/odishatv-khabar/media/post_attachments/uploadimage/library/16_9/16_9_0/delhi_1748185288.jpg)
delhi
ଝଡ଼ବର୍ଷାରେ ବେହାଲ୍ ହେଲା ରାଜଧାନୀ ଦିଲ୍ଲୀ। ବୁଡ଼ିଲା କାର୍, ଉପୁଡ଼ିଲା ଗଛ। ରାସ୍ତାରେ ଲହଡ଼ି ଭାଙ୍ଗିଲା ବର୍ଷା ପାଣି। ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମରେ ଫସିଲେ ରାଜଧାନୀ ବାସିନ୍ଦା। ଗତକାଲି ବିଳମ୍ବିତ ରାତିରୁ ଭୋର୍ ୪ଟା ଯାଏଁ ଦିଲ୍ଲୀରେ ଏମିତି ତାଣ୍ଡବ ରଚିଥିଲା ଝଡ଼ବର୍ଷା। ବହୁ ଅଞ୍ଚଳ ଜଳବନ୍ଦୀ ହୋଇଥିଲା। ବହୁ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଥିଲା। ଦିନକୁ ଦିନ ସହରୀ ବନ୍ୟା ନୂଆ ଚ୍ୟାଲେଞ୍ଜ ଭାବରେ ଠିଆ ହେଲାଣି। ନିକଟରେ ବେଙ୍ଗାଳୁରୁରେ ଲଗାଣ ବର୍ଷାରେ ସୃଷ୍ଟି ହୋଇଥିଲା ଜଳପ୍ରଳୟ ସ୍ଥିତି।
ଅଧିକ ପଢ଼ନ୍ତୁ: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍ର ନିଦ
ଭାସିଲା ରାସ୍ତା। ବୁଡ଼ିଲା କାର। ରାଜରାସ୍ତାରେ ପାଣିର ସୁଅ। ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମ୍। ଉପୁଡ଼ିଲା ଗଛ। କିଛି ଘଣ୍ଟାର ବର୍ଷା ଆଉ ଝଟକା ପବନ ଦିଲ୍ଲୀ ହାଲକୁ ଏମିତି ବେହାଲ୍ କରିଦେଲା। ଗତ ରାତିରେ ଦେଶର ରାଜଧାନୀ ଯେତେବେଳେ ଶୋଇଥିଲା ଅଚାନକ ତାଣ୍ଡବ ରଚିଥିଲା ଝଡ଼ବର୍ଷା। ବହିଲା ପ୍ରଳୟଙ୍କାରୀ ପବନ, ତାସହ ନିର୍ଧୁମ ବର୍ଷିଲା। କିଛି ଘଣ୍ଟାର ଝଡ଼ବର୍ଷାରେ କଲବଲ ଅବସ୍ଥା ଭୋଗିଲା ଦିଲ୍ଲୀ। ଚାରିଆଡ଼େ ପାଣି ଆଉ ପାଣି। ଉବୁଟୁବୁ ହୋଇଥିଲା ବହୁ ଅଞ୍ଚଳ। କେଉଁଠି ରାସ୍ତାରେ କାର୍ ଭାସିଥିଲା ତ କେଉଁଠି ବୁଡ଼ିଥିଲା। ମିଣ୍ଟୋ ରୋଡରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା ଗୋଟିଏ କାର। କ୍ୟାଣ୍ଟ ଅଞ୍ଚଳରେ କାର୍ ବୁଡ଼ିବା ସହ ପାଣି ଭିତରେ ଫସିଥିଲା ବସ୍। ଜଳବନ୍ଦୀ ହୋଇଥିଲା କ୍ୟାଣ୍ଟ, ନାନକପୁର, ଆଇଟିଓ ପାର୍କ, ଚାଣକ୍ୟପୁରୀ, ଦ୍ବାରକା, ମୋତିବାଗ, ଶାସ୍ତ୍ରୀ ଭବନ ସମେତ ବହୁ ଅଞ୍ଚଳ। ଗାଡ଼ିମୋଟର ଚଳାଚଳରେ ଅସୁବିଧା ହୋଇଥିବା ବେଳେ ଯାତାୟତ ସାଂଘାତିକ ଭାବରେ ପ୍ରଭାବିତ ହୋଇଥିଲା। ଘଣ୍ଟା ଘଣ୍ଟା ଜାମ୍ ହୋଇଥିଲା ଟ୍ରାଫିକ୍। ସେହିପରି ପବନରେ ଆକବର ରୋଡ୍ ସମେତ ଆଉ କିଛି ଅଞ୍ଚଳରେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଖରାପ ପାଗ ଯୋଗୁ ବାଧାପ୍ରାପ୍ତ ହୋଇଥିଲା ଶହେରୁ ଅଧିକ ବିମାନ ଚଳାଚଳ। ୪୯ଟି ଫ୍ଲାଇଟର ଗତିପଥ ପରିବର୍ତ୍ତନ କରାଯାଇଥିଲା।
ଅସରାଏ ବର୍ଷାରେ ସୃଷ୍ଟି ହେଉଛି ସହରୀ ବନ୍ୟା। ନିକଟରେ ବେଙ୍ଗାଳୁରୁକୁ ବେହାଲ୍ କରିଥିଲା ଲଗାଣ ବର୍ଷା। ସିଲିକନ୍ ସିଟିରେ ଦେଖିବାକୁ ମିଳିଥିଲା ଜଳପ୍ରଳୟର ଭୟଙ୍କର ଦୃଶ୍ୟ। ବୁଡ଼ିଥିଲା ରାଜରାସ୍ତା। ଘର, ଅଫିସ, ସ୍କୁଲ କଲେଜ ସବୁକିଛି ଜଳବନ୍ଦୀ ହୋଇଥିଲା। ଗତବର୍ଷ ଅକ୍ଟୋବରରେ ଲଗାଣ ବର୍ଷାରେ ଚେନ୍ନାଇରେ ବି ସୃଷ୍ଟି ହୋଇଥିଲା ସହରୀ ବନ୍ୟା ସ୍ଥିତି। ଜଳବାୟୁ ଓ ଭିତ୍ତିଭୂମି ଦୃଷ୍ଟିରୁ ସହରାଞ୍ଚଳ ବନ୍ୟା ଭାରତର ସବୁଠାରୁ ଜରୁରୀ ଚ୍ୟାଲେଞ୍ଜ ଭାବରେ ଠିଆ ହୋଇଛି। ଦିଲ୍ଲୀ, ବେଙ୍ଗାଳୁରୁ, ମୁମ୍ବାଇ ଓ ହାଇଦ୍ରାବାଦ ଭଳି ସହରାଞ୍ଚଳ ବିଭିନ୍ନ ସମୟରେ ଜଳବନ୍ଦୀ ହେଉଛି। କାହିଁକି ବଢୁଛି ସହରୀ ବନ୍ୟା? ସହରାଞ୍ଚଳରେ ଡ୍ରେନେଜ୍ ଅବ୍ୟବସ୍ଥା ଏହାର ମୂଳ କାରଣ। ସେହିପରି ସଠିକ ଭାବରେ ବର୍ଷା ପାଣି ପରିଚାଳନା ହୋଇ ନପାରିବାରୁ କୃତ୍ରିମ ବନ୍ୟା ସ୍ଥିତି ଦେଖାଦେଉଛି। ସହରାଞ୍ଚଳ ବନ୍ୟାକୁ ରୋକିବାକୁ ପୂର୍ବରୁ ଅବରୋଧ ଭାବରେ କାମ କରୁଥିବା ନାଳ କିମ୍ବା ହ୍ରଦକୁ ପୋତି ଦିଆଯାଉଛି। ପୂର୍ବରୁ ଦଶନ୍ଧିରେ ଥରେ ହେଉଥିବା ବନ୍ୟା ଘଟଣା ଏବେ ପ୍ରତି ଦୁଇରୁ ତିନି ବର୍ଷରେ ଘଟୁଛି। ସହର ଭିତ୍ତିଭୂମିକୁ ପରିବର୍ତ୍ତିତ ଜଳବାୟୁ ଅନୁସାରେ ପରିବର୍ତ୍ତନ ବି କରିବା ଆବଶ୍ୟକ। ନହେଲେ ଆଗକୁ ସହରୀ ବନ୍ୟା ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)