• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାରୀ ଅନୁଦାନକୁ ଲୁଟିବାରେ ମାହିର ସରକାରୀ ଅଧିକାରୀ । ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା ଖାଇଗଲେ ପିଇଓ । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତର ପିଇଓ ଗତ ୪ ମାସରେ ୪୭ ଲକ୍ଷ ଟଙ୍କା ବେଆଇନ୍ ଭାବେ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜିଲ୍ଲାପାଳ ସଂପୃକ୍ତ ପିଇଓଙ୍କୁ ନିଲମ୍ବିତ କରିଛନ୍ତି । ଏବେ ଖୋଳତାଡ଼ କରୁଛି କଳାହାଣ୍ଡି ଭିଜିଲାନ୍ସର ଏକ ଟିମ୍ ।

କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତର ପିଇଓ ଦେବାନନ୍ଦ ସାଗର । ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ପାଇଁ ପିଇଓଙ୍କ ମାଧ୍ୟମରେ ଆସିଥାଏ ଟଙ୍କା । କିନ୍ତୁ ଏହି ସରକାରୀ ଚାକିରିଆ ବାବୁ ଜଣକ ସରକାରଙ୍କ ବିଭିନ୍ନ ଯୋଜନାର ଫଣ୍ଡକୁ ହରିଲୁଟ୍ କରିଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୪୭ ଲକ୍ଷ ୧୭ ହଜାର ଟଙ୍କା । ପାହାଡ଼ପଦର ପଞ୍ଚାୟତକୁ ଆସିଥିବା ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନର ୨୪ ଲକ୍ଷ ୭୦ ହଜାର ୭୭୩ ଟଙ୍କା ଚେକ୍ ଜରିଆରେ ଉଠାଣ କରିଛନ୍ତି ଦେବାନନ୍ଦ ।

ଅଧିକ ପଢ଼ନ୍ତୁ: ଗରିବଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ: ୫ ମାସ ହେବ ରାସନ୍ ଦେଉନି ଡିଲର 

ସେହିପରି ପଞ୍ଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ରାଶି ୧୭ ଲକ୍ଷ ୧୫ ହଜାର ୨୦୬ ଟଙ୍କା ମଧ୍ୟ ବେଆଇନ୍ ଭାବେ ଉଠାଣ କରିଛନ୍ତି । ଏପରିକି ନିରାଶ୍ରୟ ବୃଦ୍ଧ ବୃଦ୍ଧାମାନେ ପାଇବାକୁ ଥିବା ମାସିକ ଭତ୍ତା ଟଙ୍କା ମଧ୍ୟ ଚଳୁ କରିଛନ୍ତି ପିଇଓ । ଏ ବାବଦରେ ୫ ଲକ୍ଷ ୩୨ ହଜାର ଟଙ୍କା ଚେକ୍ ଜରିଆରେ ଉଠାଇ ଆତ୍ମସାତ୍ କରିଛନ୍ତି ପିଇଓ । ଏହିଭଳି ମୋଟ ୪୭ ଲକ୍ଷ ୧୭ ହଜାର ଟଙ୍କା କିକବ୍ୟାକ୍ କରିଥିବା ଦସ୍ତାବିଜ୍ ଲାଗିଛି । ଯେଉଁଥିରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କର ମଧ୍ୟ ଦସ୍ତଖତ ରହିଛି । ତେବେ ଏ ଦସ୍ତଖତ ତାଙ୍କର ନୁହେଁ, ଫର୍ଜରି କରାଯାଇଛି ବୋଲି ସରପଞ୍ଚ କହିଛନ୍ତି ।

ପାହାଡ଼ପଦର ପଞ୍ଚାୟତରେ ପିଇଓ ଭାବେ ଗତ ଅଗଷ୍ଟ ମାସରେ କାର୍ଯ୍ୟଭାର ସମ୍ଭାଳିଥିଲେ ଦେବାନନ୍ଦ ସାଗର । ଆଉ ଜଏନ୍ କରିବା ପରେ ପରେ ନାକ ବୁଡ଼ାଇ ବିଭିନ୍ନ ଯୋଜନାର ଲକ୍ଷ ଲକ୍ଷ ଟଙ୍କା ଅନୁଦାନକୁ ଚଳୁ କରିଛନ୍ତି ପାହାଡ଼ପଦର ସରପଞ୍ଚ ଓ ସମିତି ସଭ୍ୟ । ଏନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ ପିଇଓଙ୍କ ବିରୋଧରେ ଥାନାରେ ଏତଲା କରିଥିଲେ ସରପଞ୍ଚ ।

କେବଳ ପାହାଡ଼ପଦର ପଞ୍ଚାୟତରେ ନୁହେଁ, ତା ପୂର୍ବରୁ ଥୁଆମୁଳ ରାମପୁର ବ୍ଲକ ତଳନାଗି ପଞ୍ଚାୟତରେ ପିଇଓ ଥିବା ବେଳେ ମଧ୍ୟ ୫୭ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା । ଏଭଳି ବାରମ୍ବାର ଅଭିଯୋଗ ପରେ ଭବାନୀପାଟଣା ଭିଜିଲାନ୍ସର ଏକ ଟିମ୍ ଖୋଳତାଡ଼ କରୁଛି । ଆଉ କେଉଁ ପଞ୍ଚାୟତ ଫଣ୍ଡରୁ କେତେ ଟଙ୍କା ଖାଇଛନ୍ତି, ତାର ଛାନଭିନ୍ କରୁଛି ଭିଜିଲାନ୍ସ । ତେବେ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଲାଞ୍ଜିଗଡ଼ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅତିରିକ୍ତ ବିଡିଓ ନିଜେ ପାହାଡ଼ପଦର ଯାଇ ତଦନ୍ତ କରିଥିଲେ । ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଦୁର୍ନୀତିଖୋର ପିଇଓଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଏନେଇ ମୁହଁ ଖୋଲୁନାହାନ୍ତି ପିଇଓ ।

ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି, କୋଟିଏରୁ ଅଧିକ ସରକାରୀ ଅର୍ଥ ଚଳୁ କରିଥିବା ପିଇଓଙ୍କୁ କେବଳ ସସ୍ପେଣ୍ଡ କରି କାହିଁକି ଚୁପ୍ ରହିଛନ୍ତି ଜିଲ୍ଲାପାଳ ?

(ରିପୋର୍ଟ- ରାଜକୁମାର ସିଂହଦେଓ, କଳାହାଣ୍ଡି)