ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟିଂ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ । ମହାରାଷ୍ଟ୍ରରେ ମୋଟ ୧ ଲକ୍ଷ ୧୮୬ଟି ବୁଥରେ ମତସାବ୍ୟସ୍ତ କରିବେ ଭୋଟର । ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ । ମହାରାଷ୍ଟ୍ରରେ ଦୁଇ ମେଣ୍ଟ - ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର ଟକ୍କର ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, BJP ଏବଂ NCP ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ । ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି - ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି । ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା ।
ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ । ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ । ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ । ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ ।
Also Read
ଅଧିକ ପଢନ୍ତୁ: ଦିଲ୍ଲୀ ବାୟୁରେ ପ୍ରବଳ ବିଷ ! ଦୈନିକ ୫୦ ସିଗାରେଟ୍ ପିଉଛନ୍ତି ଦିଲ୍ଲୀବାସୀ !!
ସେହିଭଳି ଝାଡ଼ଖଣ୍ଡରେ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ । ୪୧ଟି ବୁଥରେ ମତ ଗ୍ରହଣ କେବଳ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରଖାଯାଇଛି । ଏଥର ମୋଟ ୨୯ ହଜାର ୫୬୨ଟି ପୋଲିଂ ବୁଥ କରାଯାଇଛି । ଗତ ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ସିଟ୍ ପାଇଁ ଭୋଟଗ୍ରହଣ ହୋଇଥିଲା ।
ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୫୨୮ ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୪୭୨ ପୁରୁଷ ଥିବାବେଳେ ୫୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ରାଜ୍ୟରେ କ୍ଷମତାସୀନ ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି । ଆସନ୍ତା ୨୩ରେ ଉଭୟ ରାଜ୍ୟରେ ଭୋଟ ଗଣତି ହେବ । ଏବେ ଆସନ୍ତୁ ଦେଖିବା ମହାରାଷ୍ଟ୍ର ଓ ଝାରଖଣ୍ତରେ ନିର୍ବାଚନରେ ଲଢୁଥିବା ହେଭିୱେଟଙ୍କ ଉପରେ ।
କୋପରୀ ପଚପୋଖଡିର ଆସନରୁ ଲଢୁଛନ୍ତି ଏକନାଥ ସିନ୍ଦେ, ସାଉଥ-ୱେଷ୍ଟ ନାଗପୁରରୁ ଦେବେନ୍ଦ୍ର ଫଡନାବିସ, ବାରାମତିରୁ ଏନସିପିରୁ ଅଜିତ ପାୱାର, ଓର୍ଲିରୁ ଉଦ୍ଧବ ଠାକରେଙ୍କ ଦଳରୁ ଆଦିତ୍ୟ ଠାକରେ, ଓର୍ଲିଂରୁ ଶିବସେନାରୁ ମିଲିନ୍ଦ ଦେଓରା, ସାକୋଲି ଆସନରୁ ଆଇଏନସିରୁ ନାନା ପାଟୋଲେ ଲଢୁଛନ୍ତି । ଏପଟେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ସଢେଇକେଲାରୁ ବିଜେପିରୁ ଚଂପାଇ ସୋରେନ, ରାଞ୍ଚିରୁ ଜେଏମଏମ ପ୍ରାର୍ଥୀ ମହୁଆ ମାଜୀ, ଗାଣ୍ଡେ ଆସନରୁ ଜେଏମଏମରୁ କଳ୍ପନା ସୋରେନ, ଜାମସେଦପୁର ପଶ୍ଚିମରୁ ବାନ୍ନା ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି ।