• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସବୁ ଥର ଭଳି ଏଥର ବି ଆମେରିକାର ଗୋଡ଼ ଧରିଲା । ଭାରତର ଅପରେସନ୍ ସିନ୍ଦୂର ପରେ ଅସ୍ତବ୍ୟସ୍ତ ହୋଇଯାଇଥିଲା ପାକିସ୍ତାନ । ଆମେରିକା ବଳରେ ଆଗରୁ ବଳୀୟାନ ହେଉଥିଲା ପାକିସ୍ତାନ । ହେଲେ ଏଥର ପାକିସ୍ତାନର ସେ ଆଶା ମଉଳି ଯାଇଥିଲା । କାରଣ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ, ଆମେ ଭାରତ ଓ ପାକିସ୍ତାନର ଏହି ଉତ୍ତେଜନାରେ ମୁଣ୍ଡ ପୂରାଇବୁ ନାହିଁ ।  ପୂର୍ବରୁ ପାକିସ୍ତାନ ଭାବୁଥିଲା, ଆମେ ଯାହା କଲେ ବି ଆମେରିକା ତାକୁ ସମ୍ଭାଳି ନେବ । କିନ୍ତୁ ଭାରତର ‘ଅପରେସନ ସିନ୍ଦୂର’ ପାକିସ୍ତାନକୁ ଆମେରିକା ଦ୍ୱାରା ବଞ୍ଚିବା ଆଶା ମଉଳି ଯାଇଥିଲା । ପାକିସ୍ତାନକୁ ସମର୍ଥନ କରିବା ପାଇଁ ଆମେରିକା ସିଧାସଳଖ ମନା କରିଦେଇଥିଲା । ଏହା ଦୁଇ ଦେଶର ବ୍ୟାପାର ବୋଲି କହିଥିଲା ଆମେରିକା । ଯାହାଫଳରେ ପାକିସ୍ତାନ ମଧ୍ୟ ବୁଝି ସାରିଥିଲା ଯେ, ତାକୁ ଆମେରିକାରୁ ସହଯୋଗ ମିଳିବ ନାହିଁ । 

କିନ୍ତୁ ଠିକ୍ ଦୁଇ ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ସୋସିଆଲ ମିଡିଆ 'X'ରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ବୋଲି କହିଥିଲେ । ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ସମୟ ଆଲୋଚନା ପରେ ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି  ବୋଲି ଦାବି କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସହମତି ପାଇଁ ଦୁଇ ରାଷ୍ଟ୍ରକୁ ଧନ୍ୟବାଦ ଜଣାଇଥିଲେ ଟ୍ରମ୍ପ । ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି କଥା ଜଣାଇଥିଲେ । ଟ୍ରମ୍ପ ନିଜେ ଓ ଉପରାଷ୍ଟ୍ରପତି ଭାନ୍ସ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କରିଥିଲେ । ରୁବିଓ କହିଥିଲେ, ବିଗତ ୪୮ ଘଣ୍ଟାର ଆଲୋଚନା ପରେ ସଫଳତା ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଓ ପାକ୍ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ଆଲୋଚନା ହୋଇଛି ।

ଏହାର କିଛି ସମୟ ପରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଅସ୍ତ୍ରବିରତି ପାଇଁ ଉଭୟ ଦେଶ ସହମତି ହୋଇଥିବା ଘୋଷଣା କରିଥିଲେ  । ଦୁଇ ଦେଶ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି ହୋଇଛି । ଭାରତୀୟ ସମୟ ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ପ୍ରଥମେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସୂଚନା ପରେ ଏକଥା ସ୍ପଷ୍ଟ କରିଥିଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି । କିନ୍ତୁ ଆମେରିକାର ମଧ୍ୟସ୍ଥତା ନେଇ ସେ କିଛି କହିନଥିଲେ । 

