• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

୯୦ ବର୍ଷରେ ପାଦ ଥାପିଲେ ଧର୍ମଗୁରୁ ଦଲାଇଲାମା । ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁସ୍ଥତା ଓ ଦୀର୍ଘାୟୁ କାମନା କରି ସୋସିଆଲ ମିଡିଆରେ ଜଣାଇଛନ୍ତି ଶୁଭେଚ୍ଛା । ସୋସିଆଲ ମିଡିଆ Xରେ ମୋଦି ଲେଖିଛନ୍ତି, "୧.୪ବିଲିୟନ ଭାରତୀୟଙ୍କ ସହ ମିଶି ମୁଁ ଦଲାଇଲାମାଙ୍କ ୯୦ତମ ଜନ୍ମବାର୍ଷିକୀର ଶୁଭେଚ୍ଛା ଜଣାଉଛି । ତାଙ୍କର ବାର୍ତ୍ତା ସବୁ ଧର୍ମ ପାଇଁ ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରେରଣା ହେବ । ମୁଁ ତାଙ୍କର ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।"

ଏହି ଅବସରରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ବ୍ୟାପକ ଆୟୋଜନ କରାଯାଇଛି । ସେଠାରେ ଥିବା ମଠରେ ହଜାର ହଜାର ତିବ୍ବତୀୟ ଏକାଠି ହୋଇ ଦଲାଇଲାମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଆମେରିକାରୁ ମଧ୍ୟ ଆସିଛି ଜନ୍ମଦିନ ପାଇଁ ଶୁଭେଚ୍ଛା ବାର୍ତ୍ତା । ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ ଏକ ପ୍ରେସ ରିଲିଜ୍ ଜାରି କରିଛନ୍ତି । ଏଥିରେ ଆମେରିକା ପକ୍ଷରୁ ପରବର୍ତ୍ତୀ ଦଲାଇଲାମା ଚୟନ ନେଇ ମତ ରଖାଯାଇଛି। ଆମେରିକାର କହିବା କଥା, ତିବ୍ବତୀୟ ଲୋକଙ୍କୁ ତାଙ୍କର ନେତା ବାଛିବାର ଅଧିକାର ରହିଛି । ଏଥିରେ କାହାର ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । 

ଆଜି ଧର୍ମଗୁରୁଙ୍କ ୯୦ ତମ ଜନ୍ମବାର୍ଷିକୀ । ୧୯୩୫ ମସିହା ଜୁଲାଇ ୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ପୂର୍ବରୁ କୁହାଯାଇଥିଲା ଯେ, ଦଲାଇଲାମାଙ୍କୁ ଯେତେବେଳେ ୯୦ ବର୍ଷ ହେବ ସେତେବେଳେ ପରବର୍ତ୍ତୀ ଦଲାଇଲାମାଙ୍କ ନାଁ ଘୋଷଣା କରାଯିବ । ସେପଟେ ଚୀନର କହିବା କଥା, ଦଲାଇଲାମାଙ୍କ ଉତ୍ତରାଧିକାରୀକୁ ବେଜିଂ ସରକାରଙ୍କ ମଞ୍ଜୁରୀ ନେବାକୁ ପଡ଼ିବ । ଚୀନର ବେଦୈଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଂଙ୍ଗ୍ କହିଛନ୍ତି, ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ ଚୀନର ପୁରାତନ ପରମ୍ପରା ଅନୁସାରେ ହେବ । ସେମାନଙ୍କୁ ଆମ ନିୟମ ଓ ଧାର୍ମିକ ରୀତିନୀତି ପାଳନ କରିବାକୁ ପଡ଼ିବ । 

୧୯୫୯ ମସିହାରେ ଲାସାରେ ଚୀନ୍ ଶାସନ ବିରୋଧରେ ବିଦ୍ରୋହ ପରେ ଭାରତକୁ ପଳାଇ ଆସିଥିଲେ ଦଲାଇଲାମା । ହଜାର ହଜାର ତିବ୍ବତୀୟଙ୍କ ସହ ନିର୍ବାସନରେ ରହୁଛନ୍ତି ଏହି ଧର୍ମଗୁରୁ । ଗୋଟିଏପଟେ ଚୀନ୍ ତାଙ୍କୁ ବିଚ୍ଛିନ୍ନତାବାଦୀ ଓ ବିଦ୍ରୋହୀ ବୋଲି ଘୋଷଣା କରୁଥିବାବେଳେ ଅନ୍ୟପଟେ ଉତ୍ତରାଧିକାରୀ ଘୋଷଣା ପୂର୍ବରୁ ହସ୍ତକ୍ଷେପ କରିବାକୁ ମନ ବଳାଇଛି । ଏନେଇ ଦଲାଇଲାମା ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । କହିଥିଲେ, "ଆଗକୁ ମଧ୍ୟ ଜାରି ରହିବ ଏହି ଅନୁଷ୍ଠାନ । ଏଥିପାଇଁ ଗାଡେନ ଫୋଡରଙ୍ଗ ଟ୍ରଷ୍ଟକୁ ଦାୟିତ୍ୱ ଦିଆଯାଇଛି । ନୂଆ ଦଲାଇଲାମା ତିବ୍ବତୀୟ ଲୋକ ହିଁ ବାଛିବେ ।"

ଅଧିକ ପଢନ୍ତୁ: ଦଲାଇଲାମାଙ୍କ ଉତ୍ତରାଧିକାରୀ କିଏ ? ବଡ଼ ଘୋଷଣା କଲେ ଧର୍ମଗୁରୁ...