ଶାନ୍ତ... ସୌମ୍ୟ... ସରଳ...। ଯେତିକି ବିନମ୍ର... ସେତିକି ବିଦ୍ବାନ୍ ଓ ବିଚକ୍ଷଣ । ବ୍ୟକ୍ତିତ୍ବ ଅମାୟିକ... ଅର୍ଥନୀତିରେ ଚାଣକ୍ୟ । କଥାରେ ନୁହେଁ କାମରେ ବିଶ୍ବାସ କରୁଥିବା ମଣିଷ... ଆବଶ୍ୟକ ନଥିଲେ ନିରବ ରହିବାକୁ ପସନ୍ଦ କରୁଥିବା ମଣିଷ । ଦିନେ ଯାହାଙ୍କ ଠାରୁ ପଦୁଟିଏ କଥା ଶୁଣିବା ପାଇଁ ଦେଶ ଅପେକ୍ଷା କରୁଥିଲା... ଶବ୍ଦଟିଏ କହିଲେ ଧ୍ୟାନ ଦେଇ ଶୁଣୁଥିଲା... ଗତକାଲି ଚିରଦିନ ଲାଗି ନିରବି ଯାଇଛି ସେ ସ୍ବର । ପିଏମ୍ ଅଫିସ୍ ଛାଡ଼ିବା ପରେ ୧୦ ବର୍ଷ ହେଲା ସେ ଯେଉଁଠି ରହିଆସୁଥିଲେ, ସେଇ ଦିଲ୍ଲୀ ଥ୍ରୀ-ମୋତିଲାଲ ନେହରୁ ମାର୍ଗ ସ୍ଥିତ ବାସଭବନରେ ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।
Also Read
ଶେଷଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ନେତା । କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ରାହୁଲ ଓ ପ୍ରିୟଙ୍କା ବି ଜଣାଇଛନ୍ତି ଅଲବିଦା । ବିଦେଶରୁ ଛୁଟିଛି ଶୋକର ବାର୍ତ୍ତା । ଆମେରିକା, ରୁଷ, ଚୀନ୍, ଫ୍ରାନ୍ସ, ନେପାଳ, କିଏ ବନ୍ଧୁ ବୋଲି କହିଛି ତ କିଏ ଦୂରଦୃଷ୍ଟୀସଂପନ୍ନ ନେତା । ଆଉ ମାଲେସିଆ ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତାରେ ଲେଖିଛନ୍ତି- ବିଦାୟ ମୋ ମିତ୍ର.. ମୋ ଭାଇ..।
ଶିକ୍ଷକତାରୁ ସିଭିଲ୍ ସର୍ଭିସ୍... ପ୍ରଧ୍ୟାପନାରୁ ପ୍ରଶାସକ। ଅଚାନକ ଅର୍ଥମନ୍ତ୍ରୀରୁ ୨ଥର ପ୍ରଧାନମନ୍ତ୍ରୀ । ୧୯୭୨ରୁ ୧୯୯୧ ମଧ୍ୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର, ୟୁଜିସି ଚେୟାରମ୍ୟାନ ବନିଥିଲେ ପଦ୍ମବିଭୂଷଣ ମନମୋହନ । ତେବେ ୧୯୯୧ରେ ଦେଶ ଯେତେବେଳେ ଦେବାଳିଆ ହେବାକୁ ବସିଥିଲା, ବୈଦେଶିକ ମୁଦ୍ରା ଭଣ୍ଡାର ଆଉ ମାତ୍ର ୨-୩ ସପ୍ତାହ ପାଇଁ ବଳିଥିଲା, ସେତେବେଳେ ବିଳମ୍ବିତ ରାତିରେ ମନମୋହନଙ୍କୁ ଆସିଥିଲା ଗୋଟିଏ ଫୋନ୍ କଲ୍ । ଯାହାକି କେବଳ ତାଙ୍କ କ୍ୟାରିୟରକୁ ନୁହେଁ, ଦେଶର ଅର୍ଥନୀତିକୁ ନୂଆ ଦିଶା ଦେଇଥିଲା। ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିହ୍ମା ରାଓ । ଅର୍ଥନୈତିକ ଉଦାରୀକରଣ ମାଧ୍ୟମରେ ଦେଶକୁ ଦେବାଳିଆ ସ୍ଥିତିରୁ ରକ୍ଷା କରି ମନମୋହନ ସିଂ ସାଜିଥିଲେ ଆଧୁନିକ ଅର୍ଥନୀତିର ମଙ୍ଗୁଆଳ । ଆଉ ୨୦୦୪ରେ ସେମିତି ସମସ୍ତଙ୍କୁ ଚକିତ କରି ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା ଉପା ସରକାର । ୨୦୦୮ରେ ବିଶ୍ବ ଅର୍ଥନୀତିକୁ ବିରାଟ ମାନ୍ଦାବସ୍ଥା କବଳିତ କରିଥିବା ବେଳେ,
