'ଅପରେସନ ସିନ୍ଦୂର' ପରେ ସାଧାରଣ ଭାରତୀୟ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ । ରାତିରେ ଲଗାତାର ଭାରତ ସୀମାରେ ଘନ ଘନ ଡ୍ରୋନ, ମିସାଇଲ ଆକ୍ରମଣ କରୁଛି । ଗତକାଲି ରାତିରେ ପାକ୍ ସେନା ଭାରତର ୨୬ରୁ ଅଧିକ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଜମ୍ମୁରେ ମେଡିକାଲ୍ ଓ ସ୍କୁଲ୍କୁ ବି ଟାର୍ଗେଟ କରିଥିଲା । ପାକିସ୍ତାନ ପକ୍ଷରୁ ଜନବସତି ଉପରକୁ ଏଭଳି ଭାବେ ଆକ୍ରମଣ କରାଯିବାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଏକ ବଡ଼ ନିଷ୍ପତ୍ତି ନେଇଛି । ପାକିସ୍ତାନକୁ ଲାଗିଥିବା ଜମ୍ମୁ ଓ ପଞ୍ଜାବର ସୀମା ଦେଇ ରାତିରେ କୌଣସି ଟ୍ରେନ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।
ଅଧିକ ପଢ଼ନ୍ତୁ: ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି ଭାରତର ଏୟାର ଡିଫେନ୍ସ ସିଷ୍ଟମ୍; ଜାଣନ୍ତୁ ଏହା କିପରି ହେଲା ସମ୍ଭବ
ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ପଞ୍ଜାବ ଓ ଜମ୍ମୁର ବର୍ଡର ଏରିଆରେ ରାତିରେ କୌଣସି ଟ୍ରେନ ଚଳାଚଳ କରିବନି । ଅମୃତସର, ଭଟିଣ୍ଡା, ଫିରୋଜପୁର, ଜମ୍ମୁ ଆଦି ସ୍ଥାନ ଦେଇ ରାତିରେ ଚଳାଚଳ କରୁଥିବା ଟ୍ରେନଗୁଡିକର ସମୟ ରିସିଡ୍ୟୁଲ କରାଯିବ । ରାତିରେ ଯାଉଥିବା ଟ୍ରେନଗୁଡିକୁ ରିସିଡ୍ୟୁଲ କରାଯାଇ ସକାଳ ବେଳା ଚଲାଯିବ । ପାକିସ୍ତାନ ସୀମାନ୍ତ ରାଜ୍ୟଗୁଡିକୁ ଟାର୍ଗେଟ୍ କରୁଥିବାରୁ ସୁରକ୍ଷା ଦୃଷ୍ଟିରେ ରେଲୱେ ଏହି ବଡ଼ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି ।
ଭାରତର ଅପରେସନ ସିନ୍ଦୂରରେ ଆତଙ୍କୀ ଗଡ଼ ଧ୍ୱଂସ ହେବା ପରେ ରକ୍ତମୁଖା ପାକିସ୍ତାନ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି । ସୀମାନ୍ତବର୍ତ୍ତୀ ଜମ୍ମୁ-କାଶ୍ମୀର, ପଞ୍ଜାବ, ଗୁଜରାଟ ଓ ରାଜସ୍ଥାନର ବିଭିନ୍ନ ସହରକୁ ଟାର୍ଗେଟ କରି ରାତିରେ ଡ୍ରୋନ ଓ ମିସାଇଲ ମାଡ଼ କରୁଛି । କାଲି ରାତିରେ ରାଜସ୍ଥାନର ପୋଖରାନ, ଗୁଜୁରାଟର କଚ୍ଛ, ପଞ୍ଜାବର ପଠାନକୋଟ୍ ସହ ଜମ୍ମୁର ସାମ୍ବାରେ ଡ୍ରୋନ ଆକ୍ରମଣ କରିଥିଲା । ହେଲେ ସବୁ ଆକ୍ରମଣକୁ ଭାରତୀୟ ସେନା ବିଫଳ କରିଦେଇଥିଲା । ଏଥିସହ ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ପୂର୍ବକ ଏହାର ମିଲିଟାରୀ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲା ।