• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭାରତ-ପାକିସ୍ତାନ ସଂଘର୍ଷରେ ଯବନୀକା । ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି । ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ସମୟ ଆଲୋଚନା ପରେ ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଏହି ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା 'ଏକ୍ସ'ରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସହମତି ପାଇଁ ଦୁଇ ରାଷ୍ଟ୍ରକୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ । ତେବେ ଟ୍ରମ୍ପଙ୍କ ଏହି ଟ୍ବିଟ୍ ନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନି ।

 

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି କଥା ଜଣାଇଛନ୍ତି । ସେ ନିଜେ ଓ ଉପରାଷ୍ଟ୍ରପତି ଭାନ୍ସ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କରିଛନ୍ତି । ରୁବିଓ କହିଛନ୍ତି, ବିଗତ ୪୮ ଘଣ୍ଟାର ଆଲୋଚନା ପରେ ସଫଳତା ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଓ ପାକ୍ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ଆଲୋଚନା ହୋଇଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ପାକ୍ ସେନା ମୁଖ୍ୟ ମୁନିରଙ୍କ ସହ ଆଲୋଚନା ହୋଇଛି । ଉଭୟ ଦେଶ ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ବଡ଼ ହମଲା; ପାକ୍‌ର ୨ଯୁଦ୍ଧ ବିମାନକୁ ଖସାଇଲା ଭାରତ

ଭାରତର ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ରକ୍ତମୁଖା ପାକିସ୍ତାନ ସୀମାନ୍ତବର୍ତ୍ତୀ ଜମ୍ମୁ-କାଶ୍ମୀର, ପଞ୍ଜାବ, ଗୁଜରାଟ ଓ ରାଜସ୍ଥାନକୁ ଟାର୍ଗେଟ କରି ଲଗାତାର ରାତିରେ ଡ୍ରୋନ ଓ ମିସାଇଲ ମାଡ଼ କରିଆସୁଛି । କାଲି ରାତିରେ ରାଜସ୍ଥାନର ପୋଖରାନ, ଗୁଜୁରାଟର କଚ୍ଛ, ପଞ୍ଜାବର ପଠାନକୋଟ୍ ସହ ଜମ୍ମୁର ସାମ୍ବାରେ ଡ୍ରୋନ ଆକ୍ରମଣ କରିଥିଲା । ହେଲେ ସବୁ ଆକ୍ରମଣକୁ ଭାରତୀୟ ସେନା ବିଫଳ କରିଦେଇଥିଲା । ଏଥିସହ ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ପୂର୍ବକ ଏହାର  ମିଲିଟାରୀ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲା । ତେବେ ଏହି ଚରମ ଉତ୍ତେଜନା ମଧ୍ୟରେ ଏବେ ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ବଡ଼ ସୂଚନା ଆସିଛି ।