ମନମୋହନଙ୍କ ଅର୍ଥନୈତିକ ସଂସ୍କାର ବଳରେ ଭାରତ ବିଶେଷ ପ୍ରଭାବିତ ହୋଇନଥିଲା ।
ଅଧିକ ପଢ଼ନ୍ତୁ: ମନମୋହନ ସିଂହଙ୍କ ଦସ୍ତଖତର କମାଲ୍; ଟଙ୍କିକିଆ ନୋଟ୍ ବିକ୍ରି ହେଉଛି ୧୦୦ ଟଙ୍କାରେ
୨୦୦୪ରୁ ୨୦୧୪ । କ୍ରମାଗତ ଦୁଇଥର ପ୍ରଧାନମନ୍ତ୍ରୀତ୍ବ ଭିତରେ କାର୍ଯ୍ୟକାରୀ ହୋଇଥିଲା ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଖାଦ୍ୟ ସୁରକ୍ଷା ଆଇନ, ମନରେଗା, ଜାତୀୟ ସ୍ବାସ୍ଥ୍ୟ ମିଶନ ଆଦି ଅନେକ ମହତ୍ତ୍ବାକାଂକ୍ଷୀ ଯୋଜନା । ଫୋକସରେ ଥିଲେ ଗ୍ରାମୀଣ ଓ ମଧ୍ୟବିତ୍ତ। ତାଙ୍କରି ସମୟରେ ହିଁ ହୋଇଥିଲା ଆଧାର କାର୍ଡର ସୂତ୍ରପାତ। ପ୍ରଧାନମନ୍ତ୍ରୀ ଭାବେ ଶେଷ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଥିଲେ, ଭାରତ-ଆମେରିକା ଆଣବିକ ଡିଲ୍ ତାଙ୍କ ପାଇଁ ସବୁଠୁ ବଡ଼ ମୂହୁର୍ତ୍ତ ଏବଂ ବଡ଼ ଅବଶୋଷ ହେଉଛି- ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆହୁରି ବହୁତ କିଛି କରିବାକୁ ବାକି ରହିଗଲା । ଦୁର୍ନୀତି ରୋକିବାରେ ବିଫଳତାକୁ ନେଇ ପଚରାଯିବାରୁ, ନୀଳପଗଡ଼ି ଓ ଚଷମା ପିନ୍ଧିଥିବା ମଣିଷ ଜଣକ ଧଳା ଦାଢ଼ି ଭିତରୁ ଅଳ୍ପ ହସି କହିଥିଲେ- ମୁଁ ଭାବୁଛି, ମୋର ମୂଲ୍ୟାଙ୍କନ ବେଳେ, ଇତିହାସ ମୋ ପ୍ରତି ସଦୟ ହେବ ।
୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ଥିଲେ ମନମୋହନ ସିଂହ। ଗତବର୍ଷ ସେ ଅବସର ନେଇଥିବା ବେଳେ, ଶେଷ ବେଳକୁ ହ୍ବିଲ ଚେୟାରରେ ବସି ସଂସଦ ଆସୁଥିଲେ। ୫ଟି ବାଇପାସ୍ ସର୍ଜରୀ, ଡାଇବେଟିସ୍, କୋଭିଡ୍ ଓ ବୟସାଧିକ୍ୟ ଯୋଗୁଁ କ୍ରମାଗତ ଅସୁସ୍ଥତା ଭୋଗୁଥିବା ମନମୋହନ ଗତକାଲି ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଏଥିପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଥିବା ବେଳେ, ଆସନ୍ତାକାଲି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ ଶେଷକୃତ୍ୟ ।
ଅଧିକ ପଢ଼ନ୍ତୁ: ପାଖରେ ନଥିଲା ଟଙ୍କା...ଟ୍ରେନ୍ ବଗି ତଳେ ଝୁଲି ଝୁଲି ଗଲେ ୨୯୦ କିଲୋମିଟର
- Reported by:
- SIBANANDA ROUT