Delhi Air Pollution: ପ୍ରଦୂଷଣ ଧୂଆଁରେ ଆକ୍ତାମାକ୍ତା ଦିଲ୍ଲୀ, ନିଶ୍ୱାସ ନେବାକୁ ଲାଗୁଛି ଡର

ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ ।

Delhi Air Pollution

ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ । ଲଗାତର ୩ ଦିନ ହେଲା ବାୟୁର ମାନ ୪୦୦ ଉପରେ ରହିଛି । ଫଳରେ ଆଜି ଲାଗୁ ହୋଇଛି ଗ୍ରାପ୍-ଥ୍ରୀ କଟକଣା । ଦିଲ୍ଲୀ-ଏନସିଆରରେ ପ୍ରାଥମିକ ସ୍କୁଲ ବନ୍ଦ ବନ୍ଦ ରଖାଯାଇଥିବା ବେଳେ ଡିଜେଲ ଚାଳିତ ଗାଡି ଚଳାଚଳ ଉପରେ ଲାଗିଛି ବ୍ୟାନ୍ ।

ବାୟୁ ସହ ଯମୁନା ପାଣି ବି ବିଷାକ୍ତ ହୋଇ ପଡ଼ିବାରୁ ବଢ଼ିଛି ଉଦବେଗ । ଦିଲ୍ଲୀ ପବନରେ ଭରିଗଲାଣି ବିଷ । ଏଠି ନିଶ୍ୱାସ ନେବାକୁ ଲାଗିଲାଣି ଭୟ । ଲଗାତର ତୃତୀୟ ଦିନ ପାଇଁ ପ୍ରଦୂଷଣ, ଗମ୍ଭୀର ସ୍ତରରେ ରହିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୨୪ ଛୁଇଁଛି । ପ୍ରଦୂଷଣ ଏତେ ଯେ, ୨୦୦ ମିଟର ଯାଏଁ କିଛି ଦେଖାଯାଉନି । ଗ୍ୟାସ ଚାମ୍ବର ପାଲଟିଥିବା ଦିଲ୍ଲୀ-ଏନସିଆରକୁ ଏଥିରୁ ଉଦ୍ଧାର ପାଇଁ ଲାଗୁ ହୋଇଛି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍, GRAP-3 । ରାଜଧାନୀରେ ଲାଗୁ ହୋଇଛି କଟକଣା ।

ବନ୍ଦ କରାଯାଇଛି ପ୍ରାଥମିକ ସ୍କୁଲ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅନଲାଇନ୍‌ରେ ହେବ କ୍ଲାସ୍ । ଡିଜେଲ୍ ଚାଳିତ ଗାଡି ମୋଟର ବନ୍ଦ, ବିଏସ୍-୩ ପେଟ୍ରୋଲ ଯାନ ଉପରେ ବି କଟକଣା ଲାଗିଛି । ସିଏନଜି ଓ ଇ-ବସକୁ ଛାଡି, ଅନ୍ୟ ସବୁ ଆନ୍ତଃରାଜ୍ୟ ବସ୍‌ର ଦିଲ୍ଲୀ ପ୍ରବେଶ ବ୍ୟାନ୍ । ବେସରକାରୀ ନିର୍ମାଣ ବନ୍ଦ କରାଯାଇଥିବା ବେଳେ ଡିମୋଲିସନ, କ୍ରସର, ବଡ ବଡ ୱେଲଡିଂ, ଗ୍ୟାସ କଟିଂ, ଟାଇଲ୍ ଫ୍ଲୋରିଂ ଏବଂ କିଛି ପ୍ଲାଣ୍ଟରେ ଲାଗିଛି ବ୍ୟାନ୍ ।

ଅଧିକ ପଢନ୍ତୁ: ଅତି ସଙ୍ଗୀନ ସ୍ଥିତିରେ ବାୟୁ ପ୍ରଦୂଷଣ; ସ୍କୁଲ୍‌ ବନ୍ଦ କଲେ ସରକାର !

