Advertisment

Delhi Air Pollution: ବାୟୁରେ ବିଷ ! ଦିଲ୍ଲୀ-NCRରେ ୭୫% ପରିବାର ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ

ଏକ ନୂତନ ସର୍ଭେରେ ଦିଲ୍ଲୀ NCRରେ ବାୟୁ ଗୁଣବତ୍ତା ହ୍ରାସର ଭୟାବହତା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି, ୭୫ପ୍ରତିଶତ ପରିବାରରେ ଅତି କମରେ ଜଣେ ସଦସ୍ୟ ଗଳା ଯନ୍ତ୍ରଣା କିମ୍ବା କାଶ ଭଳି ଶ୍ୱାସଜନିତ ରୋଗରେ ପୀଡିତ।

author-image
Sonali Ojha
ଅଦ୍ୟତନ ହୋଇଛି
pollution

pollution

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ସୂଚନା ଅନୁଯାୟୀ, AQI ୪୫୦ ଉପରେ ରହୁଛି। ବୁଧବାର ପ୍ରକାଶିତ ଏକ ନୂତନ ସର୍ଭେରେ ଦିଲ୍ଲୀ NCRରେ ବାୟୁ ଗୁଣବତ୍ତା ହ୍ରାସର ଭୟାବହତା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି, ୭୫ପ୍ରତିଶତ ପରିବାରରେ ଅତି କମରେ ଜଣେ ସଦସ୍ୟ ଗଳା ଯନ୍ତ୍ରଣା କିମ୍ବା କାଶ ଭଳି ଶ୍ୱାସଜନିତ ରୋଗରେ ପୀଡିତ। ଯାହାକି ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Advertisment

ଅନଲାଇନ୍ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ସ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ହେବା ଫଳର ଗୁରୁତର ସ୍ୱାସ୍ଥ୍ୟଗତ ପ୍ରଭାବ ଦର୍ଶାଯାଇଛି। ଯେଉଁଠାରେ ବାୟୁ ଗୁଣବତ୍ତା 'ଗୁରୁତର' ବର୍ଗରେ ରହିଛି । ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ଫରିଦାବାଦ ଏବଂ ଗାଜିଆବାଦର ୨୧ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେରେ ସାମିଲ୍ କରାଯାଇଥିଲା। ସେଥିମଧ୍ୟରୁ ୬୩% ପୁରୁଷ ଏବଂ ୩୭% ମହିଳା ଥିଲେ। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୫୮% ପରିବାରର ଲୋକ ମୁଣ୍ଡବିନ୍ଧା ଅନୁଭବ କରୁଛନ୍ତି। ଅର୍ଦ୍ଧେକ ସଦସ୍ୟଙ୍କର ଶ୍ୱାସକ୍ରିୟାରେ ଅସୁବିଧା କିମ୍ବା ଅଛି ଅଥବା ସେମାନେ ଆଜମା ରୋଗରେ ପୀଡିତ ।

ସର୍ଭେରେ ଆହୁରି ଦର୍ଶାଯାଇଛି ଯେ ୨୭ପ୍ରତିଶତ ପରିବାର ଏୟାର ପ୍ୟୁରିଫାୟାର ବ୍ୟବହାର କରୁଛନ୍ତି। ଯାହାକି ଗତମାସ ତୁଳନାରେ ୧୮ ପ୍ରତିଶତ ଅଧିକ। ଅବଶ୍ୟ, ୨୩ ପ୍ରତିଶତ ଲୋକ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିନାହାଁନ୍ତି। ସେହିଭଳି ଅନ୍ୟମାନେ ଖାଦ୍ୟପେୟ ପରିବର୍ତ୍ତନ ମାଧ୍ୟମରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଧ୍ୟାନ ଦେଇଛନ୍ତି। ସପ୍ତାହେ ପୂର୍ବରୁ, ଦିଲ୍ଲୀ NCRରେ AQI ଲଗାତାର ବଢିଚାଲିଥିଲା। ଦିଲ୍ଲୀର କିଛି ଅଂଚଳରେ PM2.5 ସ୍ତର ୧୫୦୦ ଛୁଇଁଥିଲା। ଯାହାକୁ ଗ୍ୟାସ ଚାମ୍ବରରେ ରହିବା ସହିତ ତୁଳନା କରାଯାଉଛି।

Advertisment

ଏହାର କାରଣ ଜାଣିବା ପାଇଁ ଲୋକାଲ୍ ସର୍କଲ୍ସ ଏକ ନୂତନ ସର୍ଭେ କରିଥିଲା । ଯେଉଁଥିରେ ଦିଲ୍ଲୀ NCRରେ ରହୁଥିବା ଲୋକମାନେ ଏହାର ମୁକାବିଲା କିପରି କରୁଛନ୍ତି ସେନେଇ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ଉତ୍ତର ଆଧାରରେ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ପ୍ରଦୂଷଣ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ଏକ ଚିନ୍ତାଜନକ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ୨୦ ଦିନରେ ଜଣେ ଅସୁସ୍ଥ ସଦସ୍ୟ ଥିବା ପରିବାର ସଂଖ୍ୟା ୬୯ ପ୍ରତିଶତରୁ ବୃଦ୍ଧି ପାଇ ୭୫ ପ୍ରତିଶତରେ ପହଞ୍ଚିଯାଇଛି। ଯାହାକି ବାୟୁ ଗୁଣବତ୍ତା ଖରାପ ହେବାର ପ୍ରତ୍ୟକ୍ଷ ପ୍ରଭାବକୁ ଦର୍ଶାଉଛି।

ଅଧିକ ପଢନ୍ତୁ: Delhi Pollution: ଭୟଙ୍କର ହେଲାଣି ସ୍ଥିତି, ନିଶ୍ୱାସ ନେବାକୁ କଷ୍ଟ ଲାଗିଲାଣି

ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି। ଏହାର ମୁକାବିଲା ପାଇଁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ କରାଯାଇଛି। ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ। ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ। BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ।

ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି। ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି। ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ ପରାମର୍ଶ ଦିଆଯାଇଛି। ବାୟୁ ପ୍ରଦୂଷଣ ପାଇଁ ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢନ୍ତୁ: Delhi Air Pollution: ବିଷ ବଳୟରେ ରାଜଧାନୀ ଦିଲ୍ଲୀ; ୱାର୍କ ଫ୍ରମ ହୋମ୍‌ କରିବେ ୫୦% ସରକାରୀ କର୍ମଚାରୀ

Delhi Air Pollution
Advertisment
Advertisment