• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତକୁ ଆସିବେ ଆଉ ୧୨ ଆଫ୍ରିକୀୟ ଚିତା । ଦିନକ ପରେ ପହଞ୍ଚିବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ । କୁନୋକୁ ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ୮ଟି ଚିତା ନାମିବ୍ୟାରୁ ଆସିଥିବା ବେଳେ, ଏଥର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯିବ। ସେମାନଙ୍କ ମଧ୍ୟରେ ୭ଟି ଅଣ୍ଡିରା ଓ ୫ଟି ମାଈ ଚିତା ଅଛନ୍ତି । ଚିତାଙ୍କୁ ଆଣିବା ପାଇଁ ଆଜି ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି ବାୟୁସେନାର ବିଶାଳ ବିମାନ C-17 ଗ୍ଲୋବମାଷ୍ଟର।

ଆସନ୍ତାକାଲି ସନ୍ଧ୍ୟାରେ ଚିତାଙ୍କୁ ଧରି ଦକ୍ଷିଣ ଆଫ୍ରିକା ଗାଉଟେଙ୍ଗ ସ୍ଥିତ ଓଆର୍ ଟାମ୍ବୋ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତାହା ଭାରତ ଅଭିମୁଖେ ବାହାରିବ । ଶନିବାର ସକାଳୁ ପ୍ରଥମେ ଗ୍ୱାଲିୟର ବାୟୁସେନା ଘାଟିରେ ପହଞ୍ଚିବା ପରେ, ସେଠାରୁ MI-17 ହେଲିକପ୍ଟର ଯୋଗେ ୧୬୫ କିଲୋମିଟର ଦୂର କୁନୋ ନ୍ୟାସନାଲ ପାର୍କକୁ ଅଣାଯିବ । ନୂଆ ଚିତାଙ୍କ ପାଇଁ କୁନୋରେ ୧୦ଟି ସ୍ୱତନ୍ତ୍ର କ୍ୱାରେଣ୍ଟିନ ଏନକ୍ଲୋଜର ନିର୍ମାଣ କରାଯାଇଛି ।

ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ । ତେବେ ପୁଣି ଭାରତରେ ଚିତାବଂଶ ବଢ଼ାଇବାକୁ ଆଫ୍ରିକାରୁ ପର୍ଯ୍ୟାୟକ୍ରମେ ୧୨ଟି ଲେଖାଏଁ ଚିତା ଆଗାମୀ ୮-୧୦ ବର୍ଷ ଯାଏଁ ଅଣାଯିବ । ଗତବର୍ଷ ସେପ୍ଟେମ୍ବର ୧୭, ନିଜ ଜନ୍ମଦିନରେ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ କୁନୋରେ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ଚିତାଗୁଡ଼ିକ ଏବେ ସୁସ୍ଥ ଅଛନ୍ତି ଏବଂ ୩-୪ ଦିନରେ ଥରେ ଲେଖାଏଁ ଶିକାର ବି କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତ ସହ ଚିତାର ସଂପର୍କ ବହୁ ପୁରୁଣା : ମୃଗ ଶିକାରରେ ସହାୟତା ପାଇଁ ପୋଷୁଥିଲେ ରାଜା

ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ କୁନୋରେ ଚିତା ସଫାରି ବି ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି । ସାଧାରଣ ଲୋକେ ଏହି ସଫାରୀରେ ଗାଡ଼ିରେ ବୁଲି ଚିତାକୁ ଦେଖିପାରିବେ । ତେବେ ଦିନକ ପରେ ଆସିବାକୁ ଥିବା ୧୨ଟି ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିବେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । 

ଏସବୁ ଖବର ଭିତରେ ଗୁଜରାଟରୁ ଆସିଛି ରାତିରେ ଗାଁ ଭିତରେ ସିଂହ ବୁଲିବାର ଦୃଶ୍ୟ । ଗିର୍ ଅଭୟାରଣ୍ୟ ନିକଟରେ ଥିବା ଅମରେଲି ଜିଲ୍ଲା ରାମପଡ଼ା ଗାଁରେ ୮ଟି ସିଂହ ଶିକାର ଖୋଜୁଥିବା ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।