• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

୧୯୮୪ ମସିହା ଡିସେମ୍ୱର ୨ ତାରିଖରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ପ୍ରାଣ ହରାଇଥିଲେ ୫୪୭୯ ଜଣ ଲୋକ । ବହୁ ଲୋକ ବିକଳାଙ୍ଗ ହୋଇ ଯାଇଥିଲେ । ହଜାରରୁ ଅଧିକ ଲୋକ ଦୃଷ୍ଟିଶକ୍ତି ହରାଇଥିଲେ । ଏହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଚହଳ ପକାଇଥିଲା । ଭୋପାଳର ଏହି ଗ୍ୟାସଲିକ୍ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନି । ୟୁନିଅନ୍ କାର୍ବାଇଡ୍ ପେଷ୍ଟିସାଇଡ୍ ଫ୍ୟାକ୍ଟ୍ରିରୁ ଲିକ୍ ହୋଇଥିଲା ବିଷାକ୍ତ ମିଥାଇଲ୍ ଆଇସୋସିଆନେଟ୍ ଗ୍ୟାସ୍ । ଏହି ଘଟଣାକୁ ଏବେ ୪୦ ବର୍ଷ ପୂରିଛି । କିନ୍ତୁ ବଡକଥା ହେଉଛି, ୪୦ ବର୍ଷ ପରେ ୨୦୨୫ ଜାନୁଆରୀ ୧ ତାରିଖ ରାତିରେ ଏବେ ଏହି ପରିତ୍ୟକ୍ତ ଫ୍ୟାକ୍ଟ୍ରିରୁ ହଟିଛି ବିପଦଜନକ ବର୍ଜ୍ୟବସ୍ତୁ ।

୩୩୭ ଟନର ଏହି ବିପଦଜନକ ବର୍ଜ୍ୟବସ୍ତୁକୁ ୧୨ଟି ସିଲ୍ଡ କଣ୍ଟେନର୍ ଟ୍ରକରେ ସ୍ଥାନାନ୍ତର କରାଯାଇଛି । ଭୋପାଳ ଠାରୁ ୨୩୦ କିଲୋମିଟର ଦୂର ଧର୍ ଜିଲ୍ଲାର ଇନ୍ଦୋର ନିକଟବର୍ତ୍ତୀ ପିଥମପୁର ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଏହାକୁ ନଷ୍ଟ କରାଯିବ । ତେବେ ଏହି ବର୍ଜ୍ୟବସ୍ତୁକୁ ଯେତିକି ସୁରକ୍ଷା ବଳୟରେ ନିଆଯାଇଛି, ଆଗରୁ କେବେ ବି କୌଣସି ଇଣ୍ଡଷ୍ଟ୍ରିଆଲ୍ ବର୍ଜ୍ୟବସ୍ତୁ ପରିବହନରେ ଏତେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା ବୋଲି କହିଛନ୍ତି ମଧ୍ୟପ୍ରଦେଶ ଗ୍ୟାସ ରିଲିଫ୍ ଓ ଥଇଥାନ ବିଭାଗ ନିର୍ଦ୍ଦେଶକ ସ୍ୱତନ୍ତ୍ର କୁମାର ସିଂହ । ପୋଲିସ୍ ଏସକର୍ଟ କରି ଏହି ଗାଡିଗୁଡିକୁ ନେଇଥିଲା ଓ ଏଥିପାଇଁ ଗ୍ରୀନ କରିଡୋର୍ ମଧ୍ୟ କରାଯାଇଥିଲା । ଏହି ବର୍ଜ୍ୟବସ୍ତୁକୁ ନେବା ବେଳେ ୪୦ଟି ଗାଡ଼ି ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଲମ୍ୱିଥିଲା । ପିଥମପୁର ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡକୁ ଏହା ପଠାଯାଇଛି । ସେଠାରେ ବର୍ଜ୍ୟବସ୍ତୁ ନଷ୍ଟ କରାଯିବ । ୫ଟି ଜିଲ୍ଲାର ପ୍ରଶାସନକୁ ଏଥିପାଇଁ ସଜାଗ କରି ଦିଆଯାଇଛି । ଏହି ସ୍ଥାନାନ୍ତରଣ ବେଳେ ପ୍ରାୟ ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

ଅଧିକ ପଢନ୍ତୁ: ଅଧାରାସ୍ତାରେ ବାଟବଣା ହୋଇଗଲା ଟ୍ରେନ ! ରାସ୍ତା ଖୋଜି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ନେଇଥିଲା ୪ ବର୍ଷ

୩୩୭ ମେଟ୍ରିକ ଟନର ଏହି ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରିବା ପାଇଁ ୩ ମାସରୁ ୯ ମାସ ସମୟ ଲାଗିବ ବୋଲି କହିଛନ୍ତି ନିର୍ଦ୍ଦେଶକ ସ୍ୱତନ୍ତ୍ର କୁମାର ସିଂହ । 

୪୦ ବର୍ଷ ଧରି ଏହି ବିଷାକ୍ତ ପଦାର୍ଥ ଭୋପାଳରେ ପଡି ରହିଥିବାରୁ ମଧ୍ୟପ୍ରଦେଶ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ସରକାରଙ୍କୁ ଗତମାସରେ ଏହି ବର୍ଜ୍ୟବସ୍ତୁ ଉଠାଇବାକୁ ୪ ମାସ ସମୟ ଦେଇଥିଲେ । ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ, ତୁମେ କ’ଣ ଆଉ ଏକ ଦୁର୍ଘଟଣାକୁ ଅପେକ୍ଷା କରିଛ କି ? ଏହି ବର୍ଜ୍ୟବସ୍ତୁ ତ ଉଠିଲା । କିନ୍ତୁ ପିଥମପୁରର ଲୋକମାନେ ଏବେ ଆଶଙ୍କାରେ । ଏହା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବନି ତ ? ତେବେ ଏହା ପରିବେଶ, ଜମି କି ଆଖପାଖର ଲୋକଙ୍କ ଉପରେ କୌଣସି ଖରାପ ପ୍ରଭାବ ପକାଇବନି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହାକୁ ନଷ୍ଟ କରିବା ପାଇଁ ପିଥମପୁରରେ କଂକ୍ରିଟ ଚଟାଣ ସହ ଏକ ସେଡ ନିର୍ମାଣ କରାଯାଇଛି । ଏହା ଲିକ୍ ପ୍ରୁଫ୍ ଅର୍ଥାତ ଏହି ସେଡରୁ ଗ୍ୟାସ କି ଗୁଣ୍ଡ ନିର୍ଗତ ହେବ ନାହିଁ । ପ୍ରଶାସନର ଆଶ୍ୱାସନା ସତ୍ତ୍ୱେ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା କର୍ମଚାରୀଙ୍କ ମନରେ ଛନକା ପଶିଛି । ଏହି ବର୍ଜ୍ୟବସ୍ତୁ ନିଆଯାଇଥିବାରୁ କେତେଜଣ କର୍ମଚାରୀ ଛୁଟିରେ ଯାଇଥିବା କହିଛନ୍ତି ଏକ ଶିଳ୍ପ ସଂସ୍ଥାର ମାଲିକ । ଏହି ଅଞ୍ଚଳକୁ ଏହି ବିଷାକ୍ତ ପଦାର୍ଥ ସ୍ଥାନାନ୍ତରଣ ଓ ଏଥିପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ସଂପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଇନଥିବା କହିଛନ୍ତି ଜଣେ ବରିଷ୍ଠ ନାଗରିକ । ତେବେ ଲୋକଙ୍କର କିଛି ବି କ୍ଷତି ହେବନାହିଁ ବୋଲି କହିଛନ୍ତି ଜଣେ ବରିଷ୍ଠ ପ୍ରଶାସକ ।

ଅଧିକ ପଢନ୍ତୁ: ୧୫ ହଜାର କୋଟିର ଅମ୍ବାନୀ ମହଲ...୬ ସଦସ୍ୟଙ୍କ ପାଇଁ ତିଆରି ହୋଇଛି ୪ ଲକ୍ଷ ବର୍ଗଫୁଟର ଘର

OTV is now on Whatsapp

Join and get latest news update delivered to you via whatsapp

Join Now