/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751025224.jpg)
Rain On Oldage Home
ବନ୍ଦ ଘରେ ଥିଲେ ବୃଦ୍ଧ ଓ ବୃଦ୍ଧା । ଯତ୍ନ ନେବାକୁ କେହି ବି ନଥିଲେ । କିଏ ପରିସ୍ରାରେ ଓଦା ଥିବା ପୋଷାକ ପିନ୍ଧିଥିଲେ ତ ଆଉ କାହା ଦେହରେ ଖଣ୍ଡେ କନା ବି ନଥିଲା । ଏ ଦୃଶ୍ୟ ଯିଏ ଦେଖିବ ତା ଆତ୍ମା କାନ୍ଦି ଉଠିବ । ପରିଣତ ବୟସରେ ଅପରିଷ୍କାର ପରିବେଶରେ ଅଖିଆ-ଅପିଆ-ଅଲୋଡା ହୋଇ ପଡ଼ିରହିଥିଲେ ୩୯ ଜଣ ବୃଦ୍ଧବୃଦ୍ଧା । ଏ ଘଟଣା ହେଉଛି ନୋଏଡା ସେକ୍ଟର-୫୫ରେ ଥିବା ଆନନ୍ଦ ନିକେତନ ବୃଦ୍ଧାଶ୍ରମର ।
ବୃଦ୍ଧାଶ୍ରମ ଭିତରର ଏପରି ଦୃଶ୍ୟ କ୍ୟାମେରାରେ କଏଦ ହୋଇ ଭାଇରାଲ ହେବା ପରେ ସେଠାରେ ପହଞ୍ଚିଥିଲା ଲକ୍ଷ୍ନୌର ସୋସିଆଲ ୱେଲ୍ଫେୟାର ଟିମ୍। ପରେ ମହିଳା କମିଶନ ସମେତ ନୋଏଡା ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲେ । ଏହାପରେ ସେମାନେ ଯାହା ଦେଖିଥିଲେ ତାଙ୍କର ମଧ୍ୟ ଆଶ୍ଚର୍ଯ୍ୟର ସୀମା ରହିନଥିଲା । ହାତ ଗୋଡ଼ ବନ୍ଧା ଅବସ୍ଥାରେ ବନ୍ଦ କୋଠରୀ ଭିତରେ ଜୀବନ କାଟୁଥିଲେ ୩୯ ଜଣ ବୟସ୍କ ବ୍ୟକ୍ତି ।
ଏନେଇ ରାଜ୍ୟ ମହିଳା କମିଶନ ସଦସ୍ୟା ମିନାକ୍ଷୀ ଭରଲା କହିଛନ୍ତି, "କିଛି ଜଣ ବେସ୍ମେଣ୍ଟ ଭଳି ରୁମ୍ ଭିତରେ ଲକ୍ ଥିଲେ । ଅଧିକାଂଶ ଅନ୍ତେବାସୀଙ୍କ ଦେହରେ ଲୁଗା ନଥିଲା । ମହିଳାମାନେ ଅର୍ଦ୍ଧନଗ୍ନ ଅବସ୍ଥାରେ । ଆଉ କେତେକ ଅନ୍ତେବାସୀ ପରିସ୍ରାରେ ଓଦା ଥିବା ପୋଷାକ ପିନ୍ଧିଥିଲେ ।" ଏହାସହ ଜରାଶ୍ରମରେ କେହି କେୟାର ଟେକର୍ ମଧ୍ୟ ନଥିବା ସେମାନେ ଦେଖିବାକୁ ପାଇଥିଲେ । ସେଠାରେ ଥିବା ଜଣେ କର୍ମଚାରୀ, ଯିଏକି ନିଜକୁ ନର୍ସର ପରିଚୟ ଦେଉଥିଲେ ସେ ଯୁକ୍ତ ୨ ପାସ୍ କରିଥିବା କହିଛନ୍ତି ।
ସବୁଠୁ ବଡ଼ କଥା ହେଉଛି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ବୃଦ୍ଧାଶ୍ରମକୁ ମୋଟା ଅଙ୍କର ଡୋନେସନ୍ ମିଳୁଥିଲା । ଅନ୍ତେବାସୀଙ୍କ ପରିବାର ତରଫରୁ ୨.୫ଲକ୍ଷ ଟଙ୍କାର ଅନୁଦାନ ମିଳୁଥିବାବେଳେ ମାସିକ ଖାଦ୍ୟ ବାସଗୃହ ବାବଦକୁ ୬ହଜାର ଟଙ୍କା ଦେଉଥିଲେ ପରିବାରଲୋକେ। ମିଳିଥିବା ସୂଚନା ଅନୁସାରେ, ଏହି ବୃଦ୍ଧାଶ୍ରମ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଏହାକୁ ସରକାରୀ ଆଶ୍ରମକୁ ସିଫ୍ଟ କରାଯିବ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)