ଓଡ଼ିଶାରେ ଶୁଭାରମ୍ଭ ହେଲା ବହୁ ପ୍ରତୀକ୍ଷିତ ‘ଆୟୁଷ୍ମାନ ଭାରତ’ ଯୋଜନା । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ରାଜ୍ୟର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ । ୭୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ବୟୋ ବନ୍ଦନା ଯୋଜନାରେ ଏଥିରେ ସାମିଲ ହେବେ । ଦେଶର ବିଭିନ୍ନ ସ୍ଥାନରେ ୨୯ ହଜାର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ସୁବିଧା ମିଳିବ । ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଓ ଡିସଚାର୍ଜର ୧୫ ଦିନ ପର୍ଯ୍ୟନ୍ତ ଔଷଧ ଯୋଗାଇ ଦିଆଯିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା ରହିଛି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା କହିଛନ୍ତି, ଏହା ହେଉଛି ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା । ଦେଶର ୬୧ କୋଟି ଲୋକ ଏହାଦ୍ବାରା ଉପକୃତ ହୋଇଛନ୍ତି । ଏହା ଇନ୍ସୁରାନ୍ସ ନୁହେଁ, ଆସ୍ୟୁରାନ୍ସ ଯୋଜନା ବୋଲି ସେ କହିଛନ୍ତି । ଏହି ଯୋଜନା ଲାଗୁ କରିବାକୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ସେ ଲାଗୁ କରିନଥିଲେ । ତେଣୁ ଲୋକ ତାଙ୍କୁ ଘରେ ବସାଇଦେଲେ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।
Also Read
#ଇନ୍ସୁରାନ୍ସ_ନୁହେଁ_ଆସୁରାନ୍ସ- ନଡ୍ଡା
— ଓଟିଭି (@otvkhabar) April 11, 2025
-'ଆୟୁଷ୍ମାନ ଭାରତ' ଶୁଭାରମ୍ଭ ଅବସରରେ ଜେ.ପି ନଡ୍ଡାଙ୍କ ସମ୍ବୋଧନ
-ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା କହିଲେ ନଡ୍ଡା
-ଦେଶର ୬୧ କୋଟି ଲୋକ ଏହାଦ୍ବାରା ଉପକୃତ
-ଏହା ଇନ୍ସୁରାନ୍ସ ନୁହେଁ, ଆସୁରାନ୍ସ ଯୋଜନା- ନଡ୍ଡା
-ଆୟୁଷ୍ମାନ ଯୋଜନାରେ ରାଜ୍ୟ ବାହାରେ ବି ଚିକିତ୍ସା ସୁବିଧା ମିଳିବ… pic.twitter.com/5Td4DT4BMq
'ଆୟୁଷ୍ମାନ ଭାରତ' ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଭାଷଣରେ ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ ବୋଲି କହିଛନ୍ତି । ସେ କହିଛନ୍ତି, ଓଡ଼ିଶାର ବିକାଶ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଲା । ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବ ସରକାର ଏହାକୁ ଲାଗୁ କରି ନଥିଲେ । ନୂଆ ସରକାର ଆସିବା ପରେ ଆୟୁଷ୍ମାନ ଲାଗୁ କରାଗଲା । ଓଡ଼ିଶା ବାହାରେ ରହୁଥିବା ହିତାଧିକାରୀ ବି ଉପକୃତ ହେବେ । ଡବଲ ଇଞ୍ଜିନ ସରକାର ଆସିବା ପରେ ବିକାଶର ଗତି ଦୁଇ ଗୁଣ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ପରିବାର ଲୋକ ଦେଶର ବିଭିନ୍ନ ସ୍ଥାନରେ ରହିଲେ ବି ପରିବାରର ସମସ୍ତ ସଦସ୍ୟ ଏହାର ସୁବିଧା ପାଇପାରିବେ । ଏଥିରେ ସମସ୍ତଙ୍କୁ ଏକକ କାର୍ଡ ପ୍ରଦାନ କରାଯିବ । ତେଣୁ ଯିଏ ଯେଉଁଠି ରହିଲେ ବି ଏହି ଯୋଜନାର ସୁଫଳ ପାଇପାରିବେ । ଓଡ଼ିଶାରେ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ବହୁତ କାମ ହାତକୁ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା
ଆୟୁଷ୍ମାନ ଭାରତ' ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ପୂର୍ବ ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରି ନଥିଲେ । ମୋଦି ଶ୍ରେୟ ନେଇଯିବା ଭୟରେ ଜାଣିଶୁଣି ଲାଗୁ କଲେନି ସେତେବେଳର ରାଜ୍ୟ ସରକାର । ୨୦୧୮ରେ ଯୋଜନାର ଶୁଭାରମ୍ଭ ହେଲା, କିନ୍ତୁ ଓଡ଼ିଶା ସରକାର ଗ୍ରହଣ କଲେନି । ଫଳରେ ୫ ବର୍ଷରେ ଓଡ଼ିଶା ସରକାର ୩ ହଜାର କୋଟି କ୍ଷତି ସହିଲା ।
'ଆୟୁଷ୍ମାନ ଭାରତ' ଯୋଜନା ବିଷୟରେ ବୁଝାଇଲେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରୁ କଳାହାଣ୍ଡି ଓ ମୟୂରଭଞ୍ଜରୁ ମାଲକାନଗିରି ଧିରେ ଧିରେ ସବୁଠି 'ଆୟୁଷ୍ମାନ' ପହଞ୍ଚିବ ବୋଲି କହିଲେ ବୈଜୟନ୍ତ । #AyushmanBharatYojana #BaijayantJayPanda #OTV pic.twitter.com/8lF0W4mRWY
— ଓଟିଭି (@otvkhabar) April 11, 2025
ଆୟୁଷ୍ମାନ ଭାରତ' ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ସମ୍ବୋଧିତ କରି କହିଲେ, ଆୟୁଷ୍ମାନ ଯୋଜନା ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶ ଆଗକୁ ବଢ଼ିଛି, କିନ୍ତୁ ଓଡ଼ିଶା ପଛରେ ପଡ଼ିଥିଲା । କାରଣ ଏଠାରେ କେନ୍ଦ୍ରୀୟ ଯୋଜନା ଲାଗୁ ହେଉ ନଥିଲା । ବିକଶିତ ଭାରତର ସ୍ବପ୍ନ ପୂରଣ କରିବାକୁ ହେଲେ ବିକଶିତ ଓଡ଼ିଶା ଗଠନ କରିବା ସହ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ହେବ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା ।
କଟକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ବହୁ ସାଂସଦ, ବିଧାୟକ ଓ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନେ ଯୋଗଦେଇଥିଲେ ।
ଅଧିକ ପଢ଼ନ୍ତୁ: ସ୍ବାସ୍ଥ୍ୟସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ; ୭୦ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ମିଳିବ ‘ବୟୋ ବନ୍ଦନା’ କାର୍ଡ...
- Reported by:
- DEBASHISH MOHANTY