/odishatv-khabar/media/post_attachments/uploadimage/library/16_9/16_9_0/Telangana_1751360881.jpg)
Telangana
ତେଲେଙ୍ଗାନାରେ ଗତକାଲି ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ତେଲେଙ୍ଗାନାରେ ଏକ ଫାର୍ମା ଫାକ୍ଟ୍ରିରେ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ହୋଇଛି। ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସିଗାଚ୍ଛି କେମିକାଲ ଫାକ୍ଟ୍ରିରେ ଗତକାଲି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣା ସମୟରେ ଫାକ୍ଟ୍ରିରେ ପ୍ରାୟ ୧୫୦ରୁ ଉର୍ଦ୍ଧ କର୍ମଚାରୀ ଥିଲେ।
ଜୁନ ୩୦ରେ ଘଟିଥିବା ଏହି ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମୃତାହତଙ୍କ ସଂଖ୍ୟା ବଢିଛି । ଉଦ୍ଧାରକାରୀ ଦଳ ଧ୍ୱସ୍ତ ବିଧ୍ୱସ୍ତ ଭଗ୍ନାବଶେଷ ଉଦ୍ଧାର କରିବାରେ ଲାଗିଛନ୍ତି । ସଙ୍ଗାରେଡ୍ଡୀ ଜିଲ୍ଲାର ପୋଲିସ ଅଧିକ୍ଷକ ପାରିତୋଷ ପଙ୍କଜ କହିଛନ୍ତି ଯେ, ଭଗ୍ନାବଶେଷ ସଫା କରିବା ବେଳେ ବହୁ ଗୁଡିଏ ମୃତଦେହ ମିଳିଲାଣି । ୩୧ ଜଣଙ୍କ ମୃତ ଦେହ କେବଳ ଭଗ୍ନାବଶେଷରୁ ବାହାର କରାଯାଇଥିବା ବେଳେ ୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଉଦ୍ଧାରକାର୍ଯ୍ୟ ଏବେ ବି ଜାରି ରହିଛି ।
ଅଧିକ ପଢନ୍ତୁ: ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ,୧୦ ମୃତ
ସୂଚନାଯୋଗ୍ୟ, ଜୁନ ୩୦ ସୋମବାର ସକାଳ ୮ଟା ୧୫ରୁ ୯ଟା ୩୫ ମଧ୍ୟରେ କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଆଖପାଖରେ ଧୂଆଁମୟ ହୋଇଯାଇଥିଲା ପୂରା ପରିବେଶ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଶରୀର ୧୦୦ ମିଟର ଦୁରକୁ ଉଡି ଯାଇଥିଲା। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣାରେ ପୋଲିସ ତଦନ୍ତ କରୁଛି।
ମିୟାପୁରରେ ପ୍ରଣାମ ହସ୍ପିଟାଲରେ ୨୧ ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କୁ ମୃତ ଅବସ୍ଥାରେ ନିଆ ଯାଇଥିଲା । ପରଦିନ ସକାଳେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ପତନଚେରୁରରେ ଥିବା ଧ୍ରୁବ ହସ୍ପିଟାଲରେ ୧୧ ଜଣଙ୍କୁ ଆଡମିଟ୍ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ୯ ଜଣଙ୍କ ମଧ୍ୟରୁ ୫ ଜଣ ଭେଣ୍ଟିଲେଣ୍ଟରରେ ଅଛନ୍ତି । ୭ ଜଣଙ୍କର ୪୦ରୁ ୮୦ ପ୍ରତିଶତ ଶରୀର ଜଳି ଯାଇଥିବା ବେଳେ ଦୁଇ ଜଣଙ୍କର ୧୦ ପ୍ରତିଶତ ଶରୀର ଜଳି ଯାଇଛି ।
ତେଲେଙ୍ଗାନାର ରାଜସ୍ୱ ବିଭାଗ କହିଛି ଯେ, ମୃତକଙ୍କ ମଧ୍ୟରୁ ଅନେକ ଓଡିଶା, ପଶ୍ଚିମବଙ୍ଗ ଓ ବିହାର ରାହ୍ୟର ବାସିନ୍ଦା ଅଟନ୍ତି । କେବଳ ୯ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବାକିମାନଙ୍କର ଡିଏନଏ ଟେଷ୍ଟ ଦ୍ୱାରା ଚିହ୍ନଟ କରାଯିବ । ତେଲେଙ୍ଗାନା ସରକାର ଏହାର ତଦନ୍ତ କରିବା ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଅନ୍ୟାନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ଘଟଣା ଘଟିବା ସମୟରେ ୧୪୩ ଜଣ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମୃତକଙ୍କ ପାଇଁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)