• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅନ୍ଧାରୀ ମୂଳକର ଗାଁ ଚେମଚେଟା । ଇଏ ଏମିତି ଏକ ଗାଁ ଯେଉଁଠିକି ଆଜି ପର୍ଯ୍ୟନ୍ତ ପହଞ୍ଚିପାରିଲାନି ବିଜୁଳି । ୫ ବର୍ଷ ପୂର୍ବରୁ ଗାଁରେ କେମିତି ସହଜରେ ବିଜୁଳି ପହଞ୍ଚିବ ସେନେଇ ବାରମ୍ବାର ଅଭିଯୋଗ କରିଥିଲେ ଗାଁ ଲୋକେ । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅନେକ ପରିବାରକୁ ସୋଲାର ଲାଇଟ୍‌ ଯୋଗାଇ ଦିଆଗଲା । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ୫ ବର୍ଷ ହେଲା ସୋଲାର ଲାଇଟ୍‌ ଦିଆଯାଇଛି ସତ ହେଲେ ଏଯାଏଁ ବିଜୁଳି ଦେଖିପାରିଲେନି ଗାଁ ଲୋକେ ।

ଅଧିକ ପଢ଼ନ୍ତୁ: ପ୍ରତାରଣା ପାଲଟିଲା ପ୍ରତିଶ୍ରୁତି: ଗାଈ ଚରେଇ ଚଳୁଛନ୍ତି ରେବତୀ

ମୟୂରଭଞ୍ଜ କପ୍ତିପଦା ବ୍ଲକ ମାଙ୍କଡପଡାର ଚେମଚେଟା ଗାଁରେ ୩୦ରୁ ଉର୍ଦ୍ଧ୍ୱ ଲୋଧା ପରିବାର ବସବାସ କରନ୍ତି । ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ପାହାଡ ଉପରେ ସେମାନେ ରହିଆସୁଛନ୍ତି । ପାହାଡ ଉପରେ ରହୁଥିବାରୁ ଅଧିକାଂଶ ମୌଳିକ ସୁବିଧା ବି ଏମାନେ ପାଇନାହାନ୍ତି । ବିଜୁଳି ଜଳିବ, ଗାଁ ଆଲୋକିତ ହେବ...କିଛି ଏମିତି ଆଶାରେ ପ୍ରଶାସନ ଗାଁର ଅନେକ ପରିବାରକୁ ସୋଲାର ଲାଇଟ୍‌ ଯୋଗାଇ ଦେଇଥିଲା । କିନ୍ତୁ ବାସ୍ତବରେ ତାହା ଏଯାଏଁ ଜଳିଲା ନାହିଁ କି ଗାଁ ଆଲୋକିତ ହେଲା ନାହିଁ ।

ଘରେଘରେ ଲାଗିଛି ସୋଲାର ଲାଇଟ୍ । ହେଲେ ଏହା ସଂପୂର୍ଣ୍ଣ ଅଚଳ । ଦିନରେ ସୂର୍ଯ୍ୟର ଆଲୋକ ଓ ରାତିରେ ଡିବିରି ଆଲୁଅ ଏମାନଙ୍କ ପାଇଁ ସାହା ଭରସା । ଆଶା ଥିଲା ଗାଁକୁ ବିଜୁଳି ଆସିବ,ହେଲେ ଆଶା ଆଶାରେ ହିଁ ରହିଗଲା । ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ହେଲେ ଏଇ ଗାଁରେ ପଡେ ତାଟିକବାଟ । ପ୍ରତିଥର ନିର୍ବାଚନ ସମୟରେ ନେତାଏ ଗାଁକୁ ଭୋଟ୍‌ ମାଗିବାକୁ ଆସନ୍ତି, ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ପ୍ରତିଶ୍ରୁତି ପାଲଟେ ପ୍ରତାରଣା ।

ବର୍ଷବର୍ଷ ଧରି ପାହାଡ ଉପରେ ବସବାସ କରୁଥିବା ଲୋଧା ପରିବାରଙ୍କ ପାଇଁ ବିଜୁଳି ହୋଇଛି ସାତସପନ । ଆଉ ଗାଁ ଲୋକ ଅଭିଯୋଗ କରିଛନ୍ତି, ପ୍ରଶାସନ ସୋଲାର ଲାଇଟ୍ ଯୋଗାଇ ଦେବା ପରେ ଥରେ ବି ଗାଁକୁ ଆସିନି କି ସୋଲାର ଲାଇଟ୍‌ ଜଳୁଛି କି ନାହିଁ ସେନେଇ ତଦନ୍ତ ବି କରିନି । କାହିଁକି ଗାଁ ଲୋକଙ୍କୁ ବିଜୁଳି ମିଳୁପାରୁନି ସେନେଇ ଆମେ ବିଜୁଳି ବିଭାଗର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

(ଉଦଳାରୁ ମାନସ ପାଣି)