ଏମିତ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଗାଁରେ ଉତ୍ସବ ପାଳନ କରାଯାଉଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଗାଁର ଏକ ପରିତ୍ୟକ୍ତ କୂଅରୁ ସିଧା ଯମପୁରକୁ ଯାଇଛନ୍ତି ୮ ଜଣ ଗ୍ରାମବାସୀ । ଉତ୍ସବ ବଦଳରେ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।
ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର କୋଣ୍ଡାୱତ ଗାଁରେ । ଏହି ଗାଁରେ ଏବେ ଚାଲିଛି ଗଣଗୌର ପର୍ବ । ଏହି ପର୍ବ ପରେ ମୂର୍ତ୍ତି ବିସର୍ଜନ କରାଯାଏ ଏକ ପରିତ୍ୟକ୍ତ କୂଅରେ । ତେଣୁ ପର୍ବ ଚାଲିଥିଲା ବେଳେ ଗାଁର କିଛି ଗ୍ରାମବାସୀ ଏହି କୂଅକୁ ସଫା କରିବା ପାଇଁ ଯାଇଥିଲେ । ଉପରୁ ଦଉଡି ସାହାଯ୍ୟରେ ଜଣେ ଗ୍ରାମବାସୀ ପ୍ରଥମେ କୂଅ ଭିତରକୁ ପଶିବାକୁ ଗଲେ । ଅନ୍ୟମାନେ ଉପରେ ଦଉଡି ଧରିଥାଆନ୍ତି । ଏହି ଦଉଡିଟି ଛିଣ୍ଡି ଗଲା । ତେଣୁ ଭିତରେ ପଶୁଥିବା ଗ୍ରାମବାସୀ ଜଣକ ସିଧା ଯାଇ କୂଅ ଭିତରେ ପଡିଲେ । ଯେଉଁ କାଦୁଅ ଓ ଅଳିଆ ସଫା କରିବାକୁ ସେ ଯାଇଥିଲେ, ସେ ସେହି କାଦୁଅ ଭିତରେ ପଡିଗଲେ । ତାଙ୍କୁ ଅନ୍ୟମାନେ ଉପରୁ ଡାକିଲେ ବି ସେ କୌଣସି ପ୍ରତିକ୍ରିୟା ଦେଲେ ନାହିଁ । କିଛି ଅଘଟଣ ହୋଇଥିବାର ଆଶଙ୍କା କରି ତାଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ଜଣେ ଗ୍ରାମବାସୀ ତା’ ଭିତରେ ପଶିଲେ । ସେ ବି ସେମିତି କୂଅ ଭିତରେ ନିରବିଗଲେ । ଡାକିଲେ ବି ଉତ୍ତର ଦେଲେ ନାହିଁ ।
ସେଠି ଉପସ୍ଥିତ ଥିବା ଗ୍ରାମବାସୀ ଜଣକ ପରେ ଜଣେ କୂଅ ଭିତରେ ପଶିଲେ । ପ୍ରାୟ ଅଧ ଘଣ୍ଟାଏ ମଧ୍ୟରେ ଜଣକୁ ବଞ୍ଚାଇବାକୁ ଜଣକ ପରେ ଜଣେ ଏମିତି ୭ ଜଣ ପଶିଲେ । କେହି ବାହାରକୁ ବାହାରିଲେନି । ଅର୍ଥାତ ୮ ଜଣ କୂଅ ଭିତରକୁ ଯାଇଥିଲେ । ଏହି କୂଅ ପାଲଟି ଯାଇଥିଲା ଯମ କୁଣ୍ଡ । ଏହି କୂଅ ଭିତରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ୮ ଜଣ କୂଅ ଭିତରେ ପଶି ନ ବାହାରିବାରୁ ଅନ୍ୟମାନେ ଭୟ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଏହି ଗାଁଟି ଜିଲ୍ଲା ସଦର ମହକୁମା ଠାରୁ ୧୫ କିଲୋମିଟର ଦୂର ଓ ଇନ୍ଦୋର ଠାରୁ ୧୨୦ କିଲୋମିଟର ଦୂର ।
ଅଧିକ ପଢ଼ନ୍ତୁ: କ୍ରାସ୍ ହେଲା IAF ଫାଇଟର ଜେଟ୍, ଦୁର୍ଘଟଣା ପରେ ଜଳିଗଲା ଯୁଦ୍ଧ ବିମାନ
କିଛି ସମୟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶହେ ଜଣିଆ ଉଦ୍ଧାରକାରୀ ଦଳ ଏହି ଗାଁରେ ପହଞ୍ଚିଥିଲେ । ସେମାନେ ବି ହଠାତ୍ ପଶିବାକୁ ସାହସ ଜୁଟାଇ ପାରିନଥିଲେ । ଆଣିଥିବା ସରଞ୍ଜାମ ଧରି ଏହି ଟିମର ଦୁଇଜଣ ସଦସ୍ୟ ସତର୍କତାର ସହ କୂଅ ଭିତରକୁ ଯାଇଥିଲେ । କୂଅରେ ଥିବା କାଦୁଅ ଭିତରେ ଏହି ୮ଜଣଙ୍କ ମୃତଦେହ ପଡିଥିବାର ସେମାନେ ଦେଖିଥିଲେ । ତା’ ପରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ଜିଲ୍ଲାପାଳ ଋଷଭ ଗୁପ୍ତା ଘୋଷଣା କରିଛନ୍ତି । ଖଣ୍ଡୱା ଏସପି ମନୋଜ ରାୟ କହିଛନ୍ତି, ଏହି ପରିତ୍ୟକ୍ତ କୂଅରେ ଥିବା ବିଷାକ୍ତ ଗ୍ୟାସ କାରଣରୁ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି । ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଯାଇଛି ।ଗ୍ରାମବାସୀମାନେ ଏହି ଘଟଣାରେ ଦୁଃଖରେ ଭାଙ୍ଗି ପଡିଛନ୍ତି । କାହା ପାଟିରୁ କିଛି କଥା ବାହାରୁନି । ଏହି କୂଅରେ ମୂର୍ତ୍ତି ବିସର୍ଜନ ପାଇଁ କାଦୁଅ ସଫା କରିବାକୁ ଯାଇଥିବା ଗ୍ରାମବାସୀଙ୍କ ଜୀବନ ବିସର୍ଜିତ ହୋଇଛି ଏହି କୂଅରେ ।