ପାକିସ୍ତାନକୁ  ଏଥର ଶାସ୍ତି ଦେବାକୁ ଚାହୁଁଥିଲା ଭାରତ ।  କଡ଼ା ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ । ପାକିସ୍ତାନକୁ ପାନେ ଦେବା ପାଇଁ  ସବୁ ପ୍ରକାରର ପ୍ରସ୍ତୁତି କରିଦେଇଥିଲା ଭାରତ । ଅପରେସନ ସିନ୍ଦୂର ପରେ ପାକିସ୍ତାନ ବୁଝିଯାଇଥିଲା ଏଥର ଆଉ ତ୍ରାହି ନାହିଁ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମିଛ କଥା କହିବା ଆରମ୍ଭ କରିଦେଇଥିଲେ ।  ପାକିସ୍ତାନର ଜଣେ ସାଂସଦ ସଂସଦରେ କାନ୍ଦି ପକାଇଥିଲେ ।   

୧୯୯୯ ମସିହାରେ କାର୍ଗିଲରେ ପାକିସ୍ତାନର ଅନୁପ୍ରବେଶକାରୀମାନେ ପଶିଯାଇଥିଲେ । ଭାରତ ସରକାର ଏହା ଜାଣିବା ପରେ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ଯୋଜନା କରିଥିଲେ । ଭାରତୀୟ ସେନା ପୂରା ପ୍ରସ୍ତୁତ ହୋଇଯାଇଥିଲା । ଆମେରିକାର ସ୍ପାଇ ସାଟେଲାଇଟ ଇମେଜରେ ଭାରତୀୟ ସେନାର ମୁଭମେଣ୍ଟ ଜଣାପଡିଯାଇଥିଲା । ଏହା ପଦାକୁ ଆସିବା ପରେ ପାକିସ୍ତାନ କହିଥିଲା, ଯଦି ଭାରତୀୟ ସେନା ଅଗ୍ରସର ହୁଏ, ତାହାଲେ ଆମେ ପରମାଣୁ ଅସ୍ତ୍ରର ପ୍ରୟୋଗ କରିବୁ । କିନ୍ତୁ ଭାରତୀୟ ସେନା ଯୁଦ୍ଧ ଆରମ୍ଭ କରିଦେଇଥିଲା । ନିଜ ଔକାତକୁ ଚାଲିଆସିଥିଲା ପାକିସ୍ତାନ ।  କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଶରଣ ପଶିଥିଲେ । ଏକ ବୈଠକ ପରେ ଶରିଫ ଅନୁପ୍ରବେଶକାରୀଙ୍କୁ କାର୍ଗିଲରେ ରହିବା ଉଚିତ ନୁହେଁ ନିଜ ଦେଶବାସୀଙ୍କୁ ଏକ ଟିଭି ସାକ୍ଷାତକାରରେ କହିଥିଲେ ।  ଭାରତୀୟ ସେନା ନିଜର ବୀରତ୍ୱ ପ୍ରଦର୍ଶନ କରି ଅନୁପ୍ରବେଶକାରୀଙ୍କୁ ହଟାଇ ବିଜୟର ବାନା ଉଡାଇଥିଲା ।  ପାକିସ୍ତାନ ଯେତେବେଳେ ବି ଯୁଦ୍ଧ କରିଥାଏ, ସେତେବେଳେ ପ୍ରଥମେ ପରମାଣୁ ଆକ୍ରମଣର ଧମକ ଦେଇଥାଏ, ନହେଲେ ନିଜକୁ ବଞ୍ଚାଇବାକୁ ଚାହୁଁଥିଲେ ଆମେରିକାର ଶରଣ ନିଏ । 

ଅଧିକ ପଢନ୍ତୁ: ବନ୍ଦ ହେଲା ଯୁଦ୍ଧ, ଅସ୍ତ୍ରବିରତି ନେଇ ସ୍ପଷ୍ଟ କଲା ଭାରତ; କିନ୍ତୁ ଜୟଶଙ୍କର କହିଲେ ଆତଙ୍କୀଙ୍କୁ...

