/odishatv-khabar/media/post_attachments/uploadimage/library/16_9/16_9_0/aaa_1738851656.jpg)
US Deports Indians
ଆମେରିକାରେ ବେଆଇନ୍ ଭାବେ ରହୁଥିବା ଭାରତୀୟଙ୍କୁ ଅମାନବୀୟ ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିବାକୁ ନେଇ ସାରା ଦେଶରେ ଝଡ଼ । ସେନା ବିମାନରେ ଅପରାଧୀ ଓ ଯୁଦ୍ଧବନ୍ଦୀଙ୍କ ଭଳି ହାତରେ ହାତକଡ଼ି ଆଉ ଗୋଡ଼ରେ ବେଡ଼ି ପକାଇ ୧୦୪ ଜଣଙ୍କୁ ପଠାଇବାକୁ ନେଇ କେନ୍ଦ୍ର ସରକାରଙ୍କୁ ସଂସଦରେ ଘେରିଛନ୍ତି ବିରୋଧୀ । ସେପଟେ ଏ ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି ବିବୃତ୍ତି ରଖିବା ସହ ଆଗକୁ ଏ ନେଇ ଟ୍ରମ୍ପ୍ ସରକାର ସହ ଆଲୋଚନା କରାଯିବ ବୋଲି କହିଛନ୍ତି ।
ବିନା ପ୍ରମାଣପତ୍ରରେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ପଠାଇବା ବେଳେ ଟ୍ରମ୍ପ୍ ପ୍ରଶାସନ ଭୁଲିଗଲା ମାନବିକତା । ୟୁଏସଏରେ ବେଆଇନ୍ ଭାବେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କୁ ବିଦା କରିବାକୁ ଆମେରିକା ସରକାର ଚଳାଇଥିବା ଅଭିଯାନରେ ସ୍ବଦେଶ ଫେରିଛନ୍ତି ୧୦୪ ଭାରତୀୟ । ତେବେ ଟେକ୍ସାସରୁ ଅମୃତସର ଯାଏଁ ବିମାନରେ ଆଣିବା ବେଳେ ସେମାନଙ୍କୁ ଯେଭଳି ବର୍ବରୋଚିତ ବ୍ୟବହାର କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ । କୁହାଯାଉଛି, ୧୦୪ ଭାରତୀୟଙ୍କ ମଧ୍ୟରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କ ହାତରେ ହାତକଡ଼ି ଆଉ ଗୋଡରେ ପଡ଼ିଥିଲା ବେଡ଼ି । ପ୍ରାୟ ୫୦ ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଯାତ୍ରାରେ ଏମାନଙ୍କୁ ଏଭଳି ଭାବେ ଆମେରିକାରୁ ଭାରତ ଅଣାଯାଇଥିଲା ।
କର୍ମସଂସ୍ଥାନ ସଂଧାନରେ ଗଳାବାଟ ଦେଇ ଆମେରିକା ଯାଇଥିବା ଏଇ ଭାରତୀୟଙ୍କୁ ଭାରତ ଫେରାଇ ଦେବା ବେଳେ କୌଣସି ଯାତ୍ରୀବାହୀ ବିମାନ ପରିବର୍ତ୍ତେ ସେନା ବିମାନରେ ପଠାଇଯାଇଥିଲା । ବଡ଼ କଥା ହେଉଛି, ଆମେରିକାରେ ବେଆଇନ୍ ଭାବେ ରହୁଥିବ ଅନ୍ୟ ଦେଶର ନାଗରିକଙ୍କୁ ତଡ଼ିବା ଅଭିଯାନର ନେତୃତ୍ବ ନେଉଥିବା ଆମେରିକା ବର୍ଡର ପାଟ୍ରୋଲ ସଂସ୍ଥାର ମୁଖ୍ୟ ମଧ୍ୟ ଖୋଦ୍ ଭାରତୀୟ ନାଗରିକଙ୍କ ହାତରେ ହାତକଡ଼ି ପକାଇ ଅପରାଧୀଙ୍କ ଭଳି ବିମାନ ଭିତରକୁ ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିବାରୁ ଏହାକୁ ନେଇ ଉଠିଛି ପ୍ରଶ୍ନ ।
ଅପରପକ୍ଷରେ ଆମେରିକା ପ୍ରଶାସନ ଭାରତୀୟ ନାଗରିକଙ୍କୁ ଏଭଳି ଢଙ୍ଗରେ ଫେରାଇବା ପରେ । ତାକୁ ନେଇ ସଂସଦରେ ସୃଷ୍ଟି ହୋଇଛି ଝଡ଼ । ବିରୋଧୀ ଏହାକୁ ପ୍ରସଙ୍ଗ କରି ଆମେରିକାର ତରିକାକୁ ନିନ୍ଦା କରିବା ସହ ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି । ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି, ଭାରତୀୟଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର କାହିଁକି ଏକ ବିମାନର ବ୍ୟବସ୍ଥା କଲେନାହିଁ । କଲମ୍ବିଆ ଭଳି ଏକ କ୍ଷୁଦ୍ର ରାଷ୍ଟ୍ର ନିଜ ନାଗରିକଙ୍କ ପାଇଁ ବିମାନ ପଠାଇଥିବା ବେଳେ ଭାରତ ପକ୍ଷେ କାହିଁକି ସମ୍ଭବ ହେଲାନି ?
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ହେବ ବିଜେପି ସରକାର ! ସବୁ ଏକଜିଟ୍ ପୋଲ୍ରେ BJPକୁ ବହୁମତ
ସଂସଦର ଉଭୟ ଗୃହରେ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଉତ୍ତର ରଖିଛନ୍ତି । ଜୟଶଙ୍କର କହିଛନ୍ତି, ଆମେରିକାରେ ବେଆଇନ୍ ଭାବେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କୁ ଫେରାଇ ଦେବା ଏକ ସ୍ବଭାବିକ ପ୍ରକ୍ରିୟା । ଆମେରିକା ସରକାରଙ୍କ ନୀତି ଅନୁଯାୟୀ ବେଆଇନ ନାଗରିକଙ୍କ ହାତରେ ହାତକଡ଼ି, ବେଡ଼ି ଲାଗିଥିଲା । ତେବେ ଏଭଳି ଅମାନବୀୟ ବ୍ୟବହାର ପ୍ରଦର୍ଶନ ନେଇ ଟ୍ରମ୍ପ ପ୍ରଶାସନ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଜୟଶଙ୍କର ।
ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ବ୍ୟାଚରେ ୧୦୪ ଜଣଙ୍କୁ ଭାରତକୁ ପ୍ରତ୍ୟାବର୍ତ୍ତନ କରାଯାଇଥିବା ବେଳେ ଆଗକୁ ଏ ସଂଖ୍ୟା ଆହୁରି ବଢପାରେ । କାରଣ ସେଠାରେ ଭାରତରୁ ପ୍ରାୟ ୧୮ ହଜାରରୁ ଅଧିକ ଲୋକ ବିନା ପ୍ରମାଣପତ୍ରରେ ରହୁଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)