/odishatv-khabar/media/post_attachments/uploadimage/library/16_9/16_9_0/GST_SLAB_1755869980.jpg)
GST SLAB
ଗରିବ, ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, କମିବ ଦରଦାମ୍ ! ଶସ୍ତା ହେବ ଅତ୍ୟାବଶକୀୟ ସାମଗ୍ରୀ ! ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି, ଏସି, ଫ୍ରିଜ, କାର୍ ହେବ ଶସ୍ତା ! ସିମେଣ୍ଟ, କୃଷି ଯନ୍ତ୍ରପାତିର ଦାମ୍ ବି କମିପାରେ ! କାରଣ ଏସବୁ ଆବଶ୍ୟକୀୟ ସାମଗ୍ରୀ ଉପରେ ଲାଗୁଥିବା ଜିଏସଟି କମାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହାର ଅର୍ଥ ଯଦି ଜିଏସଟି କମିବ, ଦାମ୍ ବି କମ୍ ହେବ । ଯେଉଁ ସାମଗ୍ରୀଗୁଡିକରୁ ୨୮% ଜିଏସଟି ବା ଟ୍ୟାକ୍ସ ନିଆଯାଉଥିଲା, ତାକୁ ୧୮% କରାଯିବ । ସେହିପରି ୧୨% ଟ୍ୟାକ୍ସକୁ କମାଇ ୫% କରାଯିବ ।
ବର୍ତ୍ତମାନ ଦେଶରେ ୫%, ୧୨%, ୧୮% ଓ ୨୮% ଭଳି ୪ଟି ଜିଏସଟି ସ୍ଲାବ ପ୍ରଚଳିତ ଅଛି । ବିଭିନ୍ନ ସାମଗ୍ରୀ ଓ ସେବାକୁ ଏହି ୪ଟି ଟ୍ୟାକ୍ସ ସ୍ଲାବରେ ଭାଗ କରାଯାଉଛି । ଏବେ ଏହି ଚାରି ଥାକିଆ ସ୍ଲାବକୁ ୨ ଥାକିଆ କରାଯିବ । ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ ଆଉ ରହିବନି । ସବୁ ଜିନିଷ ଓ ସେବା କେବଳ ୫% ଓ ୧୮% ସ୍ଲାବରେ ରହିବ ।
ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକ ୫% ସ୍ଲାବରେ ରହିବ । ଅନ୍ୟ ସାମଗ୍ରୀ ଓ ସେବା ଉପରେ ୨୮% ବଦଳରେ ୧୮% ଜିଏସଟି ଲାଗିବ । ଯେଉଁ କାରଣରୁ ଅନେକ ଜିନିଷର ଦରଦାମ୍ କମିପାରେ । ଯାହାର ସିଧାସଳଖ ଲାଭ ପାଇବେ ସାଧାରଣ ଲୋକ ।
ଏକ ରିପୋର୍ଟ ଅନୁସାରେ, ଯଦି GST ବ୍ୟବସ୍ଥା ବଦଳେ ତାହେଲେ ସିମେଣ୍ଟ, କସମେଟିକ୍ସ, ସାଧାରଣ ପରିବହନରେ ବ୍ୟବହୃତ ଯାନବାହାନ, କୃଷି ଯନ୍ତ୍ରପାତି, ଟାୟାର ଭଳି ସାମଗ୍ରୀର ମୂଲ୍ୟ ହ୍ରାସ ହେବ । ଖାଦ୍ୟପଦାର୍ଥ, ଔଷଧ, ଟୁଥବ୍ରଶ, ହେୟାର ଅଏଲ, ଲାଇଫ୍, ହେଲ୍ଥ ଇନସ୍ୟୁରାନ୍ସ ଆଦି ଟ୍ୟାକ୍ସି ଫ୍ରି ହେବ ନହେଲେ ୫% ଟ୍ୟାକ୍ସ ଲାଗିବ । ଫଳରେ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ବୋଝ କମିବ ।
ବର୍ତ୍ତମାନ ଟିଭି, ଫ୍ରିଜ, ଏସି ଭଳି ବସ୍ତୁ ଉପରେ ୨୮% ଟ୍ୟାକ୍ସ ଲାଗୁଛି । ଏହା ୧୮ ପ୍ରତିଶତ ହୋଇପାରେ । କିନ୍ତୁ ଅନେକ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ମଦ, ତମୁଖା, ଡ୍ରଗ୍ସ, ସଫ୍ଟ ଡ୍ରିଙ୍କ, ଫାଷ୍ଟଫୁଡ୍, ଓ ପୋନୋଗ୍ରାଫି ଭଳି କିଛି ଜିନିଷ ଉପରେ ୪୦% ଜିଏସଟି ରହିବ ।
ଚାରି ଥାକିଆ ଜିଏସଟି ସ୍ଲାବ ବଦଳାଇ ଦୁଇ ଥାକିଆ କରିବାକୁ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବରେ ରାଜି ହୋଇଛନ୍ତି ରାଜ୍ୟ । ସେହିପରି ମନ୍ତ୍ରୀ ଗୋଷ୍ଠୀ ବୈଠକରେ ବି ଏହି ପ୍ରସ୍ତାବ ଗ୍ରହଣ ହୋଇଛି । ଏବେ କେବଳ ଜିଏସଟି କାଉନସିଲ ବୈଠକରେ ମଞ୍ଜୁର ହେବା ବାକି ଅଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)