୧୯୭୧ରେ ଯୁଦ୍ଧ ସମୟରେ ଭାରତକୁ ରୋକିବା ପାଇଁ ଆମେରିକା ପରମାଣୁ ଶକ୍ତିଚାଳିତ ବିମାନବାହୀ ଜାହାଜର ସାହାଯ୍ୟ ନେଇଥିଲା ପାକିସ୍ତାନ । ଆମେରିକା ସେତେବେଳେ ପାକିସ୍ତାନକୁ ସାହାଯ୍ୟ କରିଥିଲା । କିନ୍ତୁ ଭାରତ ନିଜ ଜିଦରେ ଅଟଳ ରହିଥିଲା । ୨୦୦୧ରେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ ସମୟରେ ପାକିସ୍ତାନକୁ ବଞ୍ଚାଇବାକୁ  ଆମେରିକା ଏହାର ସମାଧାନ କରିବା ପାଇଁ ନିଜ ରାଷ୍ଟ୍ରଦୂତଙ୍କୁ ଦିଲ୍ଲୀ ପଠାଇଥିଲା । କିଛି ବର୍ଷ ତଳେ ଆମେରିକାର ଜୋ ବାଇଡେନ୍ ସରକାର ପାକିସ୍ତାନରେ ଏଫ୍-୧୬ ଫ୍ଲିଟର ଅପଗ୍ରେଡ୍ କରିଥିଲେ । 

୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ୨୦୧୯ରେ ବାଲାକୋଟ୍ ଏୟାରଷ୍ଟ୍ରାଇକରେ ଭାରତ ମଧ୍ୟ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲା । ଭାରତ ବିଶ୍ୱ ସମୁଦାୟକୁ ବାର୍ତ୍ତା ଦେଇଥିଲା ଯେ, ଆମେ ନିଜ କଥା ନିଜେ ବୁଝିବାକୁ ସକ୍ଷମ । ଅନ୍ୟ ଦେଶର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ । ଭାରତ ନିଜେ ଲଢିବ କାହା ଉପରେ ନିର୍ଭର କରିବ ନାହିଁ । 

ଏଥର ମଧ୍ୟ ସେୟା ଘଟିଲା । ଭାରତ ପାକିସ୍ତାନ ଉପରେ ଶକ୍ତ ପ୍ରହାର କରିବା ସହ ପାକିସ୍ତାନର ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେଲା । ଯାହା ଫଳରେ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲା । ଭାରତ ଏକା ଲଢୁଥିବା ବେଳେ ପାକିସ୍ତାନକୁ ତୁର୍କୀ ସାହାଯ୍ୟ କରୁଥିଲା । ପାକିସ୍ତାନ ମାଡ କରୁଥିବା ଡ୍ରୋନଗୁଡିକ ତୁର୍କୀରୁ ଆଣିଥିଲା । ପାକିସ୍ତାନ ଚୀନ ଉପରେ ମଧ୍ୟ ନିର୍ଭରଶୀଳ ଥିଲା । ପାକିସ୍ତାନ ତାର ସହଯୋଗୀ ରାଷ୍ଟ୍ରମାନଙ୍କ ଉପରେ ଅତ୍ୟନ୍ତ ନିର୍ଭରଶୀଳ ହୋଇପଡିଥିଲା । ଦୁର୍ବଳ ଅର୍ଥନୀତି ଓ ଋଣ ବୋଝ ତାକୁ ପଛକୁ ହଟିବାକୁ ବାଧ୍ୟ କଲା । ଅନ୍ୟପଟେ ପାକିସ୍ତାନରୁ ଅଲଗା ହେବାକୁ ଚାହୁଁଥିବା ବାଲୋଚିସ୍ତାନ ମଧ୍ୟ ପାକିସ୍ତାନ ବିପକ୍ଷରେ ଅଛି । ତଥାପି ଭାରତର ବଡ ଧରଣର ଆକ୍ରମଣ ପୂର୍ବରୁ ପାକିସ୍ତାନ ଆମେରିକାର ଶରଣ ପଶିଲା । ସମ୍ଭବତଃ ଆମେରିକା ପାକିସ୍ତାନକୁ ସିଧାସଳଖ ଭାରତ ସହ କଥା ହେବାକୁ ପରାମର୍ଶ ଦେଲା । 

ତା ପରେ ଭାରତ ସହ କଥା ହେଲା ପାକିସ୍ତାନ । କିନ୍ତୁ ଏହାର ଶ୍ରେୟ ନେବାକୁ ଆଗେଇ ଆସିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ, ଦୁଇ ଦେଶ ସହ ଆଲୋଚନା କରି ଅସ୍ତ୍ରବିରତି କରାଇଦେଲି ।  

ଅଧିକ ପଢ଼ନ୍ତୁ:ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି, ସୂଚନା ଦେଲେ ଟ୍ରମ୍ପ