ୍କ ବୟାନ ରେକର୍ଡ ପରେ ରାହୁଲଙ୍କୁ ପଚରାଉଚରା ପାଇଁ ଡାକିପାରେ ଦିଲ୍ଲୀ ପୋଲିସ । ଏଥିସହିତ ସଂସଦ ଭବନ ମକରଦ୍ବାରର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଗତକାଲି ରାହୁଲଙ୍କ ବିରୋଧରେ BNSର ୬ଟି ଦଫାରେ ମାମଲା ରୁଜୁ ହୋଇଛି। ସେଥିରୁ ଧାରା ୧୧୭ (ଜାଣିଶୁଣି ଗୁରୁତର ଆହତ କରିବା) ଏବଂ ଧାରା ୧୨୫ (ଅନ୍ୟର ଜୀବନ ପ୍ରତି ବା ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା) ଧର୍ତ୍ତବ୍ୟ ଅପରାଧ ହୋଇଥିବାରୁ, ଏଥିପାଇଁ ପୋଲିସ ବିନା କୋର୍ଟ ୱାରେଣ୍ଟରେ ରାହୁଲ ଗାନ୍ଧିଙ୍କୁ ଗିରଫ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସେପଟେ ଏବେବି ଦିଲ୍ଲୀ RML ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ। ଉଭୟଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏଥିସହ ଗତକାଲିର ଘଟଣାକୁ ନିନ୍ଦା କରିବା ସହ, ରାହୁଲଙ୍କ କ୍ଲବ୍ ବାଉନ୍ସର ଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବୈଜୟନ୍ତ।

ଅଧିକ ପଢନ୍ତୁ: ପ୍ରତାପଙ୍କୁ ଠେଲାପେଲା ଘଟଣାକୁ ସବୁଠି ନିନ୍ଦା; ଫୋନ୍‌ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି

ଏପଟେ ଭୁବନେଶ୍ବରରେ ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରିଛି ରାଜ୍ୟ ବିଜେପି ଏଥିସହ ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।