ସିମେଣ୍ଟ, ବାଲି ଏବଂ ପାଉଁଶ ପରିବହନ ବି ବନ୍ଦ ରହିଛି । ପ୍ରଦୂଷଣ ରୋକିବାକୁ କୃତ୍ରିମ ବର୍ଷା ଉପରେ ଜୋର୍ ଦେଇଛନ୍ତି ଦିଲ୍ଲୀ ସରକାର । ସେପଟେ ଟ୍ରାଫିକ ଭିଡ ଜନିତ ପ୍ରଦୂଷଣ ରୋକିବାକୁ ସରକାରୀ ଅଫିସ ସମୟରେ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶି ମର୍ଲେନା । ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ୍ ଅଫିସ ସକାଳ ସାଢେ ୮ଟାରୁ ୫ଟା ଯାଏଁ ଚାଲିବ ।

ସେହିପରି କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ୯ଟାରୁ ସାଢେ ୫ଟା ଏବଂ ୧୦ଟାରୁ ସାଢେ ୬ଟା ଯାଏଁ କାମ କରିବ ଦିଲ୍ଲୀ ସରକାରଙ୍କ ଅଫିସ । ବାୟୁ ପ୍ରଦୂଷଣ ୪୫୦ ଟପିଲେ ସହରରେ ଲାଗୁ ହେବ ଅଡ୍ ଇଭିନ୍ ଫର୍ମୁଲା । ଦିଲ୍ଲୀ ପବନ ସହ ପାଣି ବି ପ୍ରଦୂଷିତ ହେଲାଣି । କାଳିନ୍ଦିକୁଞ୍ଜରେ ବିଷାକ୍ତ ହୋଇଛି ଯମୁନା । ପାଣିରେ ଭାସୁଛି ମେଂଚା ମେଂଚା ବିଷାକ୍ତ ଫେଣ । କିଲୋମିଟର ଯାଏଁ ଯମୁନାରେ ଭାସୁଥିବା ଏହି ବିଷାକ୍ତ ଫେଣରେ ରହିଛି ଘାତକ ଆମୋନିଆ ଏବଂ ଫସଫେଟ୍ ।

ବିଭିନ୍ନ ଶିଳ୍ପାଞ୍ଚଳରୁ ଆସୁଥିବା ବର୍ଜ୍ୟବସ୍ତୁ ବି ସିଧାସଳଖ ଯମୁନା ନଦୀରେ ମିଶୁଛି । ଫଳରେ ସ୍ଥିତି ଆହୁରି ଭୟଙ୍କର ହେଉଛି । ସେପଟେ ପ୍ରଦୂଷଣ ମୁକାବିଲା ନେଇ ଦିଲ୍ଲୀ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ବାୟୁର ମାନ ୨୦୦ରୁ ୩୦୦ ଭିତରେ ରହିଲେ ଗ୍ରାପ୍-୧, ୩୦୦ରୁ ୪୦୦ ଭିତରେ ଗ୍ରାପ୍-୨, ୪୦୦ରୁ ଅଧିକ ହେଲେ ଗ୍ରାପ୍-୩ ଏବଂ ୪୫୦ ଟପିଲେ ଗ୍ରାପ୍-୪ କଟକଣା ଲାଗୁ କରାଯାଇଥାଏ । ତେଣୁ ପ୍ରଦୂଷଣ ଶୀଘ୍ର ନିୟନ୍ତ୍ରଣକୁ ନଆସିଲେ ଦିଲ୍ଲୀରେ ଗ୍ରାପ୍-୪ କଟକଣା ଲାଗୁ କରାଯିବ । ଏଭଳି ହେଲେ ଶିଶୁ ଏବଂ ବରିଷ୍ଠ ନାଗରିକଙ୍କୁ ଘରୁ ବାହାରିବା ଉପରେ ଲାଗିବ କଟକଣା । ଗତ ଜାନୁଆରୀ ୧୪ରେ ଦିଲ୍ଲୀର ଏକ୍ୟୁଆଇ ସର୍ବାଧିକ ୪୪୭ ରେକର୍ଡ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ବର୍ବର, ଭୟଙ୍କର, ସାଙ୍ଘାତିକ ... କୁନି ଝିଅକୁ କାଟି ଖାଇଲା ମାଆ!!