ରାଜନୀତିରେ ବୟାନବାଜି ଚାଲେ । ବାକଯୁଦ୍ଧ ହୁଏ । ଜଣେ ରାଜନେତା ତାଙ୍କ ପ୍ରତିପକ୍ଷଙ୍କୁ ଜବାବ ଦିଅନ୍ତି । ଏହା ଚିରାଚରିତ ଘଟଣା । କିନ୍ତୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଭାରି ଚର୍ଚ୍ଚା । ସମସ୍ତଙ୍କୁ ଚକିତ କରିଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବ୍ୟାଗର ଜବାବ ଦେଲେ ବ୍ୟାଗରେ । ସଂସଦକୁ ୧୯୮୪ ଲେଖାଥିବା ବ୍ୟାଗ ଆଣି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଉପହାର ଦେଇଛନ୍ତି ।
ଅପରାଜିତା ଷଡଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କାଙ୍କୁ ଏକ ବ୍ୟାଗ ଉପହାର ଦେଇଛନ୍ତି । ଏହି ବ୍ୟାଗରେ ଲେଖାଯାଇଛି ‘୧୯୮୪ ‘ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା । ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ମନେ ପକାଇଦେବା ପାଇଁ ଅପରାଜିତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଏହି ବ୍ୟାଗ ଉପହାର ଦେଇଛନ୍ତି । ସମ୍ୱିଧାନ ପ୍ରଣେତା ବାବାସାହେବ ଆମ୍ୱେଦକରଙ୍କୁ ନେଇ ଆରୋପ ପ୍ରତ୍ୟାରୋପ ସଂସଦରେ ଲାଗି ରହିଥିବା ବେଳେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଧକ୍କା ମାରି ଆହତ କରିବା ପରେ ଏମିତି ଢଙ୍ଗରେ ଜବାବ ଦେଇଛନ୍ତି ଅପରାଜିତା । ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି ।
Also Read
ଅଧିକ ପଢନ୍ତୁ: ପ୍ରତାପଙ୍କୁ ଠେଲାପେଲା ଘଟଣାକୁ ସବୁଠି ନିନ୍ଦା; ଫୋନ୍ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି
ଠିକ୍ ସେତିକି ବେଳେ ଅପରାଜିତା ବ୍ୟାଗ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଏହି ବ୍ୟାଗ ଉପହାର ଦେବାର କାରଣ ହେଉଛି, ଗତ ସପ୍ତାହରେ ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ ଧରି ପ୍ରିୟଙ୍କା ସଂସଦକୁ ଆସିଥିଲେ । ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା । ଏହି ବିତର୍କ ଥମିନଥିବା ବେଳେ ପ୍ରିୟଙ୍କା ପୁଣି ଏକ ବାଂଲାଦେଶ ଲେଖାଥିବା ବ୍ୟାଗ ଧରି ସଂସଦକୁ ଆସିଥିଲେ । ଏହି ବ୍ୟାଗରେ ଲେଖାଥିଲା ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଛିଡାହୁଅ । ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସେ ଏହି ବ୍ୟାଗ ଧରି ସଂସଦକୁ ଆସିଥିଲେ । ବାଂଲାଦେଶର ସଂଖ୍ୟାଲଘୁମାନଙ୍କ ସୁରକ୍ଷା ଲାଗି ସରକାର କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ସେ ଦାବି କରିଥିଲେ । ୧୯୭୧ରେ ବାଂଲାଦେଶର ମୁକ୍ତି ଯୁଦ୍ଧରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାର କହିଥିଲେ ପ୍ରିୟଙ୍କା ।
ତେବେ ତାଙ୍କୁ କଡା ଜବାବ ଦେଇଥିଲେ ପୁରୀର ବିଜେପି ସାଂସଦ ସମ୍ୱିତ ପାତ୍ର । କହିଥିଲେ, ଗାନ୍ଧି ପରିବାର ସବୁବେଳେ ତୁଷ୍ଟିକରଣ ବ୍ୟାଗ ଧରି ବୁଲେ । ଏହି ତୁଷ୍ଟିକରଣ ବ୍ୟାଗ ପାଇଁ କଂଗ୍ରେସ ପରାଜୟର ସାମନା କରୁଛି । ପ୍ରିୟଙ୍କାଙ୍କ ବ୍ୟାଗ ରାଜନୀତିକୁ ବ୍ୟାଗରେ କାଉଣ୍ଟର କରିଛନ୍ତି ଅପରାଜିତା । ମନେ ପକାଇ ଦେଇଛନ୍ତି ଶିଖ୍ ବିରୋଧୀ ଦଙ୍ଗାର କଥା, ରକ୍ତପାତର କଥା ।