ଅଲବିଦା ଅର୍ଥଶାସ୍ତ୍ରୀ । ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ବୟସାଧିକ କାରଣରୁ ଦୀର୍ଘ ଦିନ ଧରି ନିଜ ଘରେ ଚିକିତ୍ସିତ ଥିଲେ ।
ଗତକାଲି ସନ୍ଧ୍ୟାରେ ହଠାତ ବିଗିଡିଥିଲା ସ୍ୱାସ୍ଥ୍ୟବସ୍ଥା । ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ମେଡିକାଲ ଏମର୍ଜେନସୀରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଖି ବୁଜିଥିଲେ ମନମୋହନ ସିଂହ । ପାର୍ଥିବ ଶରୀରକୁ ଦିଲ୍ଲୀ ସ୍ଥିତ ଥ୍ରୀ ମୋତିଲାଲ ନେହରୁ ମାର୍ଗ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି ।
ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇବେ । ଗତକାଲି ରାତିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି ପ୍ରମୁଖ ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।
Also Read
ବାତିଲ କରାଯାଇଛି ସମସ୍ତ ସରକାରୀ କାର୍ଯ୍ୟକ୍ରମ । ଆସନ୍ତାକାଲି ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇପାରେ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ। ମନମୋହନଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଭାରତର ରାଜନୀତି ଓ ଆର୍ଥିକ ସୁଧାର କ୍ଷେତ୍ରରେ ମନମୋହନ ସିଂହଙ୍କ ଯୋଗଦାନକୁ ସବୁବେଳେ ମନେ ରଖିବ ଦେଶ ।
ଅଧିକ ପଢ଼ନ୍ତୁ: ପ୍ରତିଷ୍ଠା ଦିବସରେ ବିଜେଡି ନେତ୍ରୀ ହାତାହାତି, ଶଙ୍ଖ ଭବନରେ ଇପ୍ସିତା ସାହୁଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ
ପ୍ରଖ୍ୟାତ ଅର୍ଥନୀତିଜ୍ଞ, ଭାରତବର୍ଷରେ ଜଗତୀକରଣ ଅର୍ଥନୀତିର ପ୍ରବର୍ତ୍ତକ ଥିଲେ ମନମୋହନ ସିଂହ । ଅତି ସରଳ, ଅତି ଅମାୟିକ ଓ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ । ୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ରହିଥିଲେ । ଗତବର୍ଷ ଏପ୍ରିଲରେ ରାଜ୍ୟସଭା ସାଂସଦ ଭାବରେ ଅବସର ନେଇଥିଲେ ମନମୋହନ ସିଂହ । ତାଙ୍କୁ ୧୯୮୭ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା ।
ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବାଚସ୍ପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି, ମନମୋହନ ସିଂହ ବିରଳ ରାଜନେତା ଥିଲେ, ଯିଏ ଶିକ୍ଷା ଓ ପ୍ରଶାସନରେ ସମାନ ଭାବରେ ସହଜତାର ସହ କାମ କରୁଥିଲେ ।
ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୁଧାରିବାରେ ତାଙ୍କର ଥିଲା ମହତ୍ତ୍ୱପୂର୍ଣ୍ଣ ଯୋଗଦାନ । ରାଷ୍ଟ୍ର ପ୍ରତି ସେବା, ନିର୍ମଳ ରାଜନୈତିକ ଜୀବନ ଓ ଅତ୍ୟନ୍ତ ବିନମ୍ରତା ପାଇଁ ସେ ସବୁଦିନ ମନେ ରହିବେ । ସେହିପରି ପ୍ରଧାନମନ୍ତ୍ରୀ ବି ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ଜଣେ ବିଶିଷ୍ଟ ନେତାଙ୍କୁ ହରାଇ ପୂରା ଦେଶ ମର୍ମାହତ । ସାଧାରଣ ପୃଷ୍ଠଭୂମିରୁ ଆସି ସେ ଜଣେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ହୋଇ ପାରିଥିଲେ ।
ଅନେକ ବର୍ଷ ଧରି ଦେଶର ଆର୍ଥିକ ନୀତିରେ ନିଜ ମଜବୁତ ଛାପ ଛାଡ଼ି ଯାଇଛନ୍ତି । ଆର୍ଥିକ ନୀତିରେ ତାଙ୍କ ଅବଦାନ ସ୍ମରଣୀୟ ରହିବ । ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲେଖିଛନ୍ତି, ମୁଁ ଜଣେ ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇଲି । ଅତ୍ୟନ୍ତ ଗର୍ବର ସହ ମନେ ରହିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝି ସୋସିଆଲ୍ ମିଡିଆ ଏକ୍ସରେ ଶୋକବାର୍ତ୍ତାରେ ଲେଖିଛନ୍ତି, ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ ।
ଅର୍ଥମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ । ତାଙ୍କର ଉଦାର ଅର୍ଥନୈତିକ ନୀତି ଯୋଗୁ ଭାରତ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ଭାବେ ଯାତ୍ରା ଆରମ୍ଭ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ସେ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲେ ।