Advertisment

Campus Violence: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସୁରକ୍ଷା କଡ଼ାକଡ଼ି

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମାରପିଟ୍ ପରେ ଛାତ୍ରଙ୍କ ସହ ଗୋପାଳପୁର ଥାନା ଘେରିଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଶତାଧିକ ଛାତ୍ର । ନିନ୍ଦା କଲା ବିଜେପି । ଏପଟେ କଂଗ୍ରେସ ଓ ବିଜେପି ବିରୋଧରେ ଏସପିଙ୍କୁ ଫେରାଦ ହେଲା ବିଜେଡି ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Berhampur University

Berhampur University

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ପରେ ଜୋର୍ ଧରିଛି ରାଜନୀତି । ଅଶାନ୍ତି ସୃଷ୍ଟି କରୁଥିବା ଅଣଛାତ୍ରଙ୍କୁ ଗିରଫ ଦାବିରେ ସାନଖେମୁଣ୍ଡି ବିଧାୟକ ତଥା କଂଗ୍ରେସ ନେତା ରମେଶ ଜେନାଙ୍କ ନେତୃତ୍ୱରେ ଏକ ଛାତ୍ରଗୋଷ୍ଠୀ ଗୋପାଳପୁର ଥାନା ଘେରାଉ କରିଥିଲେ । ଅନ୍ୟପଟେ ବିଶ୍ବବିଦ୍ୟାଳୟର ବିକାଶରେ କିଛି ଲୋକେ ବାଧା ଦେବାକୁ ଚେଷ୍ଟା କରୁଛନ୍ତି ଅଭିଯୋଗ ଆଣିବା ସହ କ୍ୟାମ୍ପସରେ ଅଶାନ୍ତିକୁ ସୃଷ୍ଟି କରାଯିବାକୁ ବିଜେପି କଡ଼ା ନିନ୍ଦା କରିଛି । ସେପଟେ କଂଗ୍ରେସ ଓ ବିଜେପି ବିରୋଧରେ ଏସପିଙ୍କୁ ଫେରାଦ ହେବା ସହ ଏକ ଦାବିପତ୍ର ଦେଇଛି ଛାତ୍ର ବିଜେଡି । ତୁରନ୍ତ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ବିଜେଡି ଦାବି କରିଛି ।

Advertisment

ଛାତ୍ର ନିର୍ବାଚନକୁ ସବୁଜ ସଂକେତ ମିଳିବା ପରେ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଗୋଷ୍ଠୀଙ୍କ ଭିତରେ ବିବାଦ ମୁଣ୍ଡ ଟେକୁଛି । କିଛିଦିନ ତଳେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ଦୁଇ ଗୋଷ୍ଠୀ ଭିତରେ ମାରପିଟ୍ ସହ ଥାନାରେ ଯାଇ ବୁଝାମଣା ହୋଇଥିଲା । ଏହାପରେ ବୁଧବାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଭଞ୍ଜବିହାରରେ ପୁଣି ଦୁଇ ଗୋଷ୍ଠୀ ମାରପିଟ୍ ହୋଇଛନ୍ତି । ଏଥିରେ ଅଭିଳାଷ ନାମକ ଜଣେ ଛାତ୍ର ଆହତ ହୋଇଥିଲେ । ପରେ ରାତିରେ ସାନଖେମୁଣ୍ଡି ବିଧାୟକଙ୍କ ନେତୃତ୍ୱରେ ଶତାଧିକ ଯୁବକ ଗୋପାଳପୁର ଥାନା ଘେରାଉ କରିଥିଲେ । ପୋଲିସ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା । ଗୁରୁବାର ମଧ୍ୟ କିଛି ଛାତ୍ରନେତା ବିଶ୍ଵବିଦ୍ୟାଳୟରେ ନାରା ଦେଇ ଗୁଣ୍ଡାଗର୍ଦ୍ଦି ବନ୍ଦ ପାଇଁ ଧାରଣା ଦେଇଥିଲେ ।

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଦେଖା ଦେଇଥିବା ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କ୍ୟାମ୍ପସରେ ଅଶାନ୍ତି ଯୋଗୁଁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗୋପାଳପୁର ଥାନା ଅଧିକାରୀ ଓ ସଦର ଏସଡିପିଓ ମଧ୍ୟ କ୍ୟାମ୍ପସରେ ଉପସ୍ଥିତ ଅଛନ୍ତି । ସେପଟେ ଆକ୍ରମଣକୁ ନେଇ ଦୁଇଟି ପୃଥକ ପୃଥକ ମାମଲା ଗୋପାଳପୁର ଥାନାରେ ରୁଜୁ ହୋଇଥିବା ବ୍ରହ୍ମପୁର ଏସପି କହିଛନ୍ତି । ଅନ୍ୟପଟେ କୂଳପତି ବି ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଏଣିକି ବିନା ପରିଚୟ ପତ୍ରରେ କ୍ୟାମ୍ପସ ଭିତରେ ପ୍ରବେଶ ନିଷେଧ କରାଯାଇଛି । ସନ୍ଧ୍ୟା ୫ଟା ପରେ କାହାକୁ ବି କ୍ୟାମ୍ପସ ଭିତରକୁ ପ୍ରବେଶ କରାଯିବ ନାହିଁ ବୋଲି କହିଛନ୍ତି ।

Advertisment
Student Agitation Campus Violence Berhampur University
Advertisment
Advertisment