• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଟ୍ରେନ ବିଳମ୍ବରେ ଆସିବ..ଏମିତି କଥା ଶୁଣିଲେ ଭାରତୀୟମାନେ କେବେ ଆଶ୍ଚର୍ଯ୍ୟ ହେବେନି । କାରଣ ନିତିଦିନିଆ ଯାତ୍ରାରେ ଏମିତି ବିଳମ୍ବିତ ଟ୍ରେନକୁ ଅପେକ୍ଷା କରିବାର ଅଭ୍ୟାସ ଏମାନଙ୍କର ରହିଛି । ଘଣ୍ଟେ ଦୁଇ ଘଣ୍ଟାରୁ ଦିନେ/ଦୁଇଦିନ ବିଳମ୍ବିତ ଟ୍ରେନକୁ ଅପେକ୍ଷା କରିବାରେ ଏମାନେ ଅଭ୍ୟସ୍ତ । ହେଲେ ଜାଣନ୍ତି, ବିଶ୍ୱରେ ସବୁଠାରୁ ବଡ ରେଲୱେ ନେଟୱାର୍କ କେଉଁଠି ଅଛି ? ଏଇ ଭାରତରେ ।

ଭାରତରେ ପାଖାପାଖି ୧୧୫,୦୦୦ କିଲୋମିଟରର ରେଲୱେ ନେଟୱର୍କ ରହିଛି । ଭାରତରେ ପ୍ରତିଦିନ ୧୩ ହଜାରରୁ ଅଧିକ ଟ୍ରେନ ଚଳାଚଳ କରିଥାଏ । ପ୍ରତିଦିନ ପାଖାପାଖି ୨ କୋଟି ୩୧ ଲକ୍ଷ ଲୋକଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ ଟ୍ରେନ । ଗୋଟିଏ ଦିନରେ ଯେତିକି ଲୋକ ଟ୍ରେନରେ ଯାତ୍ରା କରନ୍ତି ତାହା କାନାଡାର ପାଖାପାଖି ଅଧା ଜନସଂଖ୍ୟା ।

ବାଟରେ ନିଖୋଜ ହୋଇଗଲା ଟ୍ରେନ

ହେଲେ ଏତେ ବଡ ରେଲୱେ ନେଟୱର୍କ..ଏତେ ଲୋକଙ୍କ କାରବାର..ତଥାପି ଏତେ ଅସଜଡା କାହିଁକି ଭାରତୀୟ ରେଳ ? ଖାଲି ବିଳମ୍ବ ନୁହେଁ, ଏଠି ଟ୍ରେନରେ ଏମିତି କିଛି ଘଟଣା ଘଟେ ଯାହା ରେକର୍ଡ ବି ହୋଇଯାଏ । ଏମିତି ଏକ ରେକର୍ଡ ସୃଷ୍ଟି ହୋଇଥିଲା ଆଜକୁ ୧୦ ବର୍ଷ ତଳେ । ଟ୍ରେନର ବିଳମ୍ବ ଏଠି ୫ ବା ୧୦ ଘଣ୍ଟା ନ ଥିଲା । ଥିଲା ପୁରା ଚାରିବର୍ଷ । ବିଳମ୍ବ ନୁହେଁ ତ ଏଠି ଟ୍ରେନ ୪ ବର୍ଷ ଧରି ଯେମିତି ନିଖୋଜ ହୋଇ ଯାଇଥିଲା । ବିଶାଖାପଟନମରୁ ବାହାରିଥିବା ଏକ ମାଲଗାଡି ଉତ୍ତରପ୍ରଦେଶର ବସ୍ତି ଷ୍ଟେସନରେ ପହଞ୍ଚିବା ପାଇଁ ୪ ବର୍ଷ ସମୟ ନେଇଥିଲା ।

ମନେ ପଡ଼େ ୧୦ ବର୍ଷ ତଳର ଘଟଣା

୨୦୧୪ ନଭେମ୍ବର ୧୦ ତାରିଖର ଘଟଣା । ବିଶାଖାପଟନମରୁ ବାହାରିଥିଲା ଏକ ଟ୍ରେନ । ହେଲେ ୪ ଚାରି ବର୍ଷ ପରେ ପହଞ୍ଚିଥିଲା ତାର ଲକ୍ଷ୍ୟ ସ୍ଥଳରେ । ଅର୍ଥାତ ୨୦୧୮ ଜୁଲାଇ ୨୫ ତାରିଖରେ ଉତ୍ତରପ୍ରଦେଶର ବସ୍ତି ଷ୍ଟେସନରେ ପହଞ୍ଚିଥିଲା । ଏହି ମାଲଗାଡି ତାର ଯାତ୍ରା ପୁରା କରିବାକୁ ନେଇଥିଲା ୩ ବର୍ଷ ୮ମାସ ୭ ଦିନ । ଏହି ଟ୍ରେନ ଯାତ୍ରାକୁ ଭାରତୀୟ ରେଳ ଇତିହାସର ସବୁଠାରୁ ଅଧିକ ବିଳମ୍ବ ଟ୍ରେନ ବୋଲି ବିଚାର କରାଯାଏ ।

ହେଲେ କାହିଁକି ଏତେ ବିଳମ୍ବ ?

ତେବେ କାହିଁକି ଏତେ ବିଳମ୍ବ ଘଟିଲା ? କ’ଣ ଥିଲା ସମସ୍ୟା ? ଏପରି ଅଭୂତପୂର୍ବ ବିଳମ୍ବ ରେଳ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ବିଶାଖାପଟନମ ଷ୍ଟେସନରୁ ବସ୍ତି ଷ୍ଟେସନରେ ପହଞ୍ଚିବା ପାଇଁ ୪୨ ଘଣ୍ଟା ୧୩ ମିନିଟ ସମୟ ଲାଗିଥାଏ । ହେଲେ ଏହି ମାଲଗାଡିକୁ ୪ ବର୍ଷ ଲାଗିଲା କାହିଁକି ?

କ’ଣ ଥିଲା ଏହି ଟ୍ରେନରେ ?

ଏହି ମାଲଗାଡିରେ ୧୩୧୬ ପ୍ୟାକେଟ ଡାଇ-ଆମୋନିଅମ ଫସଫେଟ ସାର ଯାଉଥିଲା । ଏହି ଗାଡିର ୱାଗନ ଇଣ୍ଡିଆନ ପଟାସ ଲିମିଟେଡ ପକ୍ଷରୁ ରାମଚନ୍ଦ୍ର ଗୁପ୍ତାଙ୍କ ନାମରେ ବୁକ କରାଯାଇଥିଲା । ରାମଚନ୍ଦ୍ର ଗୁପ୍ତା ବସ୍ତିର ଜଣେ ବ୍ୟବସାୟୀ । ମାଲଗାଡି ପ୍ରାୟ ୧୪ ଲକ୍ଷରୁ ଅଧିକ ଟଙ୍କାର ସାର ଧରି ବିଶାଖାପଟନମ ଷ୍ଟେସନରୁ ନିର୍ଦ୍ଧାରିତ ସମୟରେ ବାହାରିଥିଲା । ୪୨ ଘଣ୍ଟା ପରେ ଟ୍ରେନ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର କଥା । ହେଲେ ନିର୍ଦ୍ଧାରିତ ସମୟରେ ଟ୍ରେନ ପହଞ୍ଚି ନଥିଲା । ନଭେମ୍ବର ୧୦ରୁ ନଭେମ୍ବର ୩୦ ତାରିଖ ହୋଇଗଲା । ତଥାପି ଗାଡି ପହଞ୍ଚି ନ ଥିଲା । ଶେଷରେ ରାମଚନ୍ଦ୍ର ଗୁପ୍ତା ରେଳ ଅଧିକାରୀଙ୍କ ସହ ଯୋଗାଯୋଗ କଲେ ଏବଂ ଲିଖିତ ଅଭିଯୋଗ ମଧ୍ୟ ଦାଏର କରିଥିଲେ । ଏହା ଭିତରେ ବି ଅନେକ ଦିନ ଚାଲିଗଲା । ବାରମ୍ବାର ନୋଟିସ ଦେଲେ ଗୁପ୍ତାଜୀ । ଏହା ପରେ ବି ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇ ନ ଥିଲେ । ଶେଷରେ ଜଣା ପଡ଼ିଥିଲା ଟ୍ରେନଟି ରାସ୍ତାରୁ ଗାଏବ ହୋଇ ଯାଇଛି ।

ଉତ୍ତର ପୂର୍ବ ରେଲୱେ ଜୋନର ମୁଖ୍ୟ ଜନସଂପର୍କ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି କୌଣସି ୱାଗନ ବା ବଗି ରୋଗରେ ପଡ଼ିଯାଏ ଅର୍ଥାତ ଯିବା ପାଇଁ ଅଯୋଗ୍ୟ ହୋଇପଡ଼େ ତେବେ ତାହାକୁ ୟାର୍ଡକୁ ପଠାଇ ଦିଆଯାଇଥାଏ । ଏହି ଘଟଣାରେ ସେମିତି କିଛି ହୋଇଥାଇପାରେ ବୋଲି ମନେ ହେଉଛି । ଯାହା ବି ହେଉ, ଗୁପ୍ତାଙ୍କର ବାରମ୍ବାର ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଘଟଣାର ଯାଞ୍ଚ କରିଥିଲେ ଏବଂ ମାଲଗାଡି ୨୦୧୮ ଜୁଲାଇରେ ଉତ୍ତରପ୍ରଦେଶର ବସ୍ତି ଷ୍ଟେସନରେ ପହଞ୍ଚିଥିଲା ।

ଏବେ ବି ରହସ୍ୟ ଘେରରେ ସତ

ତେବେ ଆଶ୍ଚର୍ଯ୍ୟ ଯେତିକି, ପରିତାପର ବିଷୟ ବି ସେତିକି..ଏହି ସମୟ ମଧ୍ୟରେ ଟ୍ରେନ କେଉଁଠି, କିପରି ଏବଂ କାହିଁକି ଗାଏବ ହୋଇ ଯାଇଥିଲା ଏ ବିଷୟରେ ସଠିକ ଖବର କାହାରି ପାଖରେ ନାହିଁ । ୪ ବର୍ଷ ପରେ ଟ୍ରେନ ତ ପହଞ୍ଚିଲା ଏବଂ ଗୁପ୍ତାଜୀ ତାଙ୍କର ମାଲ ପାଇଲେ । ହେଲେ ସେତେବେଳକୁ ୧୪ ଲକ୍ଷ ଟଙ୍କାର ସାର ନଷ୍ଟ ହୋଇ ସାରିଥିଲା । ଏହି ଘଟଣାକୁ ଭାରତୀୟ ରେଳ ଇତିହାସର ସବୁଠାରୁ ବିଳମ୍ବ ଟ୍ରେନ ଯାତ୍ରାର ମାନ୍ୟତା ଦିଆ